Before Header

ରେସରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ, ଜେଡି(ଏସ୍)

0 34

ବେଙ୍ଗାଲୁରୁ  (ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଆସନ୍ତା ମେ’ ୧୦ ତାରିଖରେ ହେବ । ୨୨୪ ଆସନ ବିଶିଷ୍ଠ କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ମେ’ ୨୪ରେ ଶେଷ ହେବ । ମୁଖ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ କର୍ଣ୍ଣାଟକ ରାଜନୀତି ସରଗରମ ହୋଇଉଠିଛି । ତେବେ ୨୦ଟି ଆସନ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଶିଗଗାଓଁ ଆସନରୁ ବିଜୟୀ ହୋଇଥିବା ବାସଭରାଜ ବୋମ୍ମାଇ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅଛନ୍ତି । ସେ ୨୦୧୮ରେ କଂଗ୍ରେସର ସୟଦ ଆଜିମ ପିର ଖାଡ୍ରିଙ୍କୁ ୯,୨୬୫ ଭୋଟ ବ୍ୟବଧାନରେ ହରାଇଥିଲେ । ବରୁଣା ଆସନରୁ ୨୦୧୮ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ପୁଅ ଏସ୍ ୟାଥିନ୍ଦ୍ର କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ।

ପୁଅକୁ ବରୁଣା ଆସନ ଦେଇ ସିଦ୍ଧରମେୟା ଚାମୁଣ୍ଡେଶ୍ୱରୀ ଓ ବାଦାମିରୁ ପ୍ରାର୍ଥୀ ହୋଇଥିଲେ । ସେ ଚାମୁଣ୍ଡେଶ୍ୱରୀରୁ ଜେଡି (ଏସ) ପ୍ରାର୍ଥୀ ଜି ଟି ଦେବଗୌଡାଙ୍କ ଠାରୁ ପରାସ୍ତ ହୋଇଥିଲେ । କିନ୍ତୁ ବାଦାମିରେ ବିଜେପି ପ୍ରାର୍ଥୀ ବି ଶ୍ରୀରାମୁଲୁଙ୍କୁ ୧,୯୯୬ ଭୋଟର ପରାସ୍ତ କରିଥିଲେ । ୨୦୨୩ରେ ସିଦ୍ଧରମେୟା ବରୁଣାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ରାମନଗରରୁ ୨୦୧୮ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ବୋହୂ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀଙ୍କ ପତ୍ନୀ ଅନୀତା କୁମାରସ୍ୱାମୀ ନିର୍ବାଚିତ ହୋଇଥିଲେ । ଏଥର ପାର୍ଟି କୁମାରସ୍ୱାମୀଙ୍କ ପୁଅ ନିଖିଲଙ୍କୁ ପ୍ରାର୍ଥୀ କରିବ । ସେ ୨୦୧୯ ରେ ଲୋକସଭା ନିର୍ବାଚନରେ ହାରିଯାଇଥିଲେ। ମାଣ୍ଡ୍ୟା ଆସନରୁ ଜେଡି (ଏସ୍)ର ଏମ ଶ୍ରୀନିବାସ ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତ କରିଥିଲେ। ତୃତୀୟ ସ୍ଥାନରେ ଥିବା ବିଜେପି ପ୍ରାର୍ଥୀଙ୍କୁ ବର୍ତ୍ତମାନର ସ୍ୱାଧୀନ ସାଂସଦ ସୁମାଲାଥାଙ୍କ ସମର୍ଥନ ରହିଛି ।

୧୯୮୯ରୁ କନକାପୁରା ଆସରୁ ଲଗାତର ବିଜୟୀ ହୋଇଆସୁଛନ୍ତି କଂଗ୍ରେସର ରାଜ୍ୟ ସଭାପତି ଡି କେ ଶିବକୁମାର । ସେ ଏହି ଆସନରୁ ୭ଥର ବିଜୟୀ ହେଲେଣି । ୨୦୧୮ରେ ହାସନ ଆସନରୁ ବିଜେପିର ପ୍ରୀତମ ଗୌଡା ଜେଡି (ଏସ୍)ର ଏଚ୍ ଏସ୍ ପ୍ରକାଶଙ୍କୁ ପ୍ରାୟ ୧୩ ହଜାର ଭୋଟରେ ପରାସ୍ତ କରିଥିଲେ । ସେ ଜେଡି(ଏସ)ର ଦୁର୍ଗ ଭାଙ୍ଗି ଦେଇଥିଲେ । ଏଥର ଜେଡି (ଏସ୍) ଦେବଗୌଡାଙ୍କ ବୋହୂ ତଥା ଏଚ୍ ଡି ରେଭାନ୍ନାଙ୍କ ପତ୍ନୀ ଭବାନୀଙ୍କୁ ହାସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । କୋଲାରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା କରିଥିଲେ । ମାତ୍ର ଶେଷ ମୁହୂର୍ତ୍ତରେ ପ୍ରତ୍ୟାହାର କରିଥିଲେ। ଗତବର୍ଷ ଜୁନରେ ରାଜ୍ୟସଭା ନିର୍ବାଚନ ସମୟରେ ଜେଡି(ଏସ)ର କେଲାର ବିଧାୟକ କେ ଶ୍ରୀନିବାସ ଗୌଡା କଂଗ୍ରେସକୁ ସମର୍ଥନ କରିଥିଲେ ।

ଏବେ ଜେଡି (ଏସ୍) ନୂତନ ପ୍ରାର୍ଥୀ ସନ୍ଧାନରେ ଅଛି । ଜେଡି (ଏସ୍)ର ସେକେଣ୍ଡ୍ ଇନ୍-କମାଣ୍ଡ୍ ଏଚ୍ ଡି କୁମାରସ୍ୱାମୀ ସ୍ଥାନୀୟ ଶକ୍ତିଶାଳୀ ନେତା ସି ପି ଯୋଗେଶ୍ୱରଙ୍କୁ ପରାସ୍ତ କରିବା ପାଇଁ ୨୦୧୮ରେ ରାମନଗର ବଦଳରେ ଚାନ୍ନାପାଟନାରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିଲେ। କୁମାରସ୍ୱାମୀ ପୁଣି ଚାନ୍ନାପାଟନା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଶିକରିପୁରାରୁ ନିର୍ବାଚିତ ହୋଇଆସୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲିଙ୍ଗାୟତର ଶକ୍ତିଶାଳୀ ନେତା ବି ଏସ୍ ୟେଦୁୟୁରପ୍ପା ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି । ତାଙ୍କ ଦ୍ୱିତୀୟ ପୁଅ ବି ୱାଇ ବିଜୟେନ୍ଦ୍ର ଶିକରିପୁରାରୁ ପ୍ରାର୍ଥୀ ହେବେ । ଶିବାମୋଗ୍ଗାର ବିଧାୟକ କେ ଏସ୍ ଇଶ୍ୱରପ୍ପା ମନ୍ତ୍ରୀ ହୋଇଥିଲେ । ସେ ଲାଞ୍ଚ ନେବା ଅଭିଯୋଗରେ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ।

ପୁନର୍ବାର ସେ ଶିବାମୋଗ୍ଗାରୁ ପ୍ରାର୍ଥୀ ହେବେ । ସୋରବା ନିର୍ବାଚନମଣ୍ଡଳୀକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଏସ ବଙ୍ଗରାପ୍ପାଙ୍କ ଦୁଇ ପୁଅଙ୍କ ମଧ୍ୟରେ ବିବାଦ ଲାଗିରହିଛି । ଏସ ବଙ୍ଗରାପ୍ପାଙ୍କ ପୁଅ କୁମାର ବଙ୍ଗରପ୍ପା ବିଜେପି ବିଧାୟକ ଅଛନ୍ତି । ଅନ୍ୟ ଏକ ପୁଅ ମଧୁ ବଙ୍ଗରାପ୍ପାଙ୍କୁ ଗତଥର ଜେଡି (ଏସ୍) ଟିକେଟ ଦେଇଲା । କିନ୍ତୁ ସେ କଂଗ୍ରେସରେ ଯୋଗଦେଇଥିବାରୁ ସୋରବା ଆସନରେ ଜେଡି (ଏସ୍) ନୂଆ ପ୍ରାର୍ଥୀ ଦେଇଛି । ସାହୁକାରା ନାମରେ ପରିଚିତ ବେଲାଗାଭିର ଶକ୍ତିଶାଳୀ ଜାର୍କିହୋଲି ପରିବାରର ରମେଶ ଜାର୍କିହୋଲି ୧୯୯୯ରୁ ଗୋକାକ ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ଦୁଇବର୍ଷ ପୂର୍ବେ ଯୌନ କେଳେଙ୍କାରୀ ଅଭିଯୋଗରେ ଜାର୍କିହୋଲି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ କଂଗ୍ରେସ ଛାଡି ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ।୧୯୯୧ରୁ କ୍ରମାଗତ ଭାବେ ଲୋକସଭାକୁ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଆସୁଥିବା କେ ଏଚ୍ ମୁନିୟାପ୍ପା ଦେବନାହଲ୍ଲୀରୁ ବିଧାୟକ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି । ସେ ଜେଡି(ଏସ୍)ର ସ୍ଥାନୀୟ ବିଧାୟକ ନାରାୟଣ ସ୍ୱାମୀଙ୍କ ବିରୋଧରେ ପ୍ରାର୍ଥିପତ୍ର ଦାଖଲ କରିବେ ।

ବିଜେପିର ପୂର୍ବତନ ମନ୍ତ୍ରୀ ଜି ଜନାର୍ଦ୍ଦନ ରେଡ୍ଡୀ ଗଙ୍ଗାଭତୀରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିବା ପରେ ଏହି ଆସନର ଗୁରୁତ୍ୱ ବଢିଯାଇଛି । ଜନାର୍ଦ୍ଦନ ତାଙ୍କର ନୂତନ ଦଳ “କର୍ଣ୍ଣାଟକ ରାଜ୍ୟ ପ୍ରଗତି ପକ୍ଷରୁ ପ୍ରତିନିଧିତ୍ୱ କରିବେ । ଗଙ୍ଗାଭତୀ ଏବେ ବିଜେପି ଅଧୀନରେ ଅଛି । ଏଠାରୁ ବିଜୟୀ ହୋଇଛନ୍ତି ବିଜେପିର ପାରନା ଇଶ୍ୱରପ୍ପା ମୁନାଭାଲୀ । ବିବାଦୀୟ ବିବୃତ୍ତି ପାଇଁ ଜଣାଶୁଣା ବିଜେପିର ବାସନାଗୁଡା ପାଟିଲ ଯତନାଲ ବିଜୟପୁରର ବିଧାୟକ ଅଛନ୍ତି । ପୂର୍ବତନ ମନ୍ତ୍ରୀ ତଥା କଲ୍ୟାଣ ରାଜ୍ୟ ପ୍ରଗତି ପକ୍ଷର ମୁଖ୍ୟ ଜି ଜନାର୍ଦ୍ଦନ ରେଡ୍ଡୀ ତାଙ୍କ ପତ୍ନୀ ଅରୁଣା ଲକ୍ଷ୍ମୀଙ୍କୁ ବଲାରୀ ସହର ଆସନରୁ ବିଜେପିର ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି। ରେଡ୍ଡୀଙ୍କ ଭାଇ ଜି ସୋମାସେକରା ରେଡ୍ଡୀ ବଲାରୀ ସହରର ବିଜେପିରୁ ବିଧାୟକ ଅଛନ୍ତି ।

ଏଆଇସିସି ସଭାପତି ଏମ ମଲ୍ଲିକାର୍ଜୁନ ଖର୍ଗେଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ପ୍ରିୟଙ୍କ ଖର୍ଗେ ଚିତ୍ରପୁରରୁ ପୁନର୍ବାର ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ।ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ପାଞ୍ଚଥର ବିଧାୟକ ଜି ପରମେଶ୍ୱର କୋରାତଗେରରୁ ପୁନର୍ବାର ନିର୍ବାଚନ ଲଢିବେ । ମୁଖ୍ୟମନ୍ତ୍ରୀଙ୍କ ଆଶାୟୀମାନଙ୍କ ମଧ୍ୟରେ ଜି ପରମେଶ୍ୱର ମଧ୍ୟ ଅଛନ୍ତି । କର୍ଣ୍ଣାଟକ ବିଧାନସଭାର କଂଗ୍ରେସ ମୁଖ୍ୟ ସଚେତକ ୟୁ ଟି କାଦର ଅଲି ଫରିଦଙ୍କୁ ମାଙ୍ଗାଲୁରୁ ଆସନରୁ ଦଳ ପୁଣି ଥରେ ପ୍ରାର୍ଥୀ କରିଛି । ସେ ବିଜେପିର ଗଡ଼ କୁହାଯାଉଥିବା ଦକ୍ଷିଣ କନ୍ନଡ ଜିଲ୍ଲାର ଏକମାତ୍ର କଂଗ୍ରେସ ବିଧାୟକ। ବିଜେପି ଜାତୀୟ ସାଧାରଣ ସମ୍ପାଦକ ତଥା ଚାରିଥର ବିଧାୟକ ସି ଟି ରବି ଚିକ୍କମାଗାଲୁରୁ ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି।

Leave A Reply

Your email address will not be published.