ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଓଡ଼ିଶା-ପଶ୍ଚିମବଙ୍ଗ ଦେଇ ଗତି କରିବା ସହ ସନ୍ଧ୍ୟାସୁଦ୍ଧା ପଶ୍ଚିମ ଝାଡ଼ଖଣ୍ଡ ଓ ପାଖାପାଖି ଉତ୍ତର ପୂର୍ବ ମଧ୍ୟପ୍ରଦେଶ ଉପରେ ସକ୍ରିୟ ରହିଛି। ଗୁରୁବାରଠାରୁ ରାଜ୍ୟରେ ବର୍ଷା କମିବ । ୫ ତାରିଖ ଯାଏ ଉତ୍ତର ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ବର୍ଷା ହୋଇପାରେ । ରାଜ୍ୟରେ ଧୀରେ ଧୀରେ ବର୍ଷା କମିବ । ୮ ତାରିଖ ଯାଏ ବଡ଼ ବର୍ଷା ଆଶଙ୍କା ନାହିଁ । ବାଲେଶ୍ୱର, ଭ୍ରଦକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ଘଡ଼ଘଡ଼ି ସହିତ ଝଡ଼ବର୍ଷା ନେଇ ସୂଚନା ଦିଆଯାଇଛି ।
ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲାରେ ଝଡ଼ବର୍ଷା ନେଇ ସୂଚନା ଦିଆଯାଇଛି। ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ଜଳସ୍ତର ବିପଦ ସଙ୍କେତ ପାର୍ କରିଛି । ସୁବର୍ଣ୍ଣରେଖାରେ ବନ୍ୟା ଆସିବାରୁ ଜଳେଶ୍ୱର, ବାଲିଆପାଳ, ଭୋଗରାଇ ବ୍ଲକର ନଦୀ ଉପକୂଳ ଅଞ୍ଚଳରେ ବନ୍ୟା ଜଳ ପଶିଛି । ଭୋଗରାଇ, ବାଲିଆପାଳ ବ୍ଲକରେ ୫୦ରୁ ଊଦ୍ଧ୍ୱର୍ ପଞ୍ଚାୟତର ଲୋକେ ଜଳବନ୍ଦୀ ଅଛନ୍ତି ।
