Before Header

ଜଗା-ଜାଗା-ବଡ଼ ଖବର

0 973

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଶ୍ରୀଜଗନ୍ନାଥ ପ୍ରତିଟି ଓଡ଼ିଆଙ୍କ ମୁରବୀ । ସବୁ କାର୍ଯ୍ୟ ତାଙ୍କରି ନିର୍ଦ୍ଦେଶରେ । ଏଇ ଯେମିତି ଗତ ସ୍ୱାଧୀନତା ଦିବସରେ । ଭୁବନେଶ୍ୱର ଟଙ୍କପାଣି ସାଇ ମନ୍ଦିର ଛକ ନିକଟସ୍ଥ ଆଇବିଏଲ ହାଉସ୍ ପରିସର ଉତ୍ସବମୁଖର ହୋଇଉଠିଥିଲା । ଅବସର ଥିଲା ୨୪ ଘଣ୍ଟିଆ ସ୍ୟାଟେଲାଇଟ୍ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ‘ବଡ଼ ଖବର’ର ଲୋଗୋ ଉନ୍ମୋଚନ ଉତ୍ସବ । ଉତ୍ସବକୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇ ଆସିଥିଲେ ବିଶ୍ୱନିୟନ୍ତା ଶ୍ରୀଜଗନ୍ନାଥ, ମା’ ସୁଭଦ୍ରା, ବଡ଼ ଠାକୁର ବଳଭଦ୍ର ଓ ଚକ୍ରରାଜ ସୁଦର୍ଶନ । ଅନ୍ୟ ଉତ୍ସବରେ ଅତିଥିମାନଙ୍କୁ ଦେବତା ସହ ତୁଳନା କରାଯାଏ । ଏଠି କିନ୍ତୁ ସ୍ୱୟଂ ଦେବତା ହିଁ ଅତିଥି ଥିଲେ । ଯାହା ‘ବଡ଼ ଖବର’ ପରିବାରକୁ କୃତାର୍ଥ କରିଥିଲା । ପୂଜାର୍ଚ୍ଚନା ପରେ ଚ୍ୟାନେଲର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜ୍ଞା ନେଇ ଲୋଗୋ ଲୋକାର୍ପଣ କରିଥିଲେ । ପୂରା ପରିବେଶ ଥିଲା ଦିବ୍ୟ, ଆଧ୍ୟାତ୍ମିକ ଓ ଆଶୀର୍ବାଦମୟ । ମହାପ୍ରଭୁଙ୍କ ଉପସ୍ଥିତିକୁ ସମସ୍ତେ ଯେମିତି ଅନୁଭବ କରିପାରୁଥିଲେ ।
ସେପଟେ ‘ବଡ଼ ଖବର’ର ମୁଖ୍ୟାଳୟ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଅନ୍ୟତ୍ର ଆଗେଇ ଚାଲିଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପାଖେଇ ଆସୁଥିଲା ଲୋକଙ୍କ ଚ୍ୟାନେଲ ‘ବଡ଼ ଖବର’ର ଶୁଭ ଉଦଘାଟନ ମୁହୂର୍ତ୍ତ । ମୁଖ୍ୟ କାର୍ଯ୍ୟାଳୟ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲା । ଚତୁର୍ଦ୍ଧାମୂର୍ତ୍ତି ବି ଆଇବିଏଲ ହାଉସରୁ ସ୍ଥାନାନ୍ତରିତ ହେଲେ । କିନ୍ତୁ ସେଇଠୁ ଆରମ୍ଭ ହେଲା କାଳିଆ ଠାକୁରଙ୍କ ଭିନ୍ନ ଏକ ଲୀଳା । ସବୁ କିଛି ଓଲଟପାଲଟ ହେଲା । ଉଦଘାଟନ ସମୟ ନିକଟତର ଥିଲା, କିନ୍ତୁ ବଡ଼ ଖବର ଟିମକୁ ଶେଷ ମୁହୂର୍ତ୍ତରେ ମୁଖ୍ୟାଳୟ ଛାଡ଼ିବାକୁ ପଡ଼ିଲା । ହେଲେ ଏ ବିପଦ ଯେମିତି ଜଗାର ମାୟା ହିଁ ଥିଲା । ସେ ପୁଣି ‘ବଡ଼ ଖବର’କୁ ଭିଡ଼ି ନେଲେ ସେହି ଜାଗାକୁ ଯେଉଁଠି ୨ ମାସ ତଳେ ଲୋଗୋ ଲୋକାର୍ପଣ ବେଳେ ପ୍ରଥମଥର ସ୍ଥାପିତ ହୋଇଥିଲେ । ଘଟଣାକ୍ରମ କିଛି ଚମତ୍କାରଠୁ କମ୍ ନୁହେଁ । ଚ୍ୟାନେଲ ଉଦଘାଟନ ଦିନ ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ବେଶ୍ ଭାବବିହ୍ୱଳ ସହ ଏ ଅନୁଭବର ବାଖ୍ୟା କରିଥିଲେ ।

ମାତ୍ର କେଇଟା ଦିନ ଭିତରେ ନୂଆ ମୁଖ୍ୟାଳୟ ପ୍ରସ୍ତୁତି କାର୍ଯ୍ୟ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନ ବିଜୟା ଦଶମୀରେ ‘ବଡ଼ ଖବର’ ଉଦଘାଟିତ ମଧ୍ୟ ହୋଇଛି । ତେବେ ଶେଷ ସମୟରେ ପୂରା ଟିମ୍ ଉପରେ କାର୍ଯ୍ୟ ଚାପ ଅତ୍ୟଧିକ ରହିଥିଲା । ତେଣୁ ଡିଷ୍ଟ୍ରିବ୍ୟୁସନ କ୍ଷେତ୍ରରେ ସାମାନ୍ୟ ସମସ୍ୟା ହୋଇଛି । ଅନେକ ଦର୍ଶକ ନିଜର ପ୍ରିୟ ‘ବଡ଼ ଖବର’ ଦେଖିବାରୁ ବଞ୍ଚିତ ହୋଇଛନ୍ତି । କିଛି ଦିନ ମଧ୍ୟରେ ଏସବୁ ସମାଧାନ ହେବ । କେଉଁ ପ୍ଲାଟଫର୍ମରେ କେତେ ନମ୍ବରରେ ‘ବଡ଼ ଖବର’ ଆପଣମାନେ ଦେଖିପାରିବେ ତାହା ଅବଗତ କରାଯିବ ବୋଲି ଚ୍ୟାନେଲର ସାଧାରଣ ପରିଚାଳକ କୀର୍ତ୍ତିକ ଚନ୍ଦ୍ର ରାୟ କହିଛନ୍ତି ।
ଏ ସବୁ ଭିତରେ ଗୋଟିଏ କଥା ନିଶ୍ଚୟ କହିବୁ, ଆଗକୁ ସବୁ ଶୁଭ ହେବ । ସାଧାରଣ ଲୋକଙ୍କ ଲଢେଇ ତୀବ୍ର ହେବ । କାହିଁକି ନା ଜଗା ଫେରିଆସିଛନ୍ତି ତାଙ୍କର ପସନ୍ଦର ଜାଗାକୁ । ବଡ଼ ଠାକୁରଙ୍କ ଆଶୀର୍ବାଦ ଓ ଆପଣଙ୍କ ସହଯୋଗ ‘ବଡ଼ ଖବର’କୁ ସବୁ ବିପଦରେ ସାହସ ଦେଉ ।

Leave A Reply

Your email address will not be published.