Before Header

ପୁଣି ମୋଦି ସରକାରଙ୍କ ଉପରେ ବର୍ଷିଲେ ରାହୁଲ, କାହିଁକି?

0 134

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନୂଆ କୃଷି ଆଇନକୁ ନେଇ ରାଜନୀତି ଥମୁନାହିଁ । ପୁଣି ଥରେ ବିଭିନ୍ନ ପ୍ରଶ୍ନ କରି ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଯଦି କୃଷକମାନେ ଏହି ନିୟମକୁ ନେଇ ଖୁସି, ତେବେ ସେମାନେ କାହିଁକି ସାରା ଦେଶରେ ବିରୋଧ କରୁଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ପଞ୍ଜାବର କୃଷକ କାହିଁକି ଆନ୍ଦୋଳନ କରୁଛନ୍ତି ବୋଲି ବୋଲି ସେ ପଚାରିଛନ୍ତି । ପଞ୍ଜାବରେ ଟ୍ରାକ୍ଟର ରାଲି ପୂର୍ବରୁ ମୋଗାର ବାଦନୀ କାଲାନଠାରେ ଚାଷୀ ବଞ୍ଚାଅ ସମାବେଶକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଗତ ୬ ବର୍ଷ ଧରି ଲୋକଙ୍କୁ ମିଛ କହୁଛନ୍ତି । ଏହା ଏକ କାଠପୁଟଳି ସରକାର । ଯାହାର ଚାବି ଆଦାନୀ ଏବଂ ଅମ୍ବାନୀଙ୍କ ହାତରେ ଅଛି । ନିକଟରେ ପାରିତ ହୋଇଥିବା ୩ଟି ନିୟମ, କଳା ନିୟମ ଅଟେ ।

ମୋଦି ସରକାର ଭାରତୀୟ କୃଷିର ତିନୋଟି ସ୍ତମ୍ଭ ଏମଏସପି, ଖାଦ୍ୟଶସ୍ୟ କ୍ରୟ ଏବଂ ମଣ୍ଡିକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି । କୋଭିଡ୍-୧୯ ସମୟରେ ଏହି ନିୟମ ଆଣିବାକୁ ତତ୍ପରତା କ’ଣ ଥିଲା? ଲୋକସଭା ଓ ରାଜ୍ୟସଭାରେ କାହିଁକି ଉପଯୁକ୍ତ ଆଲୋଚନା ହୋଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।   ବିଜେପିର ଗୋଟିଏ ଲକ୍ଷ୍ୟ ହେଲା ଏମଏସପି, ଖାଦ୍ୟ ଶସ୍ୟ ସଂଗ୍ରହ ଓ ହୋଲସେଲ ମାର୍କେଟକୁ ଧ୍ୱଂସ କରିବା । ହେଲେ କଂଗ୍ରେସ କେବେ ହେଲେ ସରକାରଙ୍କୁ ଏପରି କରିବାକୁ ଦେବନାହିଁ । ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହୁଁଛି ଯେ କଂଗ୍ରେସ ଯେବେ ବି କେନ୍ଦ୍ରରେ କ୍ଷମତା ଦଖଲ କରିବ ସେତେବେଳେ ଏହି କଳା ଆଇନକୁ ଉଚ୍ଛେଦ କରିବ । ଆମେ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଲଢ଼େଇ କରିବୁ ଓ କଳା ଆଇନକୁ ହଟାଇ ଦେବୁ ବୋଲି ରାହୁଲ କହିଛନ୍ତି ।

ରବିବାର ପଞ୍ଜାବରେ ୩ ଦିନିଆ ଟ୍ରାକ୍ଟର ରାଲିକୁ ଉଦଘାଟନ କରିଛନ୍ତି ରାହୁଲ । ଏହି ରାଲି ବିଭିନ୍ନ ଜିଲ୍ଲା ତଥା ନିର୍ବାଚନମଣ୍ଡଳୀ ଦେଇ ଯିବ । ନୂଆ କୃଷି ଆଇନ ସମ୍ପର୍କରେ ଲୋକଙ୍କ ପାଖରେ ତଥ୍ୟ ପହଞ୍ଚାଇବା ପାଇଁ କଂଗ୍ରେସ ପକ୍ଷରୁ ଆଜିଠାରୁ ‘ଖେତି ବଞ୍ଚାଅ’ ଯାତ୍ରା ଆରମ୍ଭ କରାଯାଇଛି । ସୂଚନାଯୋଗ୍ୟ, ପଞ୍ଜାବର କୃଷକମାନେ ନୂତନ କୃଷି ନିୟମକୁ ବିରୋଧ କରୁଛନ୍ତି । କୃଷକମାନେ ଭୟ କରୁଛନ୍ତି ଯେ କେନ୍ଦ୍ର ଦ୍ୱାରା କରାଯାଇଥିବା ଆଇନ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ରଦ୍ଦ ପାଇଁ ବାଟ ଖୋଲିବ ଏବଂ ସେମାନେ ବଡ଼ କମ୍ପାନୀର ଦୟା ଉପରେ ନିର୍ଭରଶୀଳ ରହିବେ । ତେବେ ନୂଆ କୃଷି ଆଇନରେ ଏମଏସପି ରଦ୍ଦ ନିଷ୍ପତ୍ତି କୌଣସି ନିଷ୍ପତ୍ତି ନାହିଁ ବୋଲି କେନ୍ଦ୍ର ସରକାର ବାରମ୍ବାର କହିଛନ୍ତି ।

Leave A Reply

Your email address will not be published.