Before Header

ଜାଣନ୍ତୁ କିପରି ହାଇଦର ପାଲଟିଥିଲା ଗ୍ୟାଙ୍ଗଷ୍ଟର‌…

0 90

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : କୁଖ୍ୟାତ ଗ୍ୟାଙ୍ଗଷ୍ଟର ପାଲଟିଥିବା ସେକ୍ ହାଇଦର୍‌ ଯୁଗର ଅନ୍ତ ଘଟିଛି। ପୁଲିସ ଏନକାଉଣ୍ଟରରେ ଶନିବାର ତାର ମୃତ୍ୟୁ ହୋଇଛି। ଚୌଦ୍ବାର ସର୍କଲ ଜେଲରୁ ଶନିବାର ହାଇଦରକୁ କଡ଼ା ସୁରକ୍ଷା ମଧ୍ୟରେ ବାରିପଦା ସର୍କଲ ଜେଲ୍‌କୁ ସ୍ଥାନାନ୍ତର କରାଯାଉଥିବା ସମୟରେ ବାଲେଶ୍ବର ଜିଲ୍ଲା ସିମୁଳିଆ ନିକଟରେ ଖସି ପଳାଇବାକୁ ସେ ଉଦ୍ୟମ କରିଥିଲା। ଏହି ସମୟରେ ପୁଲିସ ସହ ଏନକାଉଣ୍ଟର ‌ହୋଇଥିଲା।

ଜାଣନ୍ତୁ କିଭଳି ହାଇଦର ପାଲଟିଥିଲା ଗ୍ୟାଙ୍ଗଷ୍ଟର…

୧୯୮୦ ପରବର୍ତ୍ତୀ ସମୟରେ ଛୋଟଛୋଟ ଅପରାଧରେ ହାଇଦର ହାତ ଦେଇଥିଲା। ୧୯୯୧ ବେଳକୁ ହାଇଦର୍ ଗ୍ୟାଙ୍ଗଷ୍ଟର ପାଲଟି ଯାଇଥିଲା। ୧୯୮୦ରେ କେନ୍ଦ୍ରାପଡ଼ା ନୂଆ ବସ୍‌ ଷ୍ଟାଣ୍ତରୁ ଆରପଟକୁ ଯିବା ପାଇଁ ଗୋବରୀରେ ହେଉଥିବା ବାଉଁଶ ପୋଲ ଓ ସେଥିରୁ ଆଦାୟ ହେଉଥିବା ଟଙ୍କାକୁ ନେଇ ଗଣ୍ତଗୋଳର ସୂତ୍ରପାତ ହୋଇଥିଲା। ରବିନ୍‌ ବେହେରା ନିୟନ୍ତ୍ରଣରେ ସେହି ପୋଲ ରହୁଥିବା ବେଳେ ରବିନ୍‌ ଏକ ହତ୍ୟା ମାମଲାରେ ଫସି ଜେଲ୍‌ ଯାଇଥିଲା। ଜେଲରୁ ଫେରିବା ପରେ ଟିଟୋ ଓରଫ ସୟଦ ଉସ୍ମାନ ଅଲ୍ଲୀ ରବିନ ସହିତ ମିଶିଥିଲା। ପରେ ରବିନ୍‌-ଟିଟୋ-ସୋଲେମାନ ମିଶି ଗ୍ୟାଙ୍ଗ ଗଢ଼ିଥିଲେ। କିନ୍ତୁ ଡକାୟତି ଟଙ୍କା ବଣ୍ଟାକୁ ନେଇ ୧୯୮୯ରେ ଟିଟୋ ଓ ରବିନ୍‌ ଭିତରେ ଗଣ୍ତଗୋଳ ହୋଇଥିଲା। ଟିଟୋ ଅଲଗା ହୋଇ ଗ୍ୟାଙ୍ଗ୍‌ ଗଢ଼ିଥିଲା। ଆଳୁ ବ୍ୟବସାୟୀରୁ ଟିଟୋ ବନିଯାଇଥିଲା ଗ୍ୟାଙ୍ଗଷ୍ଟର୍। ସେଥିରେ ସାମିଲ ହୋଇଥିଲା ମାଲିକ ସୋଲେମାନ୍‌।

ଟିଟୋ ଓ ସୋଲେମାନ୍‌ ମିଶି କ୍ୟାସେଟ୍‌ ବେପାର ବି କଲେ। ସୋଲେମାନ୍‌ ବିଏ ପାସ୍‌ କରିଥିଲା। କିନ୍ତୁ ସେହି ସମୟରେ ବୁଲା ସେଠୀ ଓ ସୋଲେମାନ୍‌ ମିଶି ରବିନକୁ ହତ୍ୟା କଲେ। ଟିଟୋ-ସୋଲେମାନ୍‌-ବୁଲା ସେଠୀଙ୍କ ଗ୍ୟାଙ୍ଗ୍‌ ପ୍ରଭାବଶାଳୀ ହେବାକୁ ଲାଗିଥିବା ବେଳେ ୧୯୯୧ରେ ହାଇଦର ସହିତ ମିଶିଲେ ରବିନର ସହଯୋଗୀ ବଣୁଆ ଆଉ ବାବୁ। ହାଇଦର୍, ବଣୁଆ, ବାବୁ ମିଶି କୋର୍ଟ ପରିସରରେ ବୋମା ଓ ଗୁଳି ମାଡ଼ କରି ବୁଲା ସେଠୀକୁ ହତ୍ୟା କରିବା ଘଟଣା ଗୋଟିଏ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସେହି ସମୟରେ କିଛି ବର୍ଷ ହାଇଦର୍ଡ‌-ଟିଟୋ-ସୋଲେମାନ୍‌ ମିଶି କାମ କଲେ। ଟିଟୋ ଓ ସୋଲେମାନ୍‌ ସିଧାସଳଖ ଅପରାଧରେ ସମ୍ପୃକ୍ତ ନରହି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରୁଥିବା କୁହାଯାଏ। କିନ୍ତୁ ହାଇଦର ଅପରାଧ ମାମଲାରେ ସିଧାସଳଖ ସମ୍ପୃକ୍ତ ରହିବା ସହିତ ସାମନାକୁ ଆସୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଟିଟୋ ଓ ହାଇଦରଙ୍କ ଭିତରେ ବିବାଦ ହୋଇଥିବା ବେଳେ ଟିଟୋ ଗ୍ୟାଙ୍ଗ ହାଇଦର ଉପରେ ଦୁଇ ଥର ଆକ୍ରମଣ ଉଦ୍ୟମ କରିଥିଲେ ବି ସେ ବର୍ତ୍ତି ଯାଇଥିଲା।

କେନ୍ଦ୍ରାପଡ଼ା-ପଟ୍ଟାମୁଣ୍ତାଇ ରାସ୍ତାରେ ଦୋବନ୍ଧା ନିକଟରେ ଏକ ବାହାଘରକୁ ନେଇ ଗଣ୍ତଗୋଳରୁ ଟିଟୋ-ହାଇଦର୍ ଅଲଗା ହୋଇଯାଇଥିଲେ। କିନ୍ତୁ ଗଲା କିଛି ବର୍ଷ ଧରି ଟିଟୋ ଓ ହାଇଦରଙ୍କ ଭିତରେ ବୁଝାମଣା ହୋଇଥିବା ବେଳେ ସେମାନେ ପରସ୍ପରକୁ ସହଯୋଗ କରି ଆସୁଥିବା କୁହାଯାଏ। ୨୦୦୫ରେ ଶେଖ୍ ଚୁନା ହତ୍ୟା ଘଟଣା, ୨୦୦୭ରେ ବହୁ ଚର୍ଚ୍ଚିତ ଖଣି ମାଲିକ ରଶ୍ମିରଜଂନ ମହାପାତ୍ର ଅପହରଣ ଓ ହତ୍ୟା ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହେଉଛି ହାଇଦର୍। ହାଇଦର ନାମରେ ପ୍ରାୟ ୨୪ଟି ମାମଲା ବିଭିନ୍ନ ଥାନାରେ ରହିଛି। ସେଥିରୁ କେବଳ ୧୬ଟି ମାମଲା କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଥାନାରେ ରହିଥିବା ବେଳେ ପୁରୀ, ଭୁବନେଶ୍ବର, ଆନ୍ଧ୍ରପ୍ରଦେଶ, ଢେଙ୍କାନାଳ, ଯାଜପୁର, କଟକରେ ବି ତା ବିରୋଧରେ ମାମଲା ରହିଛି।

Leave A Reply

Your email address will not be published.