ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିପଦ ସରିନି । ଯାହା ଯାଉଛି, ତାହାଠାରୁ ବି ବଡ ଆସୁଛି । ଏ ବିପଦର ସାମାନ୍ୟ କ୍ଷତି ବି ଅସହ୍ୟ । ତେଣୁ ଏ ବିପଦକୁ ଅଟକାଇବାକୁ ହେବ । ସୁନିଶ୍ଚିତ ଅଟକାଇବାକୁ ହେବ । ଦ୍ୱିତୀୟ ଲହର ପୂର୍ବରୁ ଆମର ଖାମଖିଆଲି, ତ୍ରୁଟି, ଯାହା ପାଇଁ ସାରା ଦେଶ, ଆମ ରାଜ୍ୟ, ରାଜ୍ୟବାସୀଙ୍କୁ ନାହିଁ ନ ଥିବା କ୍ଷତି ସହିବାକୁ ହୋଇଛି । କିନ୍ତୁ ତୃତୀୟ ଲହର ଯେଉଁ କ୍ଷତି କରିବ ବୋଲି ଆଶଙ୍କା କରାଯାଉଛି, ସେଥିରେ ସାମାନ୍ୟ ତ୍ରୁଟି ବି ଅକ୍ଷମଣୀୟ ଅପରାଧ ହେବ । ପରିଚାଳନାରେ ଟିକେ ଢିଲାପଣ ବରଦାସ୍ତ କରାଯାଇପାରିବ ନାହିଁ । ତୃତୀୟ ଲହରର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି, ସତର୍କ ଅଛନ୍ତି ବୋଲି କହୁଛନ୍ତି । କିନ୍ତୁ କେମିତି ସତର୍କ ଅଛନ୍ତି, କେତେ ସିରିୟସ ଅଛନ୍ତି ତାହା ଆମେ ଡିଏମଇଟିଙ୍କ ପ୍ରତିକ୍ରିୟାରୁ ଦେଖିଲେ । ଖାଲି ଏତିକି ନୁହେଁ, ଦ୍ୱିତୀୟ ଲହର ପୂର୍ବରୁ ବି ସରକାର ପ୍ରସ୍ତୁତ ଅଛୁ ପ୍ରସ୍ତୁତ ଅଛୁ କହି କହି କେମିତି ପ୍ରସ୍ତୁତ ଥିଲେ ତାହା ବି ଆମେ ସମସ୍ତେ ଦେଖିଲେ । ତେଣୁ ଏଥର ବି ସରକାରଙ୍କ ପ୍ରସ୍ତୁତି ଉପରେ ଆମର ସନ୍ଦେହ ରହିଛି । ଖାଲି ସନ୍ଦେହ ନୁହେଁ, ଘୋର୍ ସନ୍ଦେହ ରହିଛି । ଏସବୁ କଥା ଭାବିବା ପରେ ବଡ ଖବର, ଏକ ଦାୟିତ୍ୱ ସଂପନ୍ନ ଗଣମାଧ୍ୟମ ଭାବେ ସରକାରଙ୍କ ନିକଟରେ କିଛି ଦାବି ରଖିବାକୁ ଚାହୁଁଛନ୍ତି । ଏହି ଦାବି ଆମେ ଏଇଥି ପାଇଁ ରଖିବାକୁ ଚାହୁଁଛୁ, କାରଣ ଆମକୁ ପ୍ରତିଟି ରାଜ୍ୟବାସୀ, ବିଶେଷକରି ଆମର ଭବିଷ୍ୟତ, ପ୍ରତିଟି ଶିଶୁଙ୍କ ଚିନ୍ତା ରହିଛି । କୁହାଯାଏ, ପ୍ରିଭେନସନ ଇଜ୍ ବେଟର୍ ଦେନ୍ କିଓର । ସାମାନ୍ୟତମ ଦାୟିତ୍ୱବାନ୍ ବ୍ୟକ୍ତି ଏହି ଥିଓରୀରେ ବିଶ୍ୱାସ କରନ୍ତି । କାହିଁକି ନା ବିପତ୍ତି ଆସିବା ପୂର୍ବରୁ ଏହାର ନିରାକରଣ କରାଯିବା ବୁଦ୍ଧିମାନଙ୍କ କାମ । ବିପତ୍ତି ଯେତେବେଳେ ଏତେ ବଡ, ସେତେବେଳେ ତ ଏହି ଥିଓରୀର ମହତ୍ୱ ଆହୁରି ବଢିଯାଏ । କିନ୍ତୁ ଯେତେବେଳେ ଏହାର ପାଳନ କରିବାର ଦାୟିତ୍ୱ ଯାହାର, ସେ ହିଁ ଦାୟିତ୍ୱହୀନ ହୋଇଯାଏ, ବେଫିକର ହୋଇଯାଏ ସେତେବେଳେ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଗଣମାଧ୍ୟମକୁ ଚାପ ପକାଇବାକୁ ପଡେ । ସରକାରଙ୍କୁ ପ୍ରସ୍ତାବ ଦେବାକୁ ପଡେ । ଏହି କାମ କେହି କରୁ ବା ନ କରୁ, ବଡ ଖବର କିନ୍ତୁ ନିଶ୍ଚୟ କରିବ । ଆଜି ବଡ ଖବର ରାଜ୍ୟ ସରକାରଙ୍କ ଆଗରେ ତୃତୀୟ ଲହରର ମୁକାବିଲା ପାଇଁ କିଛି ପ୍ରସ୍ତାବ ନେଇ ଆସିଛି । ଆମର ପ୍ରସ୍ତାବ ତୃତୀୟ ଲହର ପାଇଁ ବିଶେଷଜ୍ଞମାନଙ୍କ ଆଶଙ୍କା ଓ ଆକଳନକୁ ଆଧାର କରି ପ୍ରସ୍ତୁତ ହୋଇଛି ।
ଦାବି ନମ୍ବର ୧- ପ୍ରତ୍ୟେକ ହସ୍ପିଟାଲରେ ଶିଶୁ ବିଶେଷଜ୍ଞ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଉ । ଯେତେ ଅଧିକରୁ ଅଧିକ ଶିଶୁ ବିଶେଷଜ୍ଞଙ୍କୁ ନିଯୁକ୍ତ ଦେବା ସମ୍ଭବ, ସେ ଦିଗରେ ସର୍ବାଧିକ ପ୍ରୟାସ କରାଯାଉ । ଏହା ସହ ସେମାନେ କିଭଳି କରୋନା ଚିକିତ୍ସା ପାଇଁ ନିଜକୁ ପ୍ରସ୍ତୁତ ରଖିବେ, ସେ ଦିଗରେ ଜୋର୍ ଦିଆଯାଉ ।
ଦାବି ନମ୍ବର ୨- ରାଜ୍ୟରେ ଶିଶୁ ରୋଗ ଚିକିତ୍ସା ପାଇଁ ସରକାରୀ କ୍ଷେତ୍ରରେ ମାତ୍ର ୨ଟି ଶିଶୁ ଭବନ ରହିଛି । ଏହି ସଂଖ୍ୟାକୁ ତୁରନ୍ତ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ତେଣୁ ଅନ୍ତତଃ ୩ଟି ଜିଲ୍ଲା ପିଛା ୨ ଶହ ଶଯ୍ୟା ବିଶିଷ୍ଟ ଗୋଟିଏ ଲେଖାଏଁ ଅସ୍ଥାୟୀ ଶିଶୁ ଭବନ ହେଉ ପଛକେ ପ୍ରସ୍ତୁତ କରିବାକୁ ହେବ । ଏହି କାମ ଦୁଇରୁ ତିନି ସପ୍ତାହ ମଧ୍ୟରେ ସାରିବାକୁ ହେବ । ଏହା ସହ ୩ ବଡ ଡାକ୍ତରଖାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏପରିକି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଶିଶୁ ଚିକିତ୍ସାର ଭିତ୍ତିଭୂମିକୁ ଯୁଦ୍ଧକାଳୀନ ଭିତ୍ତିରେ ସୁଧାରିବାକୁ ହେବ ।
ଦାବି ନମ୍ବର ୩- ଏହି ସବୁ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ପରିମାଣରେ ସେହି ସବୁ ବ୍ୟବସ୍ଥା କରିବାକୁ ହେବ, ଯାହା ଶିଶୁଙ୍କୁ କରୋନା ହେଲେ ଆବଶ୍ୟକ ହେବ । ଯେପିରିକି ଶିଶୁମାନଙ୍କ ପାଇଁ ଭେଣ୍ଟିଲେଟର, ପେଡିଆଟ୍ରିକ୍ ଇଣ୍ଟେଲସିଭ୍ କେୟାର ୟୁନିଟ ବା ପିଆଇସିୟୁ, ଅକ୍ସିଜେନ୍ ଆଦିର ଉଚିତ୍ ବ୍ୟବସ୍ଥା କରିବାକୁ ହେବ । ଏ ସବୁର ଅଭାବ ଯେପରି ପରଲକ୍ଷିତ ନୁହେଁ, ତାହା ସୁନିଶ୍ଚିତ କରିବାକୁ ହେବ ।
ଦାବି ନମ୍ବର ୪- ଶିଶୁମାନଙ୍କ ସୁସ୍ଥତା ପାଇଁ ଚିକିତ୍ସା ସହ ସେବା ଓ ଯତ୍ନର ଅଧିକ ଆବଶ୍ୟକତା ଥାଏ । ହସ୍ପିଟାଲମାନଙ୍କରେ ଆମର କୋଭିଡ ଯୋଦ୍ଧା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀମାନେ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି । ସେ ସମସ୍ତଙ୍କୁ ଆମେ ଆନ୍ତରିକ ଧନ୍ୟବାଦ ଜଣାଉଛୁ । ତେବେ ଏ କଥା ବି ସତ୍ୟ, କିଛି କିଛି ଜାଗାରେ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଅବହେଳାର ଖବର ବି ଆସିଛି । କିନ୍ତୁ ଶିଶୁ ଚିକିତ୍ସା କ୍ଷେତ୍ରରେ ସାମାନ୍ୟ ଅବହେଳା ହେବା ଉଚିତ୍ ନୁହେଁ । ଏପିରିକି ମନସ୍ତତ୍ୱଦୃଷ୍ଟିରୁ ଚିନ୍ତା କଲେ ଶିଶୁମାନଙ୍କ ସୁସ୍ଥତା ପାଇଁ ଅଧିକ ଯତ୍ନ, ଆତ୍ମୀୟତାର ଆବଶ୍ୟକତା ରହିଛି । ତେଣୁ ରାଜ୍ୟ ସରକାର କୋଭିଡର ତୃତୀୟ ଲହର ପାଇଁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦେଇ ଅନ୍ୟୁନ ପାଞ୍ଚ ହଜାର ନର୍ସଙ୍କୁ ପ୍ରସ୍ତୁତ କରନ୍ତୁ ବୋଲି ଆମେ ପ୍ରସ୍ତାବ ଦେଉଛୁ । ଏହି ନର୍ସମାନଙ୍କୁ କରୋନା ଆକ୍ରାନ୍ତ ଶିଶୁମାନଙ୍କ ସେବା କରିବାକୁ ଟ୍ରେନିଂ ଦେଇ ନିୟୋଜିତ କରାଯାଉ ।
ଦାବି ନମ୍ବର ୫- ପାଞ୍ଚ ନମ୍ବର ଦାବି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସରକାର ଏହାକୁ ଧ୍ୟାନର ସହ ଶୁଣିବା ଦରକାର । ପ୍ରଥମ ହେଉ କି ଦ୍ୱିତୀୟ ଲହର, ଯଦି ସବୁଠାରୁ ବଡ ଅସୁବିଧା ଆମେ ମାନେ ଦେଖିଲେ ତାହା ହେଉଛି ଚିକିତ୍ସା ସୁବିଧା । କାହାକୁ ରୋଗ ହେବା ପରେ ତାହାର ଚିକିତ୍ସା କେଉଁଠି ମିଳିବ ସେ ପାଇଁ ଲୋକେ କେତେ ଯେ ଦହଗଞ୍ଜ ହୋଇଛନ୍ତି ତାହାର ହିସାବ ନାହିଁ । ରୋଗୀଙ୍କୁ ଧରି ପରିବାର ଲୋକେ ଏ ହସ୍ପିଟାଲରୁ ସେ ହସ୍ପିଟାଲ ଦୌଡିଛନ୍ତି, କିନ୍ତୁ କେଉଁଠି ଚିକିତ୍ସା ମିଳିବ କେହି କହିପାରିନାହାନ୍ତି । ଏ ସହର, ସେ ସହର ଦୌଡି ଦୌଡି ନୟାନ୍ତ ହୋଇଛନ୍ତି । ଯଦି କେଉଁଠି ବେଡ୍ ମିଳିଛି, ସେଠି ହଜାରେ ନିୟମ ଭିତରେ ଜୀବନ ଫସି ଯାଇଛି । ନ ହେଲେ ଶୋଷଣର ଶିକାର ହୋଇ ମଣିଷ ସର୍ବସ୍ୱାନ୍ତ ହୋଇଯାଇଛି । ତଥାପି ପ୍ରିୟଜନଙ୍କୁ ବଞ୍ଚାଇପାରିନି । ମୋଟା ଅଙ୍କର ଟଙ୍କା ଥିଲେ ଡାକ୍ତରଖାନାମାନେ ଚିକିତ୍ସା ନ କରି ଫେରାଇ ବି ଦେଇଛନ୍ତି । ମରଣ ମୁହଁକୁ ଠେଲି ଦେଇଛନ୍ତି । ସରକାରୀ ହସ୍ପିଟାଲ ଯେତେବେଳେ ହାତ ଟେକିଦେଲେ, ଠିକ୍ ସେତିକିବେଳେ ଘରୋଇ ହସ୍ପିଟାଲ ମାନବିକତା ବିକିଦେଲେ । ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଦାରୁଣ ଦୁର୍ଗତିରେ ପହଞ୍ଚିଛି, ଯାହା ହିଁ ଦ୍ୱିତୀୟ ଲହରରେ ଅଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟିଛି । କାହା ପାଖକୁ ରୋଗୀ ଯିବେ, ଗଲେ ଚିକିତ୍ସା ହେବ କି ନାହିଁ, କେତେ ଟଙ୍କା ଲାଗିବ, କିଛି ବି ସୂଚନା ପାଇବା ସମ୍ଭବ ହେଉ ନ ଥିଲା । ଏହି ତିକ୍ତ ଅନୁଭୂତି ଦ୍ୱିତୀୟ ଲହରରେ ସବୁ ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ରହିଛି । ଆମେ ଚାହୁଁଛୁ, ତୃତୀୟ ଲହରରେ ଏଭଳି ସାଂଘାତିର ଅବ୍ୟବସ୍ଥା ପୁନରାବୃତ୍ତି ନ ହେଉ । ତେଣୁ ଆମେ ପ୍ରସ୍ତାବ ଦେବାକୁ ଚାହୁଁଛୁ, ତୃତୀୟ ଲହରର ଚିକିତ୍ସା ସଂପର୍କରେ ସୂଚନା ଦେବାକୁ ସରକାର ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲନ୍ତୁ । ଏ କଣ୍ଟ୍ରୋଲ ରୁମର କାମ ହେବ ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଆଡମିଶନ କରିବାରେ ସହାୟତା ଦେବା । ସରକାର ତ ମିଡିଆରେ ବହୁତ କଥା କହନ୍ତି, ଏତେ ପ୍ରତିଶତ ବେଡ୍ ଫାଙ୍କା ଅଛି, ଆଇସିୟୁ ଖାଲି ଅଛି, ସେ ସବୁ ଖାଲି କହିବାରେ କିଛି ମାନେ ନାହିଁ । ଦରକାର ବେଳେ ଲୋକେ ପାଉ ନାହାନ୍ତି । ତେଣୁ ଏହି କଣ୍ଟ୍ରୋଲ ରୁମ୍ ବେଡ ଯୋଗାଇବାରେ ସାହାଯ୍ୟ କରିବା ଦିଗରେ କାର୍ଯ୍ୟ କରିବ । ହେଲ୍ପଲାଇନ ନମ୍ବରକୁ କଲ୍ କଲେ ସରକାର ଅଧିକାରୀମାନେ କରୋନା ଆକ୍ରାନ୍ତ ଶିଶୁ ପାଇଁ କେଉଁଠି ବେଡ୍ ମିଳିବ, କେମିତି ମିଳିବ ତାହା ଯୋଗାଇବାର ବ୍ୟବସ୍ଥା କରିବେ । ସେଠାରେ ରୋଗୀଙ୍କ ପରିବାର କିଭଳି ଶୋଷଣର ଶିକାର ନ ହେବେ ତାହାର ବି ଦାୟିତ୍ୱ ସରକାର ନେବା ଦରକାର । କାହିଁକି ନା ଯଦି ଚିକିତ୍ସା ପାଇଁ ବାପା-ମା ନିଜର ଗୁରୁତର ପିଲାଙ୍କୁ ଧରି ଏ ହସ୍ପିଟାଲରୁ ସେ ହସ୍ପିଟାଲ ଦୌଡି ନିରାଶ ହୁଅନ୍ତି, ପ୍ରଥମ ଓ ଦ୍ୱିତୀୟ ଲହର ଭଳି ଚିତ୍ର ସାମ୍ନାକୁ ଆସେ ତାହା ଆଦୌ ସହ୍ୟ କରାଯାଇ ପାରିବ ନାହିଁ । ଆପଣ ସ୍ୱାସ୍ଥ୍ୟ ସେବା ପାଇଁ ଅମକ କରିଛନ୍ତି ସମକ କରିଛନ୍ତି ବୋଲି ସଚିବାଳୟରେ ବସି କହିଦେବା ସହଜ, କିନ୍ତୁ ବାସ୍ତବ କ୍ଷେତ୍ରରେ ଆବଶ୍ୟକ କରୁଥିବା ରୋଗୀଙ୍କୁ ସହାୟତା କରିବାର ଦାୟିତ୍ୱ ବି ସରକାରଙ୍କୁ ନେବାକୁ ହେବ । ଏ ସବୁ କିଛି ପ୍ରସ୍ତାବ ଆମେ ସରକାରଙ୍କ ଆଗରେ ରଖିଛୁ । କେବଳ ପ୍ରସ୍ତାବ ନୁହେଁ, ଏହାକୁ ଆମେ ଆମର ଦାବି ବୋଲି କହୁଛୁ । ଯେଉଁ ଦାବି ସରକାର ମାନିନେଲେ ବା ଏହାକୁ ପୂରଣ କରିବା ଦିଗରେ ଦୃଢତାର ସହ ଉଦ୍ୟମ କଲେ ଏଥିରେ ସାରା ରାଜ୍ୟବାସୀଙ୍କର ହିଁ ମଙ୍ଗଳ ହେବ । ଦ୍ୱିତୀୟ ଲହର ଧକ୍କାରେ ଅନେକ ଯୁବକ ଯୁବତୀ ଆଖି ବୁଜିଛନ୍ତି । ବାପା-ମା’ଙ୍କ ଆଖି ଆଗରେ ଭେଣ୍ଡିଆ ପୁଅମାନେ ଆଖିି ବୁଜିଛନ୍ତି । ସେ କଷ୍ଟ ଯିଏ ଭୋଗିଛିି ସେ ହିଁ ଜାଣିଛି । କୁହାଯାଏ, କରୋନା ରୋଗ ଆଜି ବି ୩ ପ୍ରକାରର । ଯେଉଁମାନେ ଏହି ରୋଗରେ ଆକ୍ରାନ୍ତ ହୋଇନାହାନ୍ତି କିମ୍ବା ସେମାନଙ୍କ ପରିବାର, ବନ୍ଧୁ ବାନ୍ଧବରେ କେହି ବି ଏଯାଏଁ ଏହାର କ୍ଷତି ସହି ନାହାନ୍ତି, ସେମାନଙ୍କ ପାଇଁ କରୋନା କେବଳ ଏକ ସୂଚନା ମାତ୍ର । ଯେଉଁମାନଙ୍କ କେହି ନା କେହି ଆକ୍ରାନ୍ତ ହୋଇଛନ୍ତି, କିନ୍ତୁ ଭଲ ହୋଇଯାଇଛନ୍ତି, ସେମାନଙ୍କ ପାଇଁ ଏହା ଏକ ରୋଗ । କିନ୍ତୁ ଯେଉଁମାନେ ଏଥିରେ ନିଜ ଲୋକଙ୍କୁ ହରାଇ ଦେଇଛନ୍ତି, ସେମାନଙ୍କ ପାଇଁ ଏହା ଏକ ନିଷ୍ଠୁର ମହାମାରୀ । ଏହି ମହାମାରୀ ନିଷ୍ଠୁରତା ପାଇଁ ଭୂତାଣୁ ଯେତିକି ଦାୟୀ ଆମ ସରକାରଙ୍କ ଅପାରଗତା ବି ସେତିକି ଦାୟୀ । ଦ୍ୱିତୀୟ ଲହରରେ ଏହାର ନିଷ୍ଠୁରତା ଚରମ ସୀମାରେ ପହଞ୍ଚିଥିଲା । କିନ୍ତୁ ଆମେ ଆଶା କରିବା ତୃତୀୟ ଲହର କେବଳ ଏକ ସୂଚନା ଭାବେ ଅତିକ୍ରାନ୍ତ ହୋଇଯାଉ । ତେବେ ଏହି ଆଶା ପୂରଣ ହେବ କି ନା ତାହା ସରକାରଙ୍କ ପ୍ରସ୍ତୁତି ଉପରେ ନିର୍ଭର କରିବ । ତେବେ ଏଠି ଆମେ ସରକାରଙ୍କୁ ଗୋଟିଏ କଥା ସଚେତନ କରାଇଦେବାକୁ ଚାହିଁବୁ । ତୃତୀୟ ଲହରର ସିଧା ପ୍ରଭାବ ଶିଶୁମାନଙ୍କ ଉପରେ ପଡିବ । ଏହାର ଅର୍ଥ ବୁଝନ୍ତୁ, ଗମ୍ଭୀରତାକୁ ଜାଣନ୍ତୁ, ସିରିୟସ ହୁଅନ୍ତୁ । କାରଣ ଚିକିତ୍ସା ଅବହେଳାରୁ ଗୋଟିଏ ବି ଯଦି ଶିଶୁର ସାମାନ୍ୟତମ କ୍ଷତି ହେଲା, ତାହେଲେ କଥା ସଂପୂର୍ଣ୍ଣ ଅଲଗା ହେବ । ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହେବ । ଯାହାକୁ ସମ୍ଭାଳିବ କଷ୍ଟକର ହୋଇପଡିବ । ସରକାରଙ୍କ ମଥାରେ ଯେଉଁ ପାପ ଲାଗି ତାକୁ ଗଙ୍ଗା ବି ଧୋଇପାରିବ ନାହିଁ ।