ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୌସୁମୀ ଅଧିବେଶନର ତୃତୀୟ ଦିନରେ ମଧ୍ୟ ବିଧାନସଭାରେ ଦେଖିବାକୁ ମିଳିଛି ହଟ୍ଟଗୋଳ। MMDR ଆଇନର ସଂଶୋଧନକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ଗୃହରେ ନାରାବାଜି କରିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି। ଫଳରେ ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିପାରିନଥିଲା।
ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ସେମାନେ MMDR ଆଇନର ସଂଶୋଧନ ପ୍ରତ୍ୟାହାର ଦାବି କରିଥିଲେ। କଂଗ୍ରେସ ବିଧାୟକମାନେ ମଧ୍ୟ MMDR ପ୍ରସଙ୍ଗରେ ସ୍ୱତନ୍ତ୍ର ଭାବେ ପ୍ରତିବାଦ କରିଥିଲେ। ଗୃହ ବାହାରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବିରୋଧ ଜାରି ରହିଥିଲା। ବିଧାନସଭା ପରିସରରେ ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ବିଧାୟକମାନେ ବ୍ୟାନର ପିନ୍ଧି ପ୍ରତିବାଦ କରିଥିବା ବେଳେ, ବିଜେଡି ବିଧାୟକମାନେ ହାତରେ ବ୍ୟାନର ଧରି OMC କାର୍ୟ୍ୟାଳୟ ଅଭିମୁଖେ ଯାଇଥିବା ଜଣାପଡ଼ିଛି।
ଗୃହ ଭିତରେ ବିରୋଧୀ ସଦସ୍ୟଙ୍କ ନାରାବାଜି ଓ ପ୍ଲାକାର୍ଡ ପ୍ରଦର୍ଶନ ଜାରି ରହିବାରୁ ଉପବାଚସ୍ପତି ବିରୋଧୀ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରି ଗୃହ କାର୍ୟ୍ୟ ଚାଲିବାକୁ ଦେବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ହଟ୍ଟଗୋଳ ଜାରି ରହିବାରୁ ଗୃହ କାର୍ୟ୍ୟ ସ୍ୱାଭାବିକ ହୋଇପାରିନଥିଲା ଏହାପରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ମୁଲତବି କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ ସହ ଅନ୍ୟାନ୍ୟ ଗୃହ କାର୍ୟ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। MMDR ପ୍ରସଙ୍ଗକୁ ନେଇ ଉଭୟ କଂଗ୍ରେସ ଓ ବିଜେଡିର ବିଧାୟକମାନେ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ନିଜ ନିଜ ଦାବି ଉପସ୍ଥାପନ କରିଛନ୍ତି। ଏହା ଫଳରେ ଅଧିବେଶନର କାର୍ୟ୍ୟକାରିତା ପୁଣି ଥରେ ବାଧାପ୍ରାପ୍ତ ହୋଇଛି।
