ଚଳିତ ବର୍ଷ ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ । ଏହି ଦିନ ବ୍ରିିଟିଶ ମାନଙ୍କ କବଳରୁ ମୁକ୍ତ ହୋଇଥିଲା ଭାରତ । ବ୍ରିଟିଶ ମାନଙ୍କ କବଳରୁ ଭାରତକୁ ମୁକ୍ତ କରିବାରେ ଅନେକ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଜାତିରପିତା ମହାତ୍ମା ଗାନ୍ଧିଙ୍କଠାରୁ ଆରମ୍ଭ କରି ବୀର ସୁରେନ୍ଦ୍ର ସାଏଙ୍କ ପର୍ଯ୍ୟନ୍ତ ବହୁ ସ୍ୱାଧୀନତା ସଂଗ୍ରାମୀ ଦେଶକୁ ସ୍ୱାଧୀନ କରିବା ପାଇଁ ନିଜ ଜୀବନକୁ ବଳିଦାନ ଦେଇଛନ୍ତି । ଦେଶକୁ ସ୍ୱାଧୀନ କରିବାରେ ବୀର ପୁରୁଷଙ୍କ ପରି ନାରୀ ମାନଙ୍କ ଭୂମିକା ମଧ୍ୟ ବେଶ ଗୁରୁତ୍ତ୍ୱପୂର୍ଣ୍ଣ । ସେ ସମୟର ସାମାଜିକ ପରିସ୍ଥିତି ସତ୍ୱେ ଦେଶ ସ୍ୱାଧୀନତା ପାଇଁ ଭାରତୀୟ ନାରୀମାନେ ସଂଗ୍ରାମରେ ଝାସ ଦେଇଥିଲେ । ନିଜ ଜୀବନକୁ ବାଜି ଲଗାଇ ବହୁ ସଂଘର୍ଷ କରି ଆମକୁ ନେଇଯାଇଥିଲେ ସ୍ୱାଧୀନତାର ଦିଗକୁ । ସ୍ୱାଧୀନତା ସଂଗ୍ରାମରେ ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କ ଭୂମିକା ଅମୂଲ୍ୟ ଅଟେ । ତାଙ୍କ ମନରେ ସାହସ ଓ ଦେଶପ୍ରେମର ଏକ ଦୃଢ ଭାବନା ଥିଲା । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଯିଏ ଦେଶ ପାଇଁ ହସି ହସି ନିଜ ଜୀବନକୁ ବଳି ଦେଇଛନ୍ତି ।
ଲକ୍ଷ୍ମୀ ଇନ୍ଦିରା ପଣ୍ଡା : ସେହିଭଳି ଜଣେ ନାରୀ ବିପ୍ଳବୀ ହେଉଛନ୍ତି ଓଡିଆ ଝିଅ ଲକ୍ଷ୍ମୀ ଇନ୍ଦିରା ପଣ୍ଡା । ତାଙ୍କର ଜନ୍ମ କିନ୍ତୁ ହୋଇଥିଲା ମିଆଁମାରରେ । ୧୯୩୦ ମସିହାରେ ମିଆଁମାରରେ ଜନ୍ମ ହୋଇଥିଲେ ମହାନ ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡା । ତାଙ୍କ ପିତାମାତା ବ୍ରିଟିଶ ସରକାରଙ୍କ ଅଧୀନରେ ରେଳବାଇରେ କାମ କରୁଥିଲେ । ଗୋରା ସରକାରଙ୍କ ହାତରେ ତାଙ୍କ ପିତାମାତାଙ୍କର ହତ୍ୟା ପରେ ଲକ୍ଷ୍ମୀ ଓ ତାଙ୍କ ସାନଭାଇ ଅତି ଦୟନୀୟ ଅବସ୍ଥାରେ ରହୁଥିଲେ । କାମ ଖୋଜିବାକୁ ଲକ୍ଷ୍ମୀ ନେତାଜୀଙ୍କ ଆଇଏନଏ ଶିବିର ନିକଟରେ ପହଞ୍ଚିଥିଲେ ।
କିନ୍ତୁ ସିପାହୀମାନେ ତଙ୍କୁ ବୟସ କମ୍ କହି ଫେରାଇ ଦେଇଥିଲେ । କିନ୍ତୁ ଲକ୍ଷ୍ମୀ ନଫେରି ନେତାଜୀଙ୍କୁ ଅପେକ୍ଷା କରି ରହିଲେ । ନେତାଜୀ ଆସିବା ପରେ ତାଙ୍କୁ ଅଟକାଇ ନିଜର ସବୁ କଥା କହିଥିଲେ । ଏଥିରେ ନେତାଜୀ ଓ ସଂପୂର୍ଣ୍ଣ ସେନା ଭାବପ୍ରବଣ ହୋଇଗଲେ ଏବଂ ତାଙ୍କୁ ତୁରନ୍ତ ସେନାରେ ଭର୍ତ୍ତି ପାଇଁ ଆଦେଶ ଦେଇଥିଲେ । ଲକ୍ଷ୍ମୀ ପଣ୍ଡା ଓଡିଆ ବୋଲି ଜାଣିବା ପରେ ନେତାଜୀଙ୍କର ତାଙ୍କ ପ୍ରତି ଅନୁକମ୍ପା ଓ ବିଶ୍ୱାସ ଅଧିକ ବଢିଗଲା । ଲକ୍ଷ୍ମୀଙ୍କର ପ୍ରଖର ବୁଦ୍ଧି ଓ ରଣକୌଶଳ ପାଇଁ ନେତାଜୀ ତାଙ୍କୁ ଝାନୀ୍ସରାଣୀ ରେଜିମେଣ୍ଟରେ ଲକ୍ଷ୍ମୀ ସେହଗଲଙ୍କ ଅଧୀନରେ କାର୍ଯ୍ୟ କରିବାକୁ ଆଦେଶ ଦେଲେ ।
ସେତେବେଳେ ତାଙ୍କୁ ମାତ୍ର ୧୪ ବର୍ଷ ବୟସ ହୋଇଥିଲା । ଲକ୍ଷ୍ମୀ ନେତାଜୀଙ୍କ ‘ଭାରତୀୟ ଜାତୀୟ ସେନା’ରେ ଯୋଗ ଦେଇ ଦେଶ ପାଇଁ ଲଢିଥିଲେ । ଲକ୍ଷ୍ମୀ ସେହଗଲଙ୍କ ସହ ତାଙ୍କ ନାମ ଖାପ ଖାଉଥିବାରୁ ନେତାଜୀ ତାଙ୍କୁ ନୂଆ ନାମ ‘ଇନ୍ଦିରା’ ଦେଇଥିଲେ । ତେଣୁ ପରେ ସେ ଲକ୍ଷ୍ମୀ ଇନ୍ଦିରା ନାଁରେ ପରିଚିତ ହୋଇଥିଲେ । ୬ମାସର କଠୋର ଟ୍ରେନିଂ ପରେ ଲକ୍ଷ୍ମୀଙ୍କୁ ଇଣ୍ଡିିଆ-ବର୍ମା ବର୍ଡରରେ ନିୟୋଜିତ କରାଗଲା । ସେତେବେଳେ ଇଂରେଜଙ୍କ ବିରୋଧରେ ଖବର ସଂଗ୍ରହ କରିବା ଦୁଃସାଧ୍ୟ ଥିଲା ।
କିନ୍ତୁ ଏଥିରେ ବି ସେ ସଫଳ ହୋଇଥିଲେ । ସ୍ୱାଧୀନତା ସମୟରେ ବ୍ରିଟିଶ ସରକାର ହାତରେ ଧରାପଡି କାରାରାଦଣ୍ଡରୁ ବଞ୍ଚିଗଲେ ସିନା ହେଲେ ସେନା ନଜରରେ ପଡିବା ଭୟରେ ନିଜର ସବୁ ମେଡାଲ, ସାର୍ଟିଫିକେଟ ଏପରିକି ସେନା ୟୁନିଫର୍ମକୁ ଫିଙ୍ଗିଦେଇ ଭାରତ ଫେରିଆସିଲେ । ଓଡିଶା ଫେରି ସେ ଭାରତୀୟ ଜାତୀୟ ସେନାର ଅନ୍ୟତମ ସହଯୋଗୀ ଖଗେଶ୍ୱର ପଣ୍ଡାଙ୍କୁ ବିବାହ କରିଥିଲେ । ୨୦୦୮ ଅକ୍ଟୋବର ୨୫ ତାରିଖରେ ପୂର୍ବତନ ରଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ ତାଙ୍କୁ ‘ରାଷ୍ଟୀୟ ସ୍ୱତନ୍ତ୍ର ସୈନିକ ସମ୍ମାନ’ରେ ସମ୍ମାନିତ କରିଥିଲେ । ସମ୍ମାନିତ ହେବାରୁ ମାତ୍ର ୨ ସପ୍ତାହ ପରେ ଲକ୍ଷ୍ମୀପଣ୍ଡାଙ୍କର ବିୟୋଗ ଘଟିଲା । ଓଡିଶା ସରକାର ଲକ୍ଷ୍ମୀ ପଣ୍ଡାଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭାବେ ସ୍ୱୀକୃତି ଦେଇଥିଲେ ।