Before Header

ମନରେଗାରେ ଦୁର୍ନୀତି ଅଭିଯୋଗ, ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ବାଚନ କମିଶନରଙ୍କ ପତ୍ର

0 550

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଗୋପିନାଥପୁର ଗ୍ରାମ ପଞ୍ଚାୟତରେ ଦୁର୍ନୀତି ପିଛା ଛାଡୁନି । କେତେବେଳେ ଆବାସ କେଳେଙ୍କାରୀ ତ ଆଉ କେତେବେଳେ ମନରେଗା ଦୁର୍ନୀତିରେ ଛନ୍ଦି ହୋଇଛି ଏହି ପଞ୍ଚାୟତ । ଏବେ ୧୦ ଜଣ ନାବାଳକ ଓ ନାବାଳିକାଙ୍କୁ ଜବକାର୍ଡ଼ଧାରୀ ଶ୍ରମିକ ଭାବେ ଦର୍ଶାଇ ସରକାରୀ କର୍ମଚାରୀ ଓ ଜନ ପ୍ରତିନିଧିମାନେ ମୋଟ୍ ୮୩ ହଜାର ୯୪୪ ଟଙ୍କା ଆତ୍ମସାତ୍ କରିଥିବା ଜଣାପଡ଼ିବା ପରେ ମଧ୍ୟ ଜିଲ୍ଲାପାଳ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ସୂଚନା ଅନୁଯାଇ ଗୋପୀନାଥପୁର ପଞ୍ଚାୟତରେ ୧୦ରୁ ଅଧିକଙ୍କ ନାମରେ ଜାଲ ଆଧାରକାର୍ଡ଼ ପ୍ରସ୍ତୁତ କରି ୨୦୨୧-୨୨ ରୁ ୨୦୨୩-୨୪ ଆର୍ଥିକ ବର୍ଷ ପର୍ୟ୍ୟନ୍ତ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପରେ କାର୍ଯ୍ୟ କରିଥିବା ଦର୍ଶାଇ ମନରେଗା ଯୋଜନାରେ ମୋଟ ୮୩ ହଜାର ୯୪୪ ଟଙ୍କା ପ୍ରଦାନ କରାଯାଇଥିଲା ।

ଏହା ଜଣିବା ପରେ ସାମାଜିକ କର୍ମୀ ହିମାଂଶୁ ଶେଖର ନାୟକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ, ମୁଖ୍ୟ ଶାସନ ସଚିବ, ଭଦ୍ରକ ଜିଲ୍ଲାପାଳ, ଭଦ୍ରକ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଚଳିତ ବର୍ଷ ଅଗଷ୍ଟ ମାସ ୬ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମନରେଗା ସଂଯୋଜକ ଓ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ୯ ତାରିଖରେ ପଞ୍ଚାୟତକୁ ଯାଇ ତଦନ୍ତ କରି ୧୯ ତାରିଖରେ ଏହାର ରିପୋର୍ଟ ଦାଖଲ କରିଥିଲେ । ତଦନ୍ତ ସମୟରେ ୮ ଜଣ ଛାତ୍ର ଛାତ୍ରୀଙ୍କ ହାଇସ୍କୁଲ ସାର୍ଟିଫିକେଟ ସହ ଜାଲି ଆଧାର କାର୍ଡ଼ରେ ଉଲ୍ଲେଖ ଥିବା ଜନ୍ମ ତାରିଖ ମଧ୍ୟରେ ତାଳମେଳ ନଥିବା ରିପୋର୍ଟରେ ଦର୍ଶାଯାଇଛି ।

ଏହି ଦୁର୍ନୀତିରେ ସମ୍ପୃକ୍ତ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ଓ ପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାୟୀ କରାଯାଇଛି । ଉଭୟଙ୍କ ବିରୁଦ୍ଧରେ ଅର୍ଥ ଆତ୍ମସାତ୍, ସରକାରୀ ନିୟମାବଳୀର ଉଲଙ୍ଘନ କରିଥିବା ତଦନ୍ତ ରିପୋର୍ଟରୁ ସ୍ପଷ୍ଟ ହେବା ପରେ ଗ୍ରାମରୋଜଗାର ସେବକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କ ଠାରୁ ଚାନ୍ଦବାଲି ବିଡ଼ିଓ ମୋଟ ୯୬ ହଜାର ୯୮୪ ଟଙ୍କା ଆଦାୟ କରିଛନ୍ତି । ଏହି ୩ ଜଣଙ୍କ ସମେତ ମୋଟ ୬ ଜଣଙ୍କୁ ଚାନ୍ଦବାଲି ବିଡ଼ିଓ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ଏହି ଘଟଣାରେ ଆତ୍ମସାତ୍ ହୋଇଥିବା ଅର୍ଥ ଆଦାୟ ହୋଇଥିଲେ ମଧ୍ୟ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କିମ୍ବା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗକାରୀ ହିମାଂଶୁ ଶେଖର ନାୟକ କହିଛନ୍ତି । ଅଭିଯୋଗ ର ସତ୍ୟତା ଥିଲେ ମଧ୍ୟ ଗ୍ରାମ ରୋଜଗାର ସେବକଙ୍କୁ ବହିଷ୍କାର କରିବା ପରିବର୍ତ୍ତେ ତାଙ୍କୁ ବ୍ଲକ କାର୍ଯ୍ୟାଳୟକୁ ବଦଳି କରି ଜିଲ୍ଲାପାଳ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେଉଥିବା ଶେଖର ନାୟକ ପ୍ରକାଶ କରିଛନ୍ତି । ସେହି ଅଭିଯୋଗକୁ ଆଧାର କରି ନିର୍ବାଚନ କମିଶନ ଭଦ୍ରକ ଜିଲ୍ଲାପାଳଙ୍କୁ ତଦନ୍ତ କରି ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ଚିଠି ଲେଖିଛନ୍ତି ।

Leave A Reply

Your email address will not be published.