Before Header

ଓଡ଼ିଶାକୁ କେନ୍ଦ୍ରର ଅଣ ଦେଖା

0 39

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାକୁ କେନ୍ଦ୍ରର ଅଣ ଦେଖା । କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରରୁ ଓଡ଼ିଆ ବାଦ। ଓଡ଼ିଆରୁ କେହି ମଧ୍ୟ ସ୍ଥାନ ପାଇନାହାନ୍ତି । ଚଳିତବର୍ଷ ଓଡ଼ିଆ ଭାଷାର ସାହିତ୍ୟ ଏକାଡେମି ଯୁବ ପୁରସ୍କାର ପାଇଁ କୌଣସି ବିଜେତାଙ୍କ ନାମ ଘୋଷଣା ହୋଇ ନଥିବାରୁ ଓଡ଼ିଶାରେ ଆସୋନ୍ତୋଷ ପ୍ରକାଶ ପାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକାଡେମିର କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକରେ ୨୦୨୩ର ବାଲ୍‌ ସାହିତ୍ୟ ପୁରସ୍କାର ଓ ଯୁବ ପୁରସ୍କାର ପାଇଥିବା ଲେଖକଙ୍କ ନାମ ଘୋଷଣା କରାଯାଇଛି। ମଣିପୁର ଓ ସଂସ୍କୃତ ଭାଷାର ଯୁବ ଲେଖକଙ୍କ ନାମ ପରେ ଘୋଷଣା କରାଯିବ ବୋଲି ଉଲ୍ଲେଖ ଥିବାବେଳେ ଓଡ଼ିଆ ଭାଷାରୁ ‌କାହାକୁ ପୁରସ୍କାର ମିଳିନାହିଁ। ଗତ ୧୦ ତାରିଖରେ ଯୁବ ପୁରସ୍କାର ଓ ବାଲ୍‌ ପୁରସ୍କାର ଉଭୟ ପାଇଁ ଭୁବନେଶ୍ୱରରେ ବିଚାରକମାନଙ୍କ ବୈଠକ ଡକାଯାଇଥିଲା। ମାତ୍ର ଗୋଟିଏଦିନ ଆଗରୁ ସାମାଜିକ ଗଣମାଧ୍ୟମରେ ଯୁବ ପୁରସ୍କାରର ଦୁଇ ବିଚାରକ ଏବଂ ଚୂଡ଼ାନ୍ତ ତାଲିକାରେ ଥିବା ଗୋଟିଏ ଯୋଡ଼ିଏ ବହିର ନାମ ପ୍ରକାଶ ପାଇଥିବାରୁ ଏକାଡେମି ଏହାକୁ ଗମ୍ଭୀରତାର ସହ ନେଇ ଶେଷ ମୁହୂର୍ତ୍ତରେ ଜୁରୀରି ବୈଠକ ବାତିଲ୍‌ କରିଦେଇଥିଲେ। ଏ ସମ୍ବନ୍ଧରେ ଏକାଡେମିର ସଚିବଙ୍କୁ ଡକ୍ଟର ନୃସିଂହ ଚରଣ ଷଡ଼ଙ୍ଗୀ ଏବଂ ସାଧାରଣ ପରିଷଦ ସଦସ୍ୟ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ବାର୍ତ୍ତା ପ୍ରେରଣ କରିଥିବା ସେ ଜାଣିବାକୁ ପାଇଥିଲେ। ଯେଉଁ ଦୁଇଜଣ ବିଚାରକଙ୍କ ନାମ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା, ସେମାନେ ହେଲେ, ଡକ୍ଟର ହରିଶ୍‌ଚନ୍ଦ୍ର ବେହେରା ଓ ଡକ୍ଟର ହୃଷିକେଶ ମଲ୍ଲିକ। ଅନ୍ୟତମ ବିଚାରକ ଜଣଙ୍କ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ ମଧ୍ୟ ବୈଠକ ବାତିଲ୍‌ ହୋଇଥିବାରୁ ସେ ବାଧ୍ୟ ହୋଇ ଫେରିଯାଇଥିବା କଥା ଏବେ ସାମ୍ନାକୁ ଆସିଛି।

ଏହାରି ଭିତରେ ଓଡ଼ିଆ ଭାଷାର ଅବାହାକ ଡକ୍ଟର ଗୌରହରି ଦାସ ଏ ସମ୍ପର୍କରେ ସେ ସାହିତ୍ୟ ଏକାଡେମିର ସଭାପତି ଏବଂ ସଚିବଙ୍କୁ ଇ-ମେଲ୍‌ ଯୋଗେ ପ୍ରତିବାଦ ପତ୍ର ପଠାଇବା ସହ ୨୦୨୩ର ଯୁବ ପୁରସ୍କାରକୁ ନେଇ ଆଉଥରେ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରି ଓଡ଼ିଆକୁ ସ୍ଥାନ ଦେବା ପାଇଁ ଦାବି କରିଛନ୍ତି। ସେ ତାଙ୍କ ପତ୍ର‌ରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଓ ସମ୍ଭ୍ରାନ୍ତ ଭାଷା। ଭାରତବର୍ଷରେ ଏହି ଭାଷାର ଯଥେଷ୍ଟ ପ୍ରତିଷ୍ଠା ରହିଛି। ଏକାଡେମି କର୍ମଚାରୀ ବା କିଛି ବ୍ୟକ୍ତିଙ୍କ ଅବହେଳା କିମ୍ବାଦାୟିତ୍ୱହୀନତା ଯୋଗୁଁ ଓଡ଼ିଶାର ଯୁବ ଲେଖକ ପୁରସ୍କାରରୁ ବଞ୍ଚିତ ହେବା ଗ୍ରହଣଯୋଗ୍ୟ ନୁହେଁ। କିଭଳି ଏହି ବିଚାରକ ଓ ସମ୍ଭାବ୍ୟ ବହିର ନାଁ ବାହାରକୁ ଆସିଲା, ତା’ର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଡକ୍ଟର ଦାସ ଦାବି କରିଛନ୍ତି। ସେ ତାଙ୍କ ମେଲ୍‌ରେ ଦାବି କରିଛନ୍ତି ଯେ ଏ ଦିଗରେ କଠୋର ପ‌ଦକ୍ଷେପ ନିଆ ନଗଲେ ଆଗକୁ ଏହାର ପୁନରାବୃତ୍ତି ଘଟିବ। ଏକାଡେମିର ସଭାପତି ଏବଂ ସଚିବ ଘଟଣାର ତଦନ୍ତ କରାଯିବ ବୋଲି ଡକ୍ଟର ଦାସଙ୍କୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ବିଶିଷ୍ଟ କବି ଓ ସ୍ତମ୍ଭକାର କେଦାର ମିଶ୍ର ମଧ୍ୟ ଏହି ମର୍ମରେ ଆଜି ସାହିତ୍ୟ ଏକାଡେମି ସଭାପତି ମାଧବ କୌଶିକଙ୍କୁ ଇ-ମେଲ୍‌ ପଠାଇ ଅନୁରୂପ ଦାବି ଜଣାଇଛନ୍ତି।

 

 

 

Leave A Reply

Your email address will not be published.