ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକ ପାଲଟିଛି ରଣକ୍ଷେତ୍ର । OLA, Uber ଓ Rapido ଅନଲାଇନ୍ ଚାଳକଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଥିବା ବେଳେ ଆଜି ଆନ୍ଦୋଳନ ତୀବ୍ର ରୂପ ନେଇଛି । ଚାଳକ ଓ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ସହ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡିଥିଲା ।
ଆନ୍ଦୋଳନକାରୀ ଚାଳକଙ୍କ ପକ୍ଷରୁ ପୋଲିସ୍ ଉପରକୁ ପଥର ମାଡ ହୋଇଥିବା ଅଭିଯୋଗ ରହିଛି । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ପରେ ପୋଲିସ୍ ଲାଠି ଚାର୍ଜ କରିବା ସହ ପାଣି ମାଡ କରି ଭିଡକୁ ଘଉଡାଇଥିଲା । ଏହାସହ ଉତ୍ତେଜିତ ଚାଳକମାନେ ଏକ ବସ୍ କୁ ଭଙ୍ଗାରୁଜା କରିଥିବା ମଧ୍ୟ ଦେଖିବାକୁ ମିଳିଛି ।
କିଲୋମିଟର ପିଛା ଭଡ଼ା ବୃଦ୍ଧି, ଯାତ୍ରୀଙ୍କ ପକ୍ଷରୁ ବୁକିଂ କ୍ୟାନସେଲ୍ ହେଲେ ଦେୟ ଆଦାୟ ସମେତ ବିଭିନ୍ନ ଦାବି ନେଇ ଚାଳକମାନେ ଆନ୍ଦୋଳନ କରୁଛନ୍ତି। ତୃତୀୟ ଦିନରେ ଆନ୍ଦୋଳନ ଅଧିକ ତୀବ୍ର ହେବାରୁ ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା।
