1212

(ବଡ଼ ଖବର ବ୍ୟୁରୋ):ଜଗତ ଠାକୁରଙ୍କୁ ବାନ୍ଧି ରଖିବାର ଏକମାତ୍ର ମାଧ୍ୟମ ହେଉଛି ଭକ୍ତି ଓ ଶ୍ରଦ୍ଧା । ତାଙ୍କ ପାଇଁ ମନରେ ଭଲ ପାଇବା ଥିଲେ ବଡ଼ ଦେଉଳ ନଗଲେ ବି ସେ ଭକ୍ତ ପାଖରେ ବନ୍ଧା । ଧନୀ, ଦରିଦ୍ର ସମସ୍ତଙ୍କ ପାଖରେ ସେ ଛିଡ଼ା ହୁଅନ୍ତି । ପରିବାରର ଦୁଃଖ ହରନ୍ତି । ଆଉ ଶ୍ରଦ୍ଧାରେ ଯିଏ ଯାହା ବଢ଼ାଇ ଦିଏ ତାହାକୁ ଗ୍ରହଣ କରନ୍ତି । ଯେପରି ଦାସିଆ ବାଉରୀଙ୍କ ନଡ଼ିଆ ଗ୍ରହଣ କରିଥିଲେ ମହାପ୍ରଭୁ । ଦାସିଆ ବାଉରୀ । ଶ୍ରୀ ଜଗନ୍ନାଥଙ୍କର ପରମ ଭକ୍ତ । ତାଙ୍କ ଭକ୍ତିରେ ବିମୋହିତ ହୋଇ ମହାପ୍ରଭୁ ଗ୍ରହଣ କରିଥିଲେ ତାଙ୍କ ହାତରୁ ନଡ଼ିଆ । ଦାସିଆ ବାଉରୀ ଓ ଭଗବାନଙ୍କ ଭାବ ସମ୍ପର୍କକୁ ନେଇ ପୁରାଣ ଶାସ୍ତ୍ରରେ ରହିଛି ଅନେକ କିମ୍ବଦନ୍ତୀ । ୧୫୦୦ ଶତାବ୍ଦୀରେ ପୁରୀ ଜିଲ୍ଲା ପିପିଲି ବାଲି ଗାଁ ଅଞ୍ଚଳରେ ଏକ ଗରୀବ ତନ୍ତୀ ପରିବାରରେ ଦାସିଆ ବାଉରୀ ଜନ୍ମଗ୍ରହଣ କରିଥିଲେ ।

ବାଲ୍ୟ କାଳରୁ ହିଁ ସେ ଜଣେ ଜଗନ୍ନାଥ ପ୍ରେମୀ ଥିଲେ । ପରିବାରର ପାରମ୍ପରିକ ବୁଣାକାର ବୃତ୍ତି ବ୍ୟତୀତ, ଜଗନ୍ନାଥ ଭଜନ ଓ ଜଣାଣ ଲେଖିବାରେ ରୁଚି ରଖୁଥିଲେ ସେ। ଭାଗବତ, ଚଉତିଶା ଓ ଭକ୍ତି ମାଳିକା ଭଳି ଗ୍ରନ୍ଥ ମଧ୍ୟ ରଚନା କରିଛନ୍ତି ସେ । ତେବେ ସେତେବେଳେ ଗାଁ ଗହଳୀ ମାନଙ୍କରେ ହେଉଥିବା ଭାଗବତ ବାଣୀରେ ଗାଁ ଲୋକ ସମ୍ମିଳିତ ଭାବେ ଭାଗବତ ପ୍ରବଚନ ଶୁଣୁଥିଲେ । କିନ୍ତୁ ନୀଚ ଓ ଅଛୁଆଁ ବୋଲି କହି ତଳ ଜାତିର ଲୋକମାନଙ୍କୁ ସେଠାରେ ବସିବାକୁ ନିଷେଧ କରାଯାଇଥିଲା । ଆଉ ଏଭଳି କୁପ୍ରଥାର ଶିକାର ହୋଇଥିଲେ ଦାସିଆ ବାଉରୀ । କିନ୍ତୁ ଏସବୁକୁ ଛାଡ଼ି ପ୍ରବଚନ ସ୍ଥଳୀର କିଛି ଦୂରରେ ରହି ପ୍ରବଚନ ଶୁଣି ଭକ୍ତି ଭାବରେ ଶୁଣୁଥିଲେ ଦାସିଆ । ଲୋକକଥା ଅନୁସାରେ ଦାସିଆ ବାଉରୀ ଓ ଭଗବାନଙ୍କ ମଧ୍ୟରେ ବହୁ ନବିଡ ସମ୍ପର୍କ ।

ଥରେ ଦାସିଆ ବାଉରୀଙ୍କ ବାଲି ଗ୍ରାମ ଶାସନର ଲୋକମାନେ ପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ପୁରୀ ବାହାରିଥିଲେ । କିନ୍ତୁ ଆର୍ଥିକ ଅଭାବ କାରଣରୁ ଦାସିଆ ବାଉରୀ ଯାଇପାରିନଥିଲେ । ତେଣୁ ନିଜ ଗ୍ରାମର ଲୋକଙ୍କ ହାତରେ ନଡ଼ିଆଟିଏ ପଠାଇଥିଲେ ଦାସିଆ ବାଉରୀ । ଆଉ କହିଥିଲେ ଅରୁଣସ୍ତମ୍ଭ ଆଗରେ ଛିଡ଼ା ହୋଇ ଦାସିଆ ବାଉରୀ ନାଁ ନେଇ ଜଗନ୍ନାଥଙ୍କୁ ନଡ଼ିଆଟି ଯାଚିବ । ଗାଁ ଲୋକ ଯେତେବେଳେ ଅରୁଣ ସ୍ତମ୍ଭ ଆଗରେ ନଡ଼ିଆ ଯାଚିଥିଲେ ସେମାନଙ୍କ ହାତରୁ ଶୂନ୍ୟରେ ଚାଲିଯାଇଥିଲା ନଡ଼ିଆ । ଏହା ଦେଖି ସମସ୍ତେ ଆଚମ୍ବିତ ହୋଇଥିଲେ । ଭକ୍ତର ନିଷ୍ଠାପର ଭକ୍ତିଭାବରେ ମହାପ୍ରଭୁ ବିମୋହିତ ହୋଇଥିଲେ। ଦାସିଆ ବାଉରୀଙ୍କୁ ମହାପ୍ରଭୁ ନିଜେ ଆସି ରଥଯାତ୍ରା ଦେଖିବାକୁ ଡାକରା ଦେଇଥିଲେ । ଘରେ ଆର୍ଥିକ ଅସୁବିଧା ଥିବା କାରଣରୁ ଦାସିଆଙ୍କ ପତ୍ନୀ ଘରର ଅସୁବିଧା ସମ୍ପର୍କରେ ଆସି ଦାସିଆଙ୍କୁ କହିଥିଲେ । ଆଉ ଏହାକୁ ନେଇ ଦାସିଆ ଓ ପତ୍ନୀଙ୍କ ମଧ୍ୟରେ ସାମାନ୍ୟ ମିମାଂସା ମଧ୍ୟ ହୋଇଥିଲା ।

ଠିକ ଏହି ସମୟରେ କେହି ଜଣେ ଆସି ବାହାରୁ ଦାସିଆ ଦାସିଆ କରି ଡାକ ପକାଇଥିଲା । ଘରୁ ବାହାରକୁ ଯାଇ ଦେଖିଥିଲେ ଗାଁ ମୁଖିଆ । ମୁଖିଆ ଜଣକ ନିଜ ସହ ଚାଉଳ ଓ କଉଡ଼ି ଆଣି ଦାସିଆ ହାତକୁ ବଢ଼ାଇଦେଇଥିଲେ । ଆଉ ରଥଯାତ୍ରା ଦେଖିଯିବାକୁ ତାଙ୍କ ପାଇଁ ଏକ ପୋଷାକ ତିଆରି କରିବା ସହ ତାଙ୍କ ସହ ମିଶି ରଥଯାତ୍ରା ଦେଖିଯିବାକୁ ନିମନ୍ତେ କହିଥିଲେ । ଏକଥା ଶୁଣି ଦାସିଆ ନିଜକୁ ଅଟକାଇ ପାରିନଥିଲେ । ଆଉ ପରେ ଜାଣିବାକୁ ପାଇଥିଲେ ମୁଖିଆ ବେଶରେ ମହାପ୍ରଭୁ ସ୍ୱଂୟ ତାଙ୍କୁ ରଥଯାତ୍ରା ଦେଖିବାକୁ ନିମନ୍ତ୍ରଣ ଦେଇଛନ୍ତି । ଦାରିଦ୍ର୍ୟ ମଧ୍ୟରେ ଦିନେ ରାତିରେ ଖାଇବା ପାଇଁ ଦାସିଆଙ୍କ ଘରେ କିଛି ନଥିଲା । ଫଳରେ ଭୋକରେ ରହି ରାତି କାଟିବା ପାଇଁ ଦାସିଆ ଓ ତାଙ୍କ ସ୍ତ୍ରୀ ବିଚାର କରିଥିଲେ । ଠିକ ସେହି ସମୟରେ ଛଦ୍ମବେଶରେ ପ୍ରଭୁ ଜଗନ୍ନାଥ ପହଞ୍ଚିଥିଲେ ଦାସିଆଙ୍କ ଘରେ। ଆଉ ପେଟର ଭୋକ ମେଣ୍ଟାଇବାକୁ ଭୋଜନ ପରସିବା ପାଇଁ କହିଥିଲେ । ଘରେ କିଛି ନଥିଲା ।

ବହୁ କଷ୍ଟରେ ଦାସିଆଙ୍କ ପତ୍ନୀ ଘରେ ଥିବା ପୁରୁଣା ଚାଉଳରେ ରୋଷେଇ କରି ଅତିଥିଙ୍କୁ ପରସିଥିଲେ । ଅତି ସନ୍ତୋଷରେ ଭୋଜନ କରି ଯାଇଥିଲେ ଛଦ୍ମବେଶୀ ଜଗନ୍ନାଥ। ଆଉ ଠିକ ସେହି ରାତିରେ ହିଁ ମହାରାଜଙ୍କୁ ସ୍ୱପ୍ନାଦେଶ ହୋଇଥିଲା, ଦାସିଆ ବାଉରୀ ଘରେ ଖାଦ୍ୟ ପହଞ୍ଚାଇବାକୁ । ଆଉ ସେହି ଦିନ ଠାରୁ ପ୍ରତିଦିନ ପୁରୀ ମହାରାଜାଙ୍କ ଦ୍ୱାରା ଦାସିଆ ବାଉରୀ ଘରକୁ ଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା କରାଗଲା । ସେହି ପରମ୍ପରା ଅନୁସାରେ ଆଜି ବି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଭୋଗ ଲାଗି ହେବା ପରେ, ପ୍ରଥମ ଭୋଗ ଦାସିଆ ବାଉରୀଙ୍କୁ ଅର୍ପଣ କରାଯାଏ ।

Leave a Reply

Your email address will not be published. Required fields are marked *