କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଭୁବନ ବ୍ଲକ ମଠକରଗୋଳା ପଞ୍ଚାୟତ ସରନଖିତ ଜଙ୍ଗଲ ମଧ୍ୟରେ ଥିବା ମା’ ମଉଳା ଭଣଜାଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପ୍ରଦାନ କରିବାକୁ ଦାବି ହୋଇଛି। ୫୩ନଂ ଜାତୀୟ ରାଜପଥଠାରୁ ମାତ୍ର ୨ କିଲୋମିଟର ଦୂରରେ ଏହି ପୀଠ ଅବସ୍ଥିତ। ରେଙ୍ଗାଲି କେନାଲର ପାଶ୍ୱର୍ବର୍ତ୍ତୀ କେନାଲଠାରୁ କମ୍ ଦୂରତାରେ ମା’ଙ୍କ ପୀଠ । କେଉଁ ଆଦିମ କାଳରୁ ମା’ ଗ୍ରାମର ବନଦେବୀ ରୂପେ ପୂଜା ପାଇ ଆସୁଛନ୍ତି। ଦୁଇଟି ବିଶାଳକାୟ ମୁଗୁନି ପଥର ଜଙ୍ଗଲର ମଧ୍ୟ ସ୍ଥଳରେ ଦଣ୍ଡାୟମାନ ହୋଇରହିଛି। ଏହାର ଏକ ପ୍ରାଚୀନ କିମ୍ବଦନ୍ତୀ ରହିଛି। ସ୍ଥାନୀୟ ବାସିନ୍ଦା କୁହନ୍ତି, ମାମୁ ଓ ଭଣଜା ଦୁଇ ପ୍ରତିକୂଳ ଦିଗରୁ ବିବାହ କରି ଫେରୁଥିବା ସମୟରେ ସେହି ସ୍ଥାନରେ ମୁହାଁମୁହିଁ ହେଇଯିବାରୁ ସେମାନେ ସେଠାରେ ପଥର ପାଲଟିଯାଇଥିଲେ। ଯେକୌଣସି ମାନିସିକ ରଖି ମା’ଙ୍କ ପୂଜାର୍ଚ୍ଚନା କଲେ ସୁଫଳ ମିଳିଥାଏ। ନିଃସନ୍ତାନ ମହିଳାମାନେ ମା’ଙ୍କ ପାଖରେ ଅଧିଆ ପଡ଼ି ସନ୍ତାନବତୀ ହେବାର ଯଥେଷ୍ଟ ନଜିର ରହିଛି। ମା’ଙ୍କ ପୂଜାର୍ଚ୍ଚନା ଦେହୁରୀ ସମ୍ପ୍ରଦାୟର ସେବାୟତ କରନ୍ତି। ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତି ଦିନ ମା’ଙ୍କ ପୀଠରେ ମକର ମେଳା ହୁଏ । ସେହି ଦିନଟି ମା’ଙ୍କ ବଡ଼ ପର୍ବ। ଏହି ମେଳାରେ ପ୍ରାୟ ୩୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୁଏ। ମା’ଙ୍କ ପାଇଁ ଗ୍ରାମବାସୀଙ୍କ ତରଫରୁ ଏକ ଛୋଟ ମନ୍ଦିର ନିର୍ମାଣ କରାଯାଇଛି। ମନ୍ଦିର ନିକଟରେ କୂପ, ନଳକୂପ ଏବଂ ଏକ ଜଳାଶୟ ରହିଛି। ଖରାଦିନକୁ ଛାଡ଼ିଦେଲେ ଅନ୍ୟଦିନେ ପାହାଡ଼ର ଶିଖରରୁ ଅନେକ ଝରଣା ବହି ସେହି ଅଞ୍ଚଳର ସୌନ୍ଦର୍ଯ୍ୟକୁ ବୃଦ୍ଧି କରୁଛନ୍ତି।
ବର୍ତ୍ତମାନ ସେ ଜଙ୍ଗଲ ମଧ୍ୟରେ ଅନେକ ଜୀବଜନ୍ତୁ ଆତ୍ମଗୋପନ କଲେଣି। ହାତୀମାନେ ବର୍ଷକୁ ୬ ମାସ ଏ ଜଙ୍ଗଲରେ ଅବସ୍ତାନ କରି ଅନେକ ଧନଜୀବନ ନଷ୍ଟ କରୁଛନ୍ତି । ଯଦି ଏ ଜଙ୍ଗଲକୁ ଏକ ଅଭୟାରଣ୍ୟ କରାଯାଇପାରନ୍ତା ତେବେ ଧନ ଜୀବନ ନଷ୍ଟ ନ ହେବା ପରିବର୍ତ୍ତେ ପର୍ଯ୍ୟଟକଙ୍କୁ ଏହା ଅଧିକ ଆକୃଷ୍ଟ କରିପାରନ୍ତା। ଶୀତଋତୁ ଆରମ୍ଭରେ ଏକାଧିକ ପର୍ଯ୍ୟଟକ ବଣଭୋଜି ପାଇଁ ଏହି ସ୍ଥାନକୁ ଆସନ୍ତି । ଏଭଳି ଏକ ସୁରମ୍ୟ ପରିବେଶକୁ ପର୍ଯ୍ୟଟକଙ୍କ ଗାଡ଼ିମୋଟର ଯିବାପାଇଁ ଗ୍ରାମବାସୀଙ୍କ ମାଧ୍ୟମରେ ଏକ ରାସ୍ତା ତିଆରି କରଯାଇଛି। ଶାଳ, ପିଆଶାଳ, ଶାଗୁଆନ ଓ ଅନେକ ପ୍ରକରର ଔଷଧୀୟ ବୃକ୍ଷ ଜଙ୍ଗଲର ଶ୍ରୀବୃଦ୍ଧି କରୁଛି। କିନ୍ତୁ ଦୁଃଖର ବିଷୟ କିଛି ଅସାଧୁ ମାଫିଆ ଏଠାରୁ ଗଛ କଟିନେଉଛନ୍ତି। ଏହି ଜଙ୍ଗଲର ବିଭିନ୍ନ ଜାଗାରୁ କ୍ରୋମାଇଟ ବାହାରୁ ଥିବାରୁ ଖଣି ମାଫିଆମାନେ ଚୋରି କରି ଖଣିଜ ସମ୍ପଦକୁ ପ୍ରତିଦିନ ଲୁଟି ନେଉଛନ୍ତି। ଏଥିପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ସୁଦ୍ଧା କିଛି ସୁଫଳ ମିଳୁନାହିଁ। ଯଦି ଏ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳନ୍ତା, ତା’ର ଶ୍ରୀବୃଦ୍ଧି ହେବା ସହ ସ୍ଥାନୀୟ ଜନସାଧାରଣଙ୍କ ଆର୍ଥିକ ଉନ୍ନତିରେ ସୁଧାର ଆସନ୍ତା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

Leave a Reply

Your email address will not be published. Required fields are marked *