Before Header

ଶିକ୍ଷା-ସମ୍ପତ୍ତିରେ ଦୀପାଲି ଆଗୁଆ, ମା’ଙ୍କ ପାଖରେ ରହିଛି ୮୧ ଗାଡ଼ି

0 455

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ ହେବ ଜୋରଦାର ଫାଇଟ । ନାମାଙ୍କନ ଦାଖଲ କରି ସାରିଛନ୍ତି ୩ ପ୍ରମୁଖ ଦଳ । ବିଜଡେିରୁ ଦୀପାଲି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ, କଂଗ୍ରେସରୁ ତରୁଣ ପାଣ୍ଡେ ବିଶାଳ ପଟୁଆରରେ ଦଳର ବରିଷ୍ଠ ନେତା ମାନଙ୍କ ସହ ଆସି ନାମାଙ୍କନ ଭରିଛନ୍ତି । ୩ ପ୍ରାର୍ଥୀ ସତ୍ୟପାଠ ବି ଦାଖଲ କରିଛନ୍ତି । ଶିକ୍ଷା ଓ ସମ୍ପତ୍ତିରେ ଉଭୟରେ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଲି । କାହାର ଶିକ୍ଷାଗତ ଯୋଗ୍ୟତା କେତେ କାହା ପାଖରେ କେତେ ଧନ ସବୁର ସତ୍ୟପାଠ ଦାଖଲ ହୋଇଛି ।

ଦୀପାଲି ଦାସ

ଶିକ୍ଷା ଓ ସମ୍ପତ୍ତି ଉଭୟରେ ଦୀପାଲି ଆଗରେ ରହିଛନ୍ତି । ଦୀପାଲିଙ୍କ ଶିକ୍ଷାଗତ ଯୋଗ୍ୟତା ଏମବିଏ । ଏବଂ ତାଙ୍କ ନାଁରେ ଗୋଟେଏ ମାମଲା ମଧ୍ୟ ରହିଛି । ଗତ ଆର୍ଥିକ ବର୍ଷରେ ଦୀପାଳିଙ୍କ ଆୟ ୭୨ ଲକ୍ଷ ୮୭ ହଜାର ୯୪୦ ଟଙ୍କା ରହିଥିଲା। ଏହା ସହିତ ତାଙ୍କ ମାଙ୍କ ଆୟ ୪ କୋଟି ୬୮ ଲକ୍ଷ ୬୭ ହଜାର ୬୬୦ ଟଙ୍କା ଥିଲା। ଦୀପାଳିଙ୍କ ହାତରେ ୨ ଲକ୍ଷ ୮୫ ହଜାର ଟଙ୍କା ଥିବା ବେଳେ ତାଙ୍କ ନାଁରେ ୪୨ ଲକ୍ଷ ଟଙ୍କାର ଗୋଟିଏ ଏକ୍ସାଭେଟର ରହିଛି। ଦୀପାଳିଙ୍କର ମୋଟ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୮୮ ଲକ୍ଷ ୬ ହଜାର ୪୩୬ ଟଙ୍କା ରହିଛି। ତାଙ୍କ ନାଁରେ ୨୬ ଲକ୍ଷ ୭୧ ହଜାର ୬୬୩ ଟଙ୍କାର ଋଣ ରହିଥିବା ନେଇ ସେ ସତ୍ୟପାଠରେ ଦର୍ଶାଇଛନ୍ତି। ତେବେ ଦୀପାଳିଙ୍କ ମାଆଙ୍କ ନାଁରେ ରହିଛି- ୩୨ କୋଟି ୫୨ ଲକ୍ଷ ୮୧ ହଜାର ୪୪୩ ଟଙ୍କାର ଅସ୍ଥାବର ସଂପତ୍ତି ରହିଛି । ତାଙ୍କ ମାଙ୍କ ହାତରେ ୮ ଲକ୍ଷ ୬୦ ହଜାର ଟଙ୍କା ଥିବା ବେଳେ ୮୧ଟି ଗାଡ଼ି ରହିଛି। ସୁନା ଗହଣା ମାମଲାରେ ଦୀପାଳି ପଛୁଆ ରହିଛନ୍ତି। ଦୀପାଳି ତାଙ୍କ ନିକଟରେ କୌଣସି ଗହଣା ରଖି ନ ଥିବା ନେଇ ସତ୍ୟପାଠରେ ଦର୍ଶାଇଛନ୍ତି । କିନ୍ତୁ ତାଙ୍କ ମାଆଙ୍କ ପାଖରେ ୩୩୦ ଗ୍ରାମ ସୁନା ଓ ୮୫୦ ଗ୍ରାମ ରୁପା ରହିଛି ।

ଟଙ୍କଧର ତ୍ରିପାଠୀ

ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଦ୍ୱିତୀୟରେ ରହିଛି । ଟଙ୍କଧରଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ବିଏ, ଏଲଏଲବି । ଏବଂ ଟଙ୍କଧରଙ୍କ ନାଁରେ ରହିଛି ୯ ମାମଲା । ଗତ ଆର୍ଥିକ ବର୍ଷରେ ଟଙ୍କଧରଙ୍କ ରୋଜଗାର ୯ ଲକ୍ଷ ୩୮ ହଜାର ୩୩୦ ଟଙ୍କା ରହିଥିଲା। ତାଙ୍କ ହାତରେ ଏବେ ୧ ଲକ୍ଷ ୮୭ ହଜାର ଟଙ୍କା ଥିବାବେଳେ ତାଙ୍କ ନାମରେ ୨ଟି କାର୍ ଓ ଗୋଟିଏ ଓମନି ବସ୍‌ ରହିଛି। ତାଙ୍କ ମୋଟ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୫୧ ଲକ୍ଷ ୯୫ ହଜାର ୨୪୯ ବୋଲି ସେ ସତ୍ୟପାଠରେ ଦର୍ଶାଇଛନ୍ତି। ଏଥିସହ ଟଙ୍କଧର ନିଜ ପାଖରେ ୫୭ ଗ୍ରାମ ଓ ପରିବାରର ଅନ୍ୟ ସଦସ୍ୟଙ୍କ ପାଖରେ ୧୮୯ ଗ୍ରାମ ସୁନା ରହିଛି ।

 

ତରୁଣ ପାଣ୍ଡେ

୩ ପ୍ରାର୍ଥୀଙ୍କ ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ତୃତୀୟରେ ରହିଛନ୍ତି । ତାଙ୍କ ନାମରେ କୌଣସି ଅପରାଧିକ ମାମଲା ନାହିଁ । ତରୁଣ ବିଇ ପାଠ୍ୟକ୍ରମ ଅଧାରୁ ଛାଡ଼ିଥିବା ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି। ତରୁଣଙ୍କ ଗତ ଆର୍ଥିକ ବର୍ଷରେ ୪ ଲକ୍ଷ ୬୪ ହଜାର ୭୪୦ ଟଙ୍କା ଆୟ ହୋଇଥିଲା। ତାଙ୍କ ହାତରେ ଏବେ ୫୦ ହଜାର ଟଙ୍କା ଥିବା ବେଳେ ତାଙ୍କ ନାମରେ ଗୋଟିଏ କାର୍‌ ଓ ଗୋଟିଏ ଆକ୍ଟିଭା ରହିଛି। ତେବେ ତରୁଣଙ୍କ ନାମରେ ମୋଟ ୧୧ ଲକ୍ଷ ୬୬ ହଜାର ୬୨୪ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବା ସେ ଦର୍ଶାଇଛନ୍ତି। ଏବଂ ତରୁଣଙ୍କ ନିକଟରେ ୨୦ ଗ୍ରାମ ଓ ତାଙ୍କ ପରିବାର ଲୋକଙ୍କ ନିକଟରେ ୫୦ ଗ୍ରାମର ସୁନା ଅଳଙ୍କାର ରହିଥିବା ସତ୍ୟପାଠରେ କହିଛନ୍ତି । ଏହାବାଦ୍‌ ତରୁଣଙ୍କ ନାଁରେ ୧୨ ଲକ୍ଷ ଟଙ୍କାର ଋଣ ବି ରହିଛି।

Leave A Reply

Your email address will not be published.