Before Header

ନେତା ମନ୍ତ୍ରୀ ଆଫଗାନିସ୍ତାନୀଙ୍କ ହାତ ଛାଡ଼ୁଛନ୍ତି କିନ୍ତୁ ଲଢ଼ୁଛନ୍ତି ଜଣେ ମହିଳା ଗଭର୍ଣ୍ଣର

0 52

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କାବୁଲର ପତନ ହୋଇ ସାରିଛି । ରାଷ୍ଟ୍ରପତି ଦେଶବାସୀଙ୍କୁ ମଝି ଦରିଆରେ ଛାଡ଼ି ପଳାୟନ କରିଛନ୍ତି । ଅବଦୁଲ ଦୋସ୍ତୁମ ଭଳି ତାଲିବାନ ବିରୋଧୀ କମାଣ୍ଡର ମଜାର-ଏ-ସରିଫକୁ ତାଲିବାନ ହାତରେ ଅର୍ପଣ କରି ଆତ୍ମଗୋପନ କରିଛନ୍ତି । ଆଫଗାନିସ୍ତାନ ତାଲିବାନ ଆତଙ୍କର ଥରହର ହେଉଛି । ଆଫଗାନୀ ମହିଳା ଏବେ ଅନ୍ଧକାରମୟ ଭବିଷ୍ୟତ ଆଡକୁ ଟାଣିହୋଉଛନ୍ତି। ଗତ ୨୦ ବର୍ଷର ସେମାନଙ୍କ ଶିକ୍ଷାଦିକ୍ଷା ବୁର୍ଖା ଭିତରେ କଏଦ ହେବାକୁ ଯାଉଛି । ଦେଶର ବଡ଼ବଡ଼ ନେତା ଓ ସାମରିକ ଅଧିକାରୀ ଠିକଣା ସମୟରେ ଦେଶର ହାତ ଛାଡି ଦେଇଥିବା ବେଳେ ଜଣେ ମହିଳା ତାଲିବାନକୁ ଦେଉଛନ୍ତି କଡା ଟକ୍କର । ଏହି ମହିଳା ହେଉଛନ୍ତି ସଲିମା ମଜାରି ।

ଆଫଗାନିସ୍ତାନର ବଡ଼ବଡ଼ ନେତା ଓ ସାମରିକ ଅଧିକାରୀ ଠିକ୍ ସମୟରେ ଦେଶବାସୀଙ୍କ ହାତ ଛାଡି ଦେଇଛନ୍ତି । ମାତ୍ର ଜଣେ ମହିଳା ତାଲିବାନକୁ ଦେଉଛନ୍ତି କଡା ଟକ୍କର । ଏହି ମହିଳା ହେଉଛନ୍ତି ସଲିମା ମଜାରି । ସଲିମା ମଜାରି ଚାରକିଣ୍ଟ୍ ଜିଲ୍ଲାର ଗଭର୍ଣ୍ଣର । ସେ ତାଲିବାନ ବିରୋଧରେ କୃଷକ, ଶ୍ରମିକ ଓ ସାଧାରଣ ଲୋକଙ୍କୁ ନେଇ ଯୁଦ୍ଧ ଲଢୁଛନ୍ତି । ଦେଶର ବାକି ସ୍ଥାନରେ ସରକାରୀ ସେନା ଆତ୍ମସମର୍ପଣ କରିଥିବା ବେଳେ ଚାରକିଣ୍ଟରେ ସେନା ତାଲିବାନକୁ ଜବରଦସ୍ତ ଟକ୍କର ଦେଉଛି । ଆଉ ଏହା ସମ୍ଭବ ହୋଇଛି ସଲିମାଙ୍କ ପାଇଁ ।

ଜଣେ ମହିଳା ହୋଇ ମଧ୍ୟ ସଲିମା ଯେମିତି ଯୁଦ୍ଧଭୂମିରେ ଲଢୁଛନ୍ତି ତାହା ଅନେକଙ୍କୁ ପ୍ରେରଣା ଦେଉଛି । ତାଲିବାନ ନିକଟରେ ୧୨ ବର୍ଷରୁ ୪୫ ବର୍ଷ ମଧ୍ୟରେ ଅବିବାହିତ ଓ ଏକକୀ ରହୁଥିବା ଝିଅ ତଥା ମହିଳାଙ୍କ ତାଲିକା ମାଗିଥିଲା । ଏହି ଝିଅଙ୍କୁ ଯୌନଦାସୀ କରିବା ତାଲିବାନର ଲକ୍ଷ୍ୟ । ସଲିମା ତାଲିବାନର ଏହି ଘୋଷଣା ପରଠାରୁ ଅଧିକ ସକ୍ରିୟ ହୋଇଥିଲେ । ତାଙ୍କ ପାଇଁ ଚାରକିଣ୍ଟରେ ତାଲିବାନ ପାଦ ରଖି ପାରିନାହିଁ । ସଲିମା ଭଲ ଭାବେ ଜାଣନ୍ତି, ଯଦି ସେ ତାଲିବାନ ହାତରେ ପଡ଼ନ୍ତି ତେବେ ତାଙ୍କ ଅନ୍ତ କେତେ ଭୟଙ୍କର ହେବ । ତଥାପି ସେ ତାଲିବାନ ବିରୋଧରେ ଲଢେଇ ଜୋରଦାର କରିଛନ୍ତି ।

ଆଫଗାନିସ୍ତାନ ଭଳି ରକ୍ଷଣଶୀଳ ମୁସଲିମ୍ ଦେଶରେ ସଲିମା କେମିତି ଗଭର୍ଣ୍ଣର ହୋଇ ପାରିଲେ ? କ’ଣ ଥିଲା ତାଙ୍କ ଅତିତ ? ସଲିମାଙ୍କ ଜନ୍ମ ଇରାନରେ ହୋଇଥିଲା । କାରଣ ତାଙ୍କ ଜନ୍ମବେଳକୁ ସୋଭିଏତ ଋଷ ଆଫଗାନିସ୍ତାନ ଉପରେ କବଜା କରିସାରିଥିଲା । ସଲିମାଙ୍କ ବାପା ପରିବାର ସହିତ ଇରାନକୁ ପଳାୟନ କରିଥିଲେ । ଇରାନର ଏକ ଶରଣାର୍ଥୀ ଶିବିରରେ ୧୯୮୦ ମସିହାରେ ଜନ୍ମିତ ସଲିମା ସେଠାରେ ଗ୍ରାଜୁଏସନ୍ କରିଥିଲେ ।

୨୦୧୮ରେ ଆଫଗାନିସ୍ତାନ ସରକାର ଚାରକିଣ୍ଟ ଜିଲ୍ଲା ପାଇଁ ଗଭର୍ଣ୍ଣର ପଦବୀ ଲାଗି ବିଜ୍ଞାପନ ଦେଇଥିଲେ । ଏହି ପଦବୀ ପାଇଁ ସଲିମା ମଧ୍ୟ ଆବେଦନ କରିଥିଲେ । ସଲିମା ନିଜ ଯୋଗ୍ୟତା ବଳରେ ଗଭର୍ଣ୍ଣର ପଦବୀ ହାସଲ କରିଥିଲେ । ଏବେ କିନ୍ତୁ ଚିତ୍ର ଓ ଚରିତ୍ର ସବୁକିଛି ବଦଳିଯାଇଛି । ଗଣତାନ୍ତ୍ରିକ ସରକାର ସ୍ଥାନରେ ତାଲିବାନ ବନ୍ଧୁକ ମୁନରେ କ୍ଷମତା ଦଖଲ କରିଛି । ଏମିତିରେ ସଲିମା ଆଉ କେତେଦିନ ତାଲିବାନକୁ ଟକ୍କର ଦେବେ ତାହା ଦେଖିବାକୁ ରହିଲା ।

Leave A Reply

Your email address will not be published.