Before Header

ଶ୍ୱାସକ୍ରିୟାରେ ସମସ୍ୟା ହେଲେ ପ୍ରୋନିଂ ପ୍ରକ୍ରିୟା

0 160

(ବଡ଼ ଖବର ବ୍ୟୁରୋ): କରୋନାରେ ସଂକ୍ରମିତ ହୋଇ ଅନେକ ଲୋକ କେବଳ ଅକ୍ସିଜେନ କାରଣରୁ ପ୍ରାଣ ହରାଉଛନ୍ତି । ମେଡିକାଲରେ ଦେଖାଦେଉଥିବା ସମସ୍ୟାକୁ ନଜରରେ ରଖି କିଛି ଲୋକ ଏବେ ଘରେ ଚିକିତ୍ସିତ ହେଉଛନ୍ତି । ତେବେ କରୋନାରେ ଶ୍ୱାସ ଜନିତ ଅସୁବିଧା ଦେଖା ଦେଇଥାଏ । ମେଡିକାଲରେ ଅକ୍ସିଜେନ ଓ ଭେଣ୍ଟିଲେଟର ଉପଲବ୍ଧ ହେଉଛି । କିନ୍ତୁ ଘରେ ରହି କିପରି ଜଣେ କରୋନା ରୋଗୀ ଚିକିତ୍ସିତ ହୋଇ ପାରିବେ ସେ ନେଇ ବି ବିଶେଷଜ୍ଞ ଜାରି କରିଛନ୍ତି କିଛି ଟିପସ । କରୋନାରେ ସଂକ୍ରମିତ ହୋଇ ଘରେ ଚିକିତ୍ସିତ ହେଉଛନ୍ତି ଅନେକ ରୋଗୀ । ବିଭିନ୍ନ ହସ୍ପିଟାଲରେ ଦେଖାଦେଉଥିବା ଅକ୍ସିଜେନ ଅଭାବ ଯୋଗୁଁ ହସ୍ପିଟାଲ କର୍ତ୍ତୁପକ୍ଷ ଆଉ ନୁଆ ରୋଗୀଙ୍କୁ ଭର୍ତ୍ତି ମଧ୍ୟ କରାଇବାକୁ ମନା କରୁଛନ୍ତି । ତେବେ ଯେଉଁମାନେ ଘରେ ରହି ଚିକିତ୍ସା ହେଉଛନ୍ତି ସେମାନଙ୍କର ଯଦି ଶ୍ୱାସକ୍ରିୟାରେ ଅସୁବିଧା ହୁଏ ତେବେ ସେମାନେ କଣ କରିବେ ।

ଆପଣଙ୍କ ଘରେ ଯଦି କେହି କରୋନା ରୋଗୀ ଚିକିତ୍ସିତ ହେଉଥାନ୍ତି ସେମାନଙ୍କ ଯତ୍ନ ନେବାକୁ ହେଲେ କଣ କରିବାକୁ ହେବ । ଘରେ ରହି ଶ୍ୱାସକ୍ରିୟାରେ ଅସୁବିଧା ହେଉଥିଲେ ପ୍ରୋନିଂ ପ୍ରକ୍ରିୟା କରନ୍ତୁ । ତେବେ କଣ ଏହି ପ୍ରୋନିଂ ପ୍ରକ୍ରିୟା । ସଂକ୍ରମିତଙ୍କୁ ମୁହଁ ମାଡ଼ି ତଳେ ଶୁଆଇବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସରେ ଉନ୍ନତି ଆସିବା ଦ୍ୱାରା ଶରୀରକୁ ଅମ୍ଳଜାନ ମିଳିପାରେ । କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଏହା ବେଶ୍ ଉପଯୋଗୀ । ଯେକୌଣସି ବ୍ୟକ୍ତି ଚାହିଁଲେ ଏହି ପ୍ରୋନିଂ ପ୍ରକ୍ରିୟା କରି ପାରିବେ । ଏଥିପାଇଁ ୪ରୁ ୫ଟି ତକିଆର ଆବଶ୍ୟକ । ପେଟ ମାଡ଼ି ଶୋଇବା, ବାମ କଡ଼ ଶୋଇବା ଓ ଡାହାଣ କଡ଼ ଶୋଇବା ଓ ପୁଣି ପେଟ ମାଡ଼ି ଶୋଇବା ହେଉଛି ପ୍ରୋନିଂ ପ୍ରକ୍ରିୟା ।

ଏହି ପୋଜିସନ୍ ଗୁଡ଼ିକୁ ଆପଣ ୨ ଘଣ୍ଟା ପର୍ଯ୍ୟନ୍ତ କରିପାରିବେ । କିନ୍ତୁ ଅଧଘଣ୍ଟାରୁ କମ୍ ହେଲେ ଏହା ଫଳପ୍ରଦ ନୁହେଁ । ଜଣେ ବ୍ୟକ୍ତି ଚାହିଁଲେ ଭିନ୍ନ ଭିନ୍ନ ସମୟରେ ପ୍ରୋନିଂ କରିପାରିବେ । ଏହାକୁ ଦିନରେ ସର୍ବାଧିକ ୧୬ ଘଣ୍ଟା କରିହେବ । ତେବେ ପ୍ରୋନିଂ ପାଇଁ ତକିଆର ମଧ୍ୟ ରହିଛି ଭିନ୍ନ ପୋଜିସନ । ପ୍ରୋନିଂ କରୁଥିବା ବ୍ୟକ୍ତିଙ୍କ ବେକ ତଳେ ଗୋଟିଏ ତକିଆ ରଖିବା ସହ ଗୋଟିଏ ବା ଦୁଇଟି ତକିଆକୁ ଯଙ୍ଘ ଉପର ଓ ଛାତି ତଳେ ଥିବା ସ୍ଥାନରେ ରଖିବେ । ଏହାଛଡ଼ା ଆଉ ଏକ ତକିଆକୁ ପାଦ ବା ନଳି ଗୋଡ଼ରେ ରଖିବେ । ତେବେ ଖାଇବାର ଏକ ଘଣ୍ଟା ପର୍ଯ୍ୟନ୍ତ ଏହି ପ୍ରୋନିଂ ନକରିବାକୁ କୁହାଯାଇଛି । ସେହିପରି ଶରୀରରେ ଯଦି କିଛି କ୍ଷତ ଥାଏ ତେବେ ସେଥିପ୍ରତି ଧ୍ୟାନ ଦେଇ ପ୍ରୋନିଂ ପ୍ରକ୍ରିୟା କରିବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହା ଦ୍ୱାରା ପ୍ରୋନିଂ ପ୍ରକ୍ରିୟା ସଠୀକ ଭାବେ ହୋଇଥାଏ । ପ୍ରୋନିଂ ପକ୍ରିୟା କରୋନା ରୋଗୀଙ୍କ ପାଇଁ ଫଳପ୍ରଦ ସାବ୍ୟସ୍ତ ହେଉଛି । କିନ୍ତୁ କିଛି ଲୋକଙ୍କ କ୍ଷେତ୍ରରେ ଏହା ନକରିବାକୁ ମଧ୍ୟ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

ସେମାନଙ୍କ ମଧ୍ୟରେ ରହିଛନ୍ତି ଗର୍ଭମତୀ ମହିଳା । ଜଣେ ଗର୍ଭବତୀ ମହିଳା ଯଦି ମୁହଁ ତଳକୁ କରି ପେଟ ମାଡ଼ି ଶୁଅନ୍ତି ତେବେ ଏହାର ସିଧାସଳଖ ପ୍ରଭାବ ତାଙ୍କ ପିଲା ଉପରେ ପଡ଼ିଥାଏ । ଯେଉଁ କାରଣରୁ ଗର୍ଭବତୀ ମହିଳାଙ୍କୁ ପ୍୍େରାନିଂ ପ୍ରକ୍ରିୟା ବାରଣ କରାଯାଇଛି । ସେହିପରି ରକ୍ତ ଜମାଟ ବାନ୍ଧିଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହି ପ୍ରକ୍ରିୟା ନକରିବାକୁ କୁହାଯାଇଛି । ଯଦି ଜଣେ ବ୍ୟକ୍ତିଙ୍କର ରକ୍ତ ଜମାଟ ହୋଇ ୪୮ଘଣ୍ଟା ମଧ୍ୟରେ ଚିକିତ୍ସିତ ହୋଇଥିବ ସେ ଏହି ପ୍ରକ୍ରିୟା କରିବା ଅନୁଚିତ । ସେହିପରି ଜଟିଳ ହୃଦ୍ରୋଗୀ ବି ଏହି ପ୍ରକ୍ରିୟା କରିପାରିବେ ନାହିଁ । ଏହା ଦ୍ୱାରା ହାର୍ଟ ଉପରେ ଚାପ ପଡ଼ିବାର ସମ୍ଭାବନା ରହିଛି । ସେହିପରି ଯେଉଁମାନଙ୍କର ମେରୁଦଣ୍ଡ ବା ଜଙ୍ଘ ହାଡ଼ରେ ଫ୍ୟାକଚର ଥିବ ସେମାନଙ୍କୁ ପ୍ରୋନିଂ ପ୍ରକ୍ରିୟା ମନା ।

ଶରୀରରେ ଅମ୍ଳଜାନ ସ୍ତର ହ୍ରାସ ପାଇବା ବା ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେଲେ ପ୍ରୋନିଂ ଆବଶ୍ୟକ ପଡ଼ିଥାଏ । ଘରେ ରହି ଚିକିତ୍ସା ହେଉଥିବା ରୋଗୀ ଅମ୍ଳଜାନ ସ୍ତରର ନିରୀକ୍ଷଣ ନ କରି ଶରୀରର ତାପମାତ୍ରା, ରକ୍ତଚାପ, ରକ୍ତ ସର୍କରା ଇତ୍ୟାଦିର ମଧ୍ୟ ନିରିକ୍ଷଣ କରିବା ଜରୁରୀ । ଶରୀରରେ ଅମ୍ଳଜାନର ଅଭାବ କାରଣରୁ ହାଇପୋକ୍ସିଆ ହୋଇଥାଏ । ଯାହା କି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଅଧିକ ଜଟିଳ କରିଦେଇଥାଏ । ତେଣୁ ଠିକ ସମୟରେ ପ୍ରୋନିଂ ସହ ନିଶ୍ୱାସ ପ୍ରଶ୍ୱାସ ଠିକ ରହିଲେ ଅନେକ ରୋଗୀଙ୍କ ଜୀବନ ବଞ୍ଚି ପାରିବ ।

Leave A Reply

Your email address will not be published.