Before Header

କୋଟିଆରେ ଓଡ଼ିଶା-ଆନ୍ଧ୍ର ପ୍ରଶାସନ ମୁହାଁମୁହିଁ

0 87

କୋରାପୁଟ (ବଡ଼ ଖବର ବ୍ୟୁରୋ): କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆରେ ଆନ୍ଧ୍ର ଜୋରଜବରଦସ୍ତ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ସଭ୍ୟ ନିର୍ବାଚନ କରାଇବାକୁ ଉଦ୍ୟମ ଚଳାଇଛି। ବୁଧବାର ଅପରାହ୍ନ ୫ଟାରୁ ଆସନ୍ତା ୯ ତାରିଖ ଯାଏଁ କୋରାପୁଟ ଜିଲ୍ଲା ପ୍ରଶାସନ କୋଟିଆରେ ୧୪୪ ଧାରା ଜାରି କରି ଥିଲେ ମଧ୍ୟ ଆନ୍ଧ୍ର ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଖାତିର କରୁନାହାନ୍ତି। ସକାଳ ୧୦ ଟା ସୁଦ୍ଧା ୧୨ଶହରୁ ମାତ୍ର ୧୮ ଖଣ୍ଡ ଭୋଟ ପଡିଛି । ସୀମାନ୍ତ ଧୂଳିପଦର ଓ୍ୱାରସେମ୍ବେଇଠାରେ ଓଡ଼ିଶା ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଥିଲେ ମଧ୍ୟ ଆନ୍ଧ୍ର ଏହାକୁ ମାନୁନାହିଁ ।

କୋରାପୁଟ ଉପଜିଲ୍ଲାପାଳ ଓ ଏସପିଓଙ୍କ ସମେତ ପୁଲିସ ମୁତୟନ ହୋଇଛନ୍ତି । ଏହା ସତ୍ତ୍ବେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ତିନି ୩ କମ୍ପାନୀରୁ ଊର୍ଦ୍ଧ୍ବ ଫୋର୍ସ ମୁତୟନ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୧ଟି ଗାଁରେ ୨୧ ଜଣ ନୋଡାଲ ଅଫିସର ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିଲେ ମଧ୍ୟ ଆନ୍ଧ୍ର ପ୍ରଶାସନ ସହ ମୁକାବିଲା କରିପାରୁନାହାନ୍ତି । ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ କରୋନା ସଂକ୍ରମଣ ନେଇ ସତର୍କ କରାଇବା ସହ ଜରୁରୀ ନ ଥିଲେ ଘରୁ ନବାହାରିବାକୁ ଓଡ଼ିଶା ପ୍ରଶାସନ ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଇଛି । ଏପରିକି ୨ ଦିନ ଯାନବାହନ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ଏହା ସତ୍ତ୍ବେ ଆନ୍ଧ୍ର କୋଟିଆରେ ନିର୍ବାଚନ କରାଇବାଲାଗି ବଳ ପ୍ରୟୋଗ କରୁଛି ।

ସେପଟେ କୋଟିଆ ପ୍ରସଙ୍ଗରେ ପୁଣି ସୁପ୍ରିମକୋର୍ଟରେ ଆବେଦନ ଦାଏର କରିଛନ୍ତି ରାଜ୍ୟ ସରକାର। ଆନ୍ଧ୍ରକୁ ନିର୍ବାଚନ କରାଇବାରୁ ବିରତ ରଖିବାକୁ ଆବେଦନରେ ଅନୁରୋଧ କରାଯାଇଛି । ନିର୍ବାଚନ କଲେ ଆନ୍ଧ୍ର ବିରୋଧରେ କୋର୍ଟ ଅବମାନନା ମାମଲା ଲାଗି ଆବେଦନ ହୋଇଛି। କୋଟିଆରେ ପଞ୍ଚାୟତ ନିର୍ବାଚନ କରିବା ଲାଗି ଆନ୍ଧ୍ର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଗୁରୁବାର କୋଟିଆରେ ନିର୍ବାଚନ କରିବା ଆଶଙ୍କା ରହିଛି । ପୂର୍ବରୁ କୋଟିଆରେ ନିର୍ବାଚନ କରିବା ଉପରେ ଆନ୍ଧ୍ର ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ସ୍ଥଗିତାଦେଶ ଦେଇଥିଲେ । ଏହାପରେ ବୁଧବାର ୩ ଜଣିଆ ଖଣ୍ଡପୀଠ ଏହି ରାୟକୁ ରଦ୍ଦ କରିଥିଲେ। ୩ ଜଣିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଅନୁସାରେ କୋଟିଆରେ ଗୁରୁବାର ଭୋଟ ଗ୍ରହଣ ହେବ ।

କିନ୍ତୁ ଗଣତି ହେବନି। ଆସନ୍ତା ୧୦ରେ ହେବାକୁ ଥିବା ଗଣତି ପରବର୍ତ୍ତୀ ଆଦେଶ ଯାଏ ବାତିଲ କରାଯାଇଛି । ତେବେ ପଞ୍ଚାୟତ ନିର୍ବାଚନକୁ ଦେଖି ସେଠାରେ ତମ୍ବୁ ପକାଇ ଜଗି ରହିଥିଲେ ବିଜେଡି, ବିଜେପି ଏବଂ କଂଗ୍ରେସ ନେତା। ସେମାନଙ୍କ ତମ୍ବୁ ଭାଙ୍ଗିଦେଇଛି ଆନ୍ଧ୍ର ପ୍ରଶାସନ । ପାଟାଙ୍ଗୀର ବିଜେଡି ବିଧାୟକ ପିତମ ପାଢୀ, ବିଜେପି ନେତା ଜୟରାମ ପାଙ୍ଗୀ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କୋଟିଆ ପଂଚାୟତ ଅନ୍ତର୍ଗତ ତଳ ଗଂଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀର ଭୋଟରଙ୍କୁ ନେଇ ଜିଲ୍ଲା ପରିଷଦ ନିର୍ବାଚନ କରୁଥିବାରୁ ଏହାର ପ୍ରତିବାଦରେ ଏକାଠି ହୋଇଥିଲେ । ଏମାନଙ୍କ ଉଦ୍ୟମ ଏବେ ବିଫଳ । ଏହି ନେତୃବୃନ୍ଦ ଫାଟୁସିନେରୀ ନିକଟ ଓଡ଼ିଶା-ଆନ୍ଧ୍ର ସୀମାରେ ରାସ୍ତା ଅବରୋଧ କରିଥିଲେ ମଧ୍ୟ ଆନ୍ଧ୍ର ପ୍ରଶାସନ ଉପରେ କୌଣସି ପ୍ରବାଭ ପଡିନାହିଁ । ଓଡ଼ିଶା ମାଟିର କେହି ଭୋଟରଙ୍କୁ ଆନ୍ଧ୍ରର ନିର୍ବାଚନରେ ଭାଗ ଦେବାକୁ ଦିଆଯିବ ନାହିଁ ବୋଲି ବିଜେଡି, ବିଜେପି ଓ କଂଗ୍ରେସ ନେତାମାନଙ୍କ ଦମ୍ଭୋକ୍ତି ପାଣି ଫୋଟକା ପରି ମିଳାଇଯାଇଛି ।

Leave A Reply

Your email address will not be published.