Before Header

‘ପୁସ୍ତକ’ ଅଶେଷ ଜ୍ଞାନର ଭଣ୍ଡାର

0 24

(ବଡ଼ ଖବର ବ୍ୟୁରୋ): ପୁସ୍ତକ । ଯେଉଁଥିରେ ଥାଏ ଅଶେଷ ଜ୍ଞାନର ସମ୍ଭାର । ଆଧୁନିକ ଯୁଗରେ ଏବେ ବହିରୁ ମୁହଁ ଫେରାଉଛନ୍ତି ଯୁବପିଢ଼ୀ। ପୁସ୍ତକ ପଢ଼ିବା ପ୍ରତି ଲୋକଙ୍କୁ ସଚେତନ କରାଇବା ପାଇଁ ପାଳନ କରାଯାଏ ପୁସ୍ତକ ଦିବସ । ଲୋକଙ୍କ ମଧ୍ୟରେ ବହି ପଢ଼ିବାର ଅଭ୍ୟାସ କିପରି ବିକଶିତ ହେବ ସେଥିପାଇଁ ପ୍ରତିବର୍ଷ ୨୩ ଏପ୍ରିଲରେ ପାଳନ କରାଯାଉଛି ପୁସ୍ତକ ଦିବସ । ତେବେ ପୁସ୍ତକ ଯଗତରେ ସବୁଠାରୁ ବଡ଼ ଅସୁବିଧା ହେଉଛି କପି ରାଇଟ୍ । ଏହି ନିର୍ଦ୍ଦିଷ୍ଟ ଅସୁବିଧା ଉପରେ କାର୍ଯ୍ୟ ବି କରାଯାଉଛି । ଆଉ ଏହି କାରଣରୁ ବିଶ୍ୱ ପୁସ୍ତକ ଦିବସକୁ କିଛି ଦେଶ ମାନଙ୍କରେ ବିଶ୍ୱ କପିରାଇଟ୍ ଦିବସ ଭାବେ ବି ପାଳନ କରାଯାଏ ।

ମଣିଷ ପ୍ରଥମେ କଥା କହିବା ଶିଖିଲା । କଥା ମାଧ୍ୟମରେ ଜ୍ଞାନର ଆଦାନ ପ୍ରଦାନ କରିବା ମଧ୍ୟ ଶିଖିଲା । ତେବେ ମଣିଷ ଜୀବନର କୌଣସି ନିଶ୍ଚିତତା ନାହିଁ । ଆଉ ତାର ମୃତ୍ୟୁ ପରେ କେହି ତାର କଥାକୁ ମନେ ବି ରଖନ୍ତି ନାହିଁ । ଯେଉଁ କାରଣରୁ ସେ ନିଜ କଥାକୁ ଲେଖିବା ଶିଖିଲା। ଲେଖିବା ପରେ ଏହାକୁ ପୋଥି ପତ୍ର ମାଧ୍ୟମରେ ସାଇତିବା ବି ଶିଖିଲା । ଆଉ ଧୀରେ ଧୀରେ ଏହାର ନାଁ ଦିଆଗଲା ପୁସ୍ତକ । ଏବେ କିଛି ଲୋକଙ୍କର ଉତ୍ତମ ସାଥୀ ହୋଇ ପାରିଛି ପୁସ୍ତକ । ଜୀବନର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପୁସ୍ତକ ମାଧ୍ୟମରେ ଆମେ ପାଇପାରୁ । ଜ୍ଞାନର ସମ୍ଭାର ଥାଏ ପୁସ୍ତକ ମଧ୍ୟରେ । ପ୍ରତ୍ୟେକ ଲୋକଙ୍କ ଭାଷାକୁ ମାର୍ଜିତ କରିବାରେ ପୁସ୍ତକର ଥାଏ ଏକ ପ୍ରମୁଖ ଭୂମିକା । କିନ୍ତୁ ବିଡ଼ମ୍ବନାର ବିଷୟ ଏବେ ବହି ଉପରୁ ମୁହଁ ଫେରାଉଛନ୍ତି ଯୁବପିଢ଼ୀ ।

ଆଧୁନିକ ଯୁଗରେ ଏବେ ଧୀରେ ଧୀରେ ହଜି ଯାଉଛି ଏହି ପୁରାତନ ସାଥୀ । ଭାରତରେ ପ୍ରଥମେ ବିଭିନ୍ନ ପୋଥି ପତ୍ର ମାଧ୍ୟମରେ ବହୁ ଜ୍ଞାନକୁ ସଂରକ୍ଷଣ କରାଯାଇ ରଖାଯାଉଥିଲା । ସମୟ କ୍ରମେ ଏହା କାଗଜକୁ ପରିବର୍ତ୍ତନ ହୋଇଛି । ପୁସ୍ତକ ଦିବସକୁ ପ୍ରଥମେ ୧୯୯୫ ଏପ୍ରିଲ ୨୩ରେ ପାଳନ କରାଯାଇଥିଲା । ଏହି ଦିନ ପୁସ୍ତକ ଦିବସ ପାଳନ କରିବାର କାରଣ ଥିଲା ଏହି ଦିନ ବିଶ୍ୱ ପ୍ରସିଦ୍ଧ ଲେଖକ ୱିଲିଅମ ସେକ୍ସପିଅରଙ୍କ ଜନ୍ମଦିନ ସହିତ ଏହି ଦିନ ତାଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ସେହିପରି ସ୍ପେନିସ ଲେଖକ ମିଗୁଏଲ ଡି ସର୍ଭାଣ୍ଟଙ୍କର ମଧ୍ୟ ଆଜି ଦିନରେ ଦେହାନ୍ତ ହୋଇଥିଲା । ପୁସ୍ତକ ଦିବସ ପାଳନ କରିବାର ଧାରଣା ପ୍ରଥମେ ସ୍ପେନ୍ରୁ ଆସିଥିଲା । ୨୩ ଏପ୍ରିଲରେ ସ୍ପେନ୍ ଲୋକମାନେ ଗୋଲାପ ଦିବସ ପାଳନ କରୁଥିଲେ । ପରସ୍ପରକୁ ଏହି ଦିନ ଗୋଲାପ ମଧ୍ୟ ଦେଉଥିଲେ । ଆଉ ୧୯୨୬ରେ ଏହି ଦିନ ସ୍ପେନ୍ର ଲୋକପ୍ରିୟ ଲେଖକ ମିଗୁଏଲଙ୍କ ମୃତ୍ୟୁ ହେବା

ପରେ ଲୋକମାନେ ପରସ୍ପରକୁ ଗୋଲାପ ଦେବା ପରିବର୍ତ୍ତେ ପୁସ୍ତକ ଦେଇଥିଲେ । ଆଉ ଏହାକୁ ନଜରରେ ରଖି ସ୍ପେନ୍ରେ ଗୋଲାପ ଦିବସ ବଦଳରେ ପୁସ୍ତକ ଦିବସ ପାଳନ କରାଗଲା । ଏହି ମାଧ୍ୟମରେ ବିଶ୍ବ ପୁସ୍ତକ ଦିବସ ପାଳନ କରାଗଲା । ଲୋକମାନେ କିପରି ପୁସ୍ତକ ଦବା ନବା ହେବା ସହ ଜ୍ଞାନ ବାଣ୍ଟି ପାରିବେ ଏହି ଦିବସର ଏହା ମୂଳ ଲକ୍ଷ ଥିଲା । ଲୋକଙ୍କ ମଧ୍ୟରେ କିପରି ପଢ଼ିବା ଅଭ୍ୟାସ ବୃଦ୍ଧି ପାଇବ ତାହା ଏହି ଦିବସର ମୂଳ ଲକ୍ଷ । ତେବେ ୟୁନେସ୍କୋ ପ୍ରତିବର୍ଷ ପୁସ୍ତକ ଦିବସରେ ନୂଆ ନୂଆ ଥିମ୍ ରଖିଥାଏ । ଆଉ ଚଳିତ ବର୍ଷର ଥିମ୍ ହେଉଛି ବିଶ୍ୱର ସବୁ ଯାଗାରେ ବିଷୟବସ୍ତୁ କିପରି ସମାନ ଭାବରେ ଉପଲବ୍ଧ ହୋଇ ପାରିବ । ସେହିପରି ଲୋକଙ୍କ ପଢ଼ିବା ପାଇଁ ବିଶ୍ୱରେ ୨୩୦ ହଜାରରୁ ଅଧିକ ଲାଇବ୍ରେରୀ ରହିଛି । ସେଥିମଧ୍ୟରୁ ସର୍ଭେ ଅନୁସାରେ ୫ହଜାର ୪୭୮ଟି ଲାଇବ୍ରେରୀ ଭାରତରେ ରହିଛି ।

କିନ୍ତୁ ଏହାର ସଂଖ୍ୟା ଅଧିକ ହେବ ବୋଲି ଅନୁମାନ କରାଯାଏ । ଆଗରୁ ଲୋକେ ଫାଙ୍କା ସମୟରେ ବହି ପଢ଼ିବାକୁ ପସନ୍ଦ କରୁଥିଲେ । ଏବେ କିନ୍ତୁ ଏଥିରୁ ମୁହଁ ଫେରାଇବାକୁ ପସନ୍ଦ କଲେଣି । ବହି ପଢ଼ିବା ଦ୍ୱାରା ଜ୍ଞାନ ବଢ଼ିଥାଏ । ଭାଷା ସାହିତ୍ୟ ଉପରେ ଗଭୀର ଧାରଣା ବି ଆସିଥାଏ । ପ୍ରତ୍ୟେକ ଲୋକ ବହି ପଢ଼ିବା ଦ୍ୱାରା ବହୁ କିଛି ଜାଣିବାରେ ସକ୍ଷମ ହୋଇଥାଏ । ପୁସ୍ତକ ଦିବସରେ ଏହି ସଚେତନତା ସମସ୍ତଙ୍କ ପାଖରେ ପହଞ୍ଚିବା ଦରକାର ।

Leave A Reply

Your email address will not be published.