Before Header

ରାଜ୍ୟସଭାରେ ଆଗତ ହେବ ନୂଆ ଆଇନ ବିଲ୍

0 690

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ରାଜ୍ୟସଭାରେ ଆଗତ ହେବ ୩ ସଂଶୋଧିତ ନୂଆ ଆଇନ ବିଲ୍ । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା, ଭାରତୀୟ ସାକ୍ଷ୍ୟ ଆଇନ । ଗତକାଲି ଲୋକସଭାରେ ପାରିତ ହେବା ପରେ ଆଜି ରାଜ୍ୟସଭାରେ ଏହାକୁ ଉପସ୍ଥାପନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାଜ୍ୟସଭାରେ ପାରିତ ହେଲେ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯିବ । ତା ପରେ ଏହା ଆଇନରେ ପରିଣତ ହେବ । ଏଥିସହ ବ୍ରିଟିଶ୍ ଅମଳର ଇଣ୍ଡିଆନ୍ ପେନାଲ୍ କୋଡ୍-IPC, କୋଡ୍ ଅଫ୍ କ୍ରିମିନାଲ୍ ପ୍ରସିଜ୍ୟୋର-CRPC ଏବଂ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟରେ ବିରାମ ଲାଗିବ ।

ବୁଧବାର ଅପରାଧିକ ଆଇନ୍ ସହ ଜଡ଼ିତ ତିନୋଟି ବିଲ୍ ଲୋକସଭାରେ ପାରିତ ହୋଇଛି । ଏବେ ଏହାକୁ ରାଜ୍ୟସଭାରେ ମଧ୍ୟ ଉପସ୍ଥାପନ କରାଯିବ । ରାଜ୍ୟସଭାରେ ଏହି ବିଲ୍ ପାରିତ ହେବା ପରେ ମଞ୍ଜୁରୀ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ । ଆତଙ୍କବାଦ, ମହିଳାଙ୍କ ପ୍ରତି ଅପରାଧ, ଦେଶଦ୍ରୋହ ଏବଂ ଭିଡ ହିଂସା (ମୋବ୍ ଲିଞ୍ଚିଂ) ସହ ଜଡିତ ମାମଲାଗୁଡ଼ିକୁ ଏହି ନୂତନ ବ୍ୟବସ୍ଥା ବା ଏହି ନୂଆ ଆଇନରେ ପ୍ରବର୍ତ୍ତିତ ହୋଇଛି । ଲୋକସଭାରେ ଏହି ବିଲ୍‌କୁ ଆଗତ କରିବା ସମୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି, ନୂଆ ଅପରାଧ ଆଇନ୍‌ରେ ଇଂରେଜ ଶାସନ ସମୟର ରାଜଦ୍ରୋହ ଆଇନ୍‌କୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିନିଆଯାଇଛି ।

ରାଜଦ୍ରୋହ ଆଇନ୍ ବଳରେ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ରାଜଗଙ୍ଗାଧର ତିଲକଙ୍କ ଭଳି ସ୍ୱତନ୍ତ୍ର ସେନାନୀ ଅନେକ ଥର ଜେଲଦଣ୍ଡ ଭୋଗିଛନ୍ତି । ଏହି ଆଇନ୍ ଆଜି ପର୍ଯ୍ୟନ୍ତ ଚାଲିଆସୁଥିଲା । କିନ୍ତୁ ମୋଦି ସରକାର ପ୍ରଥମ ଥର ପାଇଁ ଏକ ଐତିହାସିକ ନିଷ୍ପତ୍ତି ନେଇ ରାଜଦ୍ରୋହ ଧାରା ୧୨୪ ଭଳି ଏକ ଆଇନ୍‌କୁ ଉଚ୍ଛେଦ କରିଦେଇଛନ୍ତି । ତେବେ ରାଜଦ୍ରୋହ ବଦଳରେ ଏପ୍ରକାର ଘଟଣାକୁ ଏବେ ଦେଶଦ୍ରୋହ ଭାବେ ଅଭିହିତ କରାଯିବ । ଆଜାଦ୍ ଭାରତ ବର୍ଷରେ ପ୍ରଚଳିତ ଲୋକତାନ୍ତ୍ରିକ ବ୍ୟବସ୍ଥା ଅନ୍ତର୍ଗତ ଯେକେହି ବି ସରକାରଙ୍କ ସମ୍ପର୍କରେ ଆଲୋଚନା କରିପାରିବେ ବା ମତ ଦେଇପାରିବେ । କିନ୍ତୁ ଦେଶର ସୁରକ୍ଷା ଏବଂ ଜାତୀୟ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବ । ସେହିପରି ନାବାଳିକା ଦୁଷ୍କର୍ମକାରୀଙ୍କୁ ସିଧାସଳଖ ଫାଶୀଦଣ୍ଡ ମିଳିବ । ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ୍ କିମ୍ବା ବଞ୍ôଚଥିବା ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ହେବ । ପୂର୍ବରୁ ହତ୍ୟା ଅପରାଧ କ୍ଷେତ୍ରରେ ଧାରା ୩୦୨ ଲାଗୁ ହେଉଥିବା ବେଳେ ଏବେ ଏହାକୁ ଧାରା ୧୦୧ କରାଯାଇଛି ।

କିନ୍ତୁ ନାବାଳିକାଙ୍କ ସହ ଦୁଷ୍କର୍ମ ଏବଂ ମୋବ୍ ଲିଞ୍ଚିଂ ଭଳି ଅପରାଧରେ ଫାଶୀଦଣ୍ଡ ଭଳି ଦଣ୍ଡାଦେଶ ମିଳିବାର ପ୍ରାବଧାନ କରାଯାଇଛି । ସେହିପରି ସଶସ୍ତ୍ର ବିଦ୍ରୋହ କିମ୍ବା ଜାତୀୟ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଭଳି ମାମଲାରେ ଜେଲ୍‌ଦଣ୍ଡର ପ୍ରାବଧାନ କରାଯାଇଛି । ସ୍ୱରାଷ୍ଟ୍ର ମମନ୍ତ୍ରୀ ଅମିତ୍ ଶାହା ପ୍ରସ୍ତୁତ କରିଥିବା ଏହି ଅପରାଧିକ ବିଲ୍‌ରେ ମୋଟାମୋଟି ସବୁ ପ୍ରକାର ଅପରାଧ କ୍ଷେତ୍ରରେ ସଂଶୋଧନ ତଥା ନୂଆ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି । ଯାହାକି ନ୍ୟାୟପାଳିକା ପାଇଁ ଏଣିକି ଦଣ୍ଡାଦେଶ ଶୁଣାଇବା କ୍ଷେତ୍ରରେ ବେଶ ସହଜ ତଥା ସରଳ ହୋଇପାରିବ ବୋଲି କୁହାଯାଉଛି । ତେବେ ଏସବୁଥିରେ ସବୁଠୁ ବଡ଼ କଥା ହେଉଛି, ଏହି ନ୍ୟାୟିକ ବ୍ୟବସ୍ଥାରେ ପୁଲିସ୍ ପ୍ରଶାସନର ଭୂମିକାକୁ ମଧ୍ୟ ବଢ଼ାଇ ଦିଆଯାଇଛି । ପୂର୍ବରୁ କୌଣସି ଅପରାଧରେ ବ୍ୟକ୍ତିବିଶେଷଙ୍କୁ ଗିରଫ କରାଗଲେ ତା’ର ଘର ପରିବାର ଆତ୍ମୀୟ ସ୍ୱଜନକୁ ଏସମ୍ପର୍କରେ ପୁଲିସ୍ ଜଣାଇବାକୁ ପଡୁନଥିଲା ।

କିନ୍ତୁ ନୂଆ ଆଇନ୍ ବ୍ୟବସ୍ଥା ଅନୁସାରେ ଏଣିକି ପୁଲିସ୍ ଅଭିଯୁକ୍ତର ପରିବାର ସଦସ୍ୟଙ୍କୁ ଜଣାଇବାକୁ ବାଧ୍ୟ ହେବ । କୌଣସି ଅପରାଧିକ ମାମଲାରେ ୯୦ ଦିନ ମଧ୍ୟରେ କ’ଣ ସବୁ ଘଟିଯାଇଛି ବା ତଦନ୍ତର ଅଗ୍ରଗତି ସମ୍ପର୍କରେ ପୀଡ଼ିତଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିବାର ଦାୟିତ୍ୱ ମଧ୍ୟ ପୁଲିସ୍ ବିଭାଗ ଉପରେ ଲଦିଦିଆଯାଇଛି । ଏତଦ୍‌ବ୍ୟତୀତ ଅଭିଯୋଗ ହେବାମାତ୍ରେ ପୁଲିସ୍‌କୁ ଏଫଆଇଆର ରେଜିଷ୍ଟର କରିବାକୁ ହେବ ଏବଂ ଅପରାଧିକ ଆଇନ୍‌ର ଧାରା ଅନ୍ତର୍ଗତ ନିର୍ଦ୍ଧାରିତ ସମୟ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ହେବ । ଏଣିକି ଆଉ କୌଣସି ଅପରାଧିକ ମାମଲାରେ ପୁଲିସ୍ ତଦନ୍ତ ଚାଲିଛି ବୋଲି କହି ରିପୋର୍ଟ ଦାଖଲ କରିବାରେ ଅହେତୁକ ବିଳମ୍ବ କରିପାରିବେନି ।

Leave A Reply

Your email address will not be published.