Before Header

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି

0 77

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡ଼ିଶାର ସୀମାନ୍ତବର୍ତ୍ତୀ ଅଂଚଳର ସମସ୍ୟା ବିଷୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି । ସେ ଲେଖିଛନ୍ତି ‘କହିବାକୁ ବଡ଼ ଦୁଃଖ ଲାଗୁଛି, ହେଲେ କହିବା ପାଇଁ ବାଧ୍ୟ ହେଉଛି । ବର୍ତ୍ତମାନ ଆମ ରାଜ୍ୟରେ ସାର୍ବଭୌମତା ଉପରେ ଆଞ୍ଚ ଆସିଛି । ଆମ ସୀମା ଭିତରେ ଯେଉଁମାନେ ଆମ ରାଜ୍ୟର ବାସିନ୍ଦା, ସେମାନେ ୪ଦିନ ତଳେ ଆନ୍ଧ୍ର ପ୍ରଦେଶର ପଂଚାୟତ ନିର୍ବାଚନରେ ଭୋଟ ଦେଇଛନ୍ତି । ଏହାଠାରୁ ବଡ଼ ଚିନ୍ତାଜନକ ଓ ସ୍ପର୍ଶକାତର କଥା ଏ ରାଜ୍ୟ ପାଇଁ ଆଉକିଛି ନହୋଇପାରେ । ଆମ ରାଜ୍ୟର ସୀମା ଭିତରେ ଥିବା ଅଞ୍ଚଳରେ ଆନ୍ଧ୍ର ଭତ୍ତା ବାଣ୍ଟୁଛି, ସ୍କୁଲ ଖୋଲି ପାଠପଢାଉଛି । ବିଜୁଳି ଦେଇ ବିଲ୍ ଆଦାୟ କରୁଛି ।

ଜମିର ଖଜଣା ବି ଆଦାୟ କରୁଛି । ୧୯୩୬ରେ ଆମର ପୂର୍ବ ପୁରୁଷମାନେ ଦେଶର ପ୍ରଥମ ଭାଷାତ୍ତ୍ିକ ରାଜ୍ୟ ଭାବେ ଓଡ଼ିଶାକୁ ଗଠନ କରି ଦେଶକୁ ଓଡ଼ିଆ ଜାତୀୟତାବାଦର ଯେଉଁ ଗୌରବମୟ ବାର୍ତ୍ତା ଦେଇଥିଲେ ତାହା ଉପରେ ଆଜି ଦାଗ ଲାଗିଛି । ଆପଣ ଜାଣିଥିବେ, ମୁଁ ଏବଂ ଆମ ଦଳର ଏକ ପ୍ରତିନିଧି ଦଳ ଓଡ଼ିଶାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଯେଉଁ ଯେଉଁ ସ୍ଥାନରେ ଆନ୍ଧ୍ର ଏପରି କରିବା ପାଇଁ ଚକ୍ରାନ୍ତ କରିଛି, ସେହି ଅଞ୍ଚଳ ଗସ୍ତ କରିଥିଲୁ । ସ୍ଥାନୀୟ ଲୋକଙ୍କ ସହିତ କଥା ହୋଇଥିଲୁ । ସ୍ଥାନୀୟ ସମସ୍ୟା ବୁଝିବା ପାଇଁ ଚେଷ୍ଠା କରିଥିଲୁ । କହିଁକି ଯେଉଁ ଲୋକମାନେ ଦିନେ ନିଜକୁ ଓଡ଼ିଶା ବୋଲି ଗର୍ବ କରୁଥିଲେ, ସେମାନେ କାହିଁକି ଆନ୍ଧ୍ରରେ ସାମିଲ ହେବାକୁ ଚାହୁଁଛନ୍ତି, ତାହା ଉପରେ ଅନୁସନ୍ଧାନ କରିଥିଲୁ । ଶେଷରେ ଆମେ ହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବିକାଶ ନ ପହଞ୍ଚିବା ହେଉଛି ଏହାର ମୁଖ୍ୟ କାରଣ । ଆନ୍ଧ୍ର ସରକାରଙ୍କ ଚଞ୍ଚକତା ଯେତିକି ଦାୟୀ, ଓଡ଼ିଶା ସରକାରଙ୍କ ନିଷ୍ପ୍ରିୟତା ସେମିତି ପରିମାଣରେ ଦାୟୀ । ଆମ ରାଜ୍ୟ ସରକାର ସୀମାନ୍ତବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ ଆଦୌ ଚିନ୍ତା କରୁନାହାନ୍ତି । ଯାହାଫଳରେ କିଛି ଲୋକ ଏଥର ଆନ୍ଧ୍ର ନିର୍ବାଚନରେ ସାମିଲ୍ ହୋଇଛନ୍ତି ।

ପ୍ରାୟ ସମସ୍ତ ସୀମା ଅଞ୍ଚଳରେ ଥିବା ସାଧାରଣ ସମସ୍ୟାଗୁଡ଼ିକ ହେଲା ଯେ, ଓଡ଼ିଶାର ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡିକୁ ଓଡ଼ିଶା ପଟରୁ ରାସ୍ତାଘାଟର ସୁବିଧା ନାହିଁ । କିନ୍ତୁ ଆନ୍ଧ୍ର ପଟରୁ ସୁବିଧା ଅଛି । ଆମର ବାର୍ଦ୍ଧକ୍ୟଭତ୍ତା ୫୦୦ ଟଙ୍କା ହୋଇଥିବା ବେଳେଳେ ଆନ୍ଧ୍ରର ଏହା ୨୨୫୦ଟଙ୍କା । ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପାଇଁ ସେମାନେ ଆନ୍ଧ୍ର ଉପରେ ନିର୍ଭରଶୀଳ । ଓଡ଼ିଶା ସରକାର ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇ ନପାରିବାର ଲାଭ ଆନ୍ଧ୍ର ନେଉଛି ।’

ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ବିରୋଧୀ ଦଳ ନେତା ୯ଟି ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ଚିଠିରେ ସେ ଲେଖିଛନ୍ତି ‘ଆଶା କରୁଛି ଆପଣ ଏହି ପ୍ରସ୍ତାବନାକୁ ଅତ୍ୟନ୍ତ ଗୁରୁତର ସହିତ ନେବେ । ରାଜନୈତିକ ବାଦବିବାଦକୁ ପଛରେ ପକାଇ ଓଡ଼ିଆ ଜାତିର ଭାବାବେଗକୁ ସର୍ବାଗ୍ରେ ରଖିବେ । ଜୟ ଓଡ଼ିଶା ।’

 

Leave A Reply

Your email address will not be published.