Before Header

କଂଗ୍ରେସର ପ୍ରଥମ ପର୍ଯ୍ୟାୟ ତାଲିକାରେ ନାହିଁ ଓଡ଼ିଶାର ନାଁ

0 1,068

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : ଶୁକ୍ରବାର କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ପ୍ରଥମ ପର୍ଯ୍ୟାୟରେ ୩୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଦଳ । କେରଳ ୱାୟନାଡରୁ ପୁଣି ଲଢ଼ିବେ ରାହୁଲ ଗାନ୍ଧି । ଛତିଶଗଡ଼ ରାଜନନ୍ଦଗାଓଁରୁ ଲଢ଼ିବେ ଭୂପେଶ ବଘେଲ । ଛତିଶଗଡ଼ ମହସମୁନ୍ଦରୁ ଲଢ଼ିବେ ତାମ୍ରଧ୍ୱଜ ସାହୁ । ପ୍ରଥମ ପର୍ଯ୍ୟାୟ ତାଲିକାରେ ଓଡ଼ିଶାର ନାଁ ନାହିଁ । ସେପଟେ ଏବେ ଆମେଥି ଆସନରୁ ରାହୁଲ ଲଢ଼ିବେ କି ନାହିଁ, ତାରି ଉପରେ ସମସ୍ତଙ୍କ ନଜର । ଉତ୍ତର ପ୍ରଦେଶର ଆମେଥିକୁ କଂଗ୍ରେସର ଗଡ଼ ବୋଲି କୁହାଯାଏ ।

ଏହିଠାରୁ କଂଗ୍ରେସ ତଥା ଗାନ୍ଧୀ ପରିବାରର ସଦସ୍ୟ ବାରମ୍ବାର ନିର୍ବାଚନ ଲଢ଼ି ଜିତିଆସିଛନ୍ତି । ହେଲେ ୨୦୧୯ରେ ବଡ଼ ଓଲଟପାଲଟ ହୋଇଥିଲା । କଂଗ୍ରେସ ଯୁବରାଜଙ୍କୁ ପରାସ୍ତ କରିଥିଲେ ବିଜେପିର ସ୍ମୃତି ଇରାନୀ । ୨୦୧୪ ନିର୍ବାଚନରେ ରାହୁଲଙ୍କ ଠାରୁ ସ୍ମୃତି ହାରିଯାଇଥିଲେ । ହେଲେ ୫ ବର୍ଷ ପରେ ସ୍ଥିତି ବଦଳିଯାଇଥିଲା । ୨୦୧୯ରେ ସ୍ମୃତିଙ୍କୁ ମୋଟ୍ ୪ ଲକ୍ଷ ୬୮ ହଜାର ୫୧୪ ଭୋଟ୍ ମିଳିଥିଲା ବେଳେ ରାହୁଲ ଗାନ୍ଧୀଙ୍କୁ ୪ ଲକ୍ଷ ୮ ହଜାର ୬୫୧ ଭୋଟ୍ ମିଳିଥିଲା । ଏପରି ସ୍ଥିତିରେ ରାହୁଲ ଗାନ୍ଧୀ ପୁଣିଥରେ ଆମେଥିରୁ ଲଢ଼ିବେ କି ନାହିଁ, ତାରି ଉପରେ ସମସ୍ତ ନଜର ଅଟକିଛି । ଅନ୍ୟପଟେ ୩୯ ଜଣଙ୍କ ମଧ୍ୟରୁ ୧୫ ଜଣ ପ୍ରାର୍ଥୀ ସାଧାରଣ ବର୍ଗରୁ ଅଛନ୍ତି । ୨୪ ଜଣ ପ୍ରାର୍ଥୀ ଏସସି, ଏସଟି, ଓବିସି ଏବଂ ସଂଖ୍ୟାଲଘୁ ଗୋଷ୍ଠୀର ଅଟନ୍ତି ।

ସେହିପରି ୧୨ ଜଣ ପ୍ରାର୍ଥୀଙ୍କ ବୟସ ୫୦ ବର୍ଷରୁ କମ୍ । ୮ ଜଣ ପ୍ରାର୍ଥୀଙ୍କ ବୟସ ୫୦ରୁ ୬୦ ବର୍ଷ ବୟସରେ ଅଛି । ସେହିପରି ୧୨ ଜଣ ୬୧ରୁ ୭୦ ବୟସ ଶ୍ରେଣୀରେ ଅଛନ୍ତି । ୭୭ ଜଣ ପ୍ରାର୍ଥୀ ୭୧ରୁ ୭୬ ବୟସ ଶ୍ରେଣୀରେ ଅଛନ୍ତି । ଘୋଷଣା ହୋଇଥିବା ମୋଟ ୩୯ ଜଣ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରୁ ସର୍ବାଧିକ ୧୬ ଜଣ କେରଳରୁ, ୭ ଜଣ ଲେଖାଏଁ କର୍ଣ୍ଣାଟକ ଏବଂ ଛତିଶଗଡରୁ ୬ ଜଣ ତେଲେଙ୍ଗାନାରୁ। ମେଘାଳୟର ଦୁଇଟି ଏବଂ ନାଗାଲାଣ୍ଡ ଏବଂ ସିକ୍କିମରୁ ଗୋଟିଏ ଲେଖାଏଁ ପ୍ରାର୍ଥୀ ଘୋଷଣା ହୋଇଛି । ତେଲେଙ୍ଗାନାରୁ ଘୋଷଣା ହୋଇଥିବା ୪ଜଣଙ୍କ ପ୍ରାର୍ଥୀଙ୍କ ନାମ ମଧ୍ୟରୁ ଗୋଟିଏ ଆସନରେ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ । ତ୍ରିପୁରାରୁ ଗୋଟିଏ, ଲାକ୍ଷାଦ୍ୱୀପରୁ ଜଣେ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି ।

Leave A Reply

Your email address will not be published.