ବରଗଡ଼ (ବଡ଼ ଖବର ବ୍ୟୁରୋ): ବରଗଡ଼ ସଦର ଥାନା ଧାଙ୍ଗେର ଗାଁ ସ୍ଥିତ ଦିଲୀପ କୁମାର ପଣ୍ଡାଙ୍କ ଆଲମିରା କାରଖାନା ଐରାବତ ଷ୍ଟିଲରେ କାର୍ଯ୍ୟରତ ମ୍ୟାନେଜର ଅକ୍ଷୟ କୁମାର ଧଳଙ୍କ ସମେତ ୨ କର୍ମଚାରୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଛି । ଏନେଇ ବରଗଡ଼ ସଦର ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣରେ ମ୍ୟାନେଜର ଧଳ ଗୁରୁତର ଆହତ ହୋଇ ବୁର୍ଲା ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। କେତେକ ଦୁର୍ବୃତ୍ତ ତାଙ୍କଠାରୁ ୩ ଲକ୍ଷ ୫୬ ହଜାର ଟଙ୍କା ଲୁଟିବା ସହ ୪ ବାଇକ, ଗୋଟିଏ କାର ଓ ଗୋଟିଏ ମାଲ ବୋଝେଇ ଟାଟା ଏସିଇକୁ ଓଲଟାଇ ନଷ୍ଟ କରିଦେଇଥିବା ଦିଲୀପ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏହି ଘଟଣାକୁ ନେଇ ସଦର ଥାନାରେ ଏକ ଲୁଟ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ୮ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆକ୍ରମଣରେ ସାମିଲ ଥିବା ଅଭିଯୋଗରେ ଦର୍ଶାଇଛନ୍ତି । ସାମାନ୍ୟ ବଚସାକୁ କେନ୍ଦ୍ର କରି ଏହି ଘଟଣା ଘଟିଛି ବୋଲି କହିଛନ୍ତି ଦିଲୀପ । ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଧରାଯିବ ବୋଲି କହିଛନ୍ତି ବରଗଡ଼ ସଦର ଥାନା ଅଧିକାରୀ ଦିଲୀପ କୁମାର ବେହେରା । ତେବେ କେଉଁ କାରଣରୁ ଆଲମିରା କାରଖାନାର ମ୍ୟାନେଜର ଓ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ ବଚସା ହେଲା ତାହା ସ୍ପଷ୍ଟ ହୋଇନାହିଁ।

Leave a Reply

Your email address will not be published. Required fields are marked *