Before Header

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଛିନ୍ନିଛତ୍ର ହୋଇ ପଡ଼ିଛି ଲୋକଙ୍କ ହାତଗୋଡ଼

0 482

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ସମୟ ବୁଧବାର ଅପରାହ୍ନ ପ୍ରାୟ ଗୋଟାଏ ୭ରୁ ୮ ମଧ୍ୟରେ ହେବ। ରାଜଧାନୀର ଭିଆଇପି ଅଞ୍ଚଳ କୁହାଯାଉଥିବା ରାଜଭବନ ନିକଟ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ହଠାତ୍ ଘଟିଲା ଭୟଙ୍କର ବିସ୍ଫୋରଣ। କେହି କିଛି ବୁଝିବା ପୂର୍ବରୁ ହୁତୁ ହୁତୁ ହୋଇ ଜଳିଉଠିଲା ପେଟ୍ରୋଲ ପମ୍ପ ପରିସର। ବିସ୍ଫୋରଣର ତୀବ୍ରତା ଏତେ ଭୟଙ୍କର ଥିଲା ଯେ ଦୁଇରୁ ତିନି କିଲୋମିଟର ପରିଧି ମଧ୍ୟରେ ଥିବା ଲୋକେ ପ୍ରଚଣ୍ଡ ଶବ୍ଦ ଶୁଣି ହତବାକ୍ ହୋଇଯାଇଥିଲେ। କିଛି ସମୟ ପରେ ଘଟଣାସ୍ଥଳରେ ୫ଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିସାରିଛି ସତ କିନ୍ତୁ ଘଟଣାସ୍ଥଳର ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ। ବିସ୍ଫୋରଣରେ ଅତି କମରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ତେବେ ଏ ନେଇ ସରକାରୀ ଭାବେ କିଛି ଘୋଷଣା କରାଯାଇ ନାହିଁ। ୧୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଦୁଇଜଣଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି।

ଜଣଙ୍କ ଶରୀରର ୪୦ ଏବଂ ଅନ୍ୟ ଜଣଙ୍କର ୬୦ ପ୍ରତିଶତ ପୋଡ଼ିଯାଇଛି। ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପେଟ୍ରୋଲ ପମ୍ପ ପରିସର ଓ ଏହାର ଆଖପାଖ ଅଞ୍ଚଳରେ ଲୋକଙ୍କ ହାତ, ଗୋଡ଼, ମାଂସ, ଆଙ୍ଗୁଠି ଆଦି ଛିନ୍ନିଛତ୍ର ହୋଇ ପଡ଼ି ରହିଛି। ଏହି ଦୃଶ୍ୟ ଏତେ ହୃଦୟବିଦାରକ ଯେ ଆପଣଙ୍କୁ ଆମେ ତାହା ଦେଖାଇ ପାରିବୁ ନାହିଁ। କାରଣ ଏକ ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମ ଭାବେ ଆମେ ସେ ଦୃଶ୍ୟ ଦେଖାଇ ଆପଣଙ୍କୁ ବିଚଳିତ କରିବାକୁ ଚାହୁଁନାହୁଁ। ତେବେ ଏହି କଥାରୁ ଆପଣ ବିସ୍ଫୋରଣର ଭୟାବହତା ଅନୁମାନ କରିପାରିବେ ଯେ ପେଟ୍ରୋଲ ପମ୍ପର ପ୍ରାୟ ୧ କିଲୋମିଟର ପରିଧି ମଧ୍ୟରେ ଥିବା ଅଧିକାଂଶ ଘର ଭାଙ୍ଗିରୁଜି ଯାଇଛି। ଘରର କାଚ, ଝରକା, କବାଟ ଆଦି ଭାଙ୍ଗିଛି।

ଏପରିକି କେତେକ ଘରର କାନ୍ଥ ଓ ଛାତରେ ମଧ୍ୟ ଫାଟ ସୃଷ୍ଟି ହୋଇଛି। ପେଟ୍ରୋଲ ପମ୍ପର ଅତି ନିକଟରେ ଅର୍ଥାତ ୨୦୦/୩୦୦ ମିଟର ପରିଧି ଭିତରେ ଥିବା କେତେକ କଚ୍ଚା ଘରର ଛାତ, କାନ୍ଥ ଭୁଶୁଡ଼ି ବି ପଡ଼ିଛି। ଏଥିରୁ ଅନୁମାନ କରାଯାଇ ପାରେ ଯେ ବିସ୍ଫୋରଣ ସ୍ଥଳରେ ଅର୍ଥାତ ପେଟ୍ରୋଲ ପମ୍ପ ପରିସରରେ ଥିବା କର୍ମଚାରୀ ଏବଂ ଗ୍ରାହକଙ୍କ ଅବସ୍ଥା କ’ଣ ହୋଇଥିବ। ବିସ୍ଫୋରଣ ପରେ ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତି, ଆଇଜି ଅସିତ୍ ପାଣିଗ୍ରୀହୀ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ପେଟ୍ରୋଲ ପମ୍ପ ନିକଟକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ପୋଲିସ ସିଲ୍ କରିଦେଇଛି।

ଘଟଣାସ୍ଥଳରେ ଫୋରେନସିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପେଟ୍ରୋଲ ପମ୍ପର ଦୁଇ କିଲୋମିଟର ପରିଧି ମଧ୍ୟରେ ଥିବା ଲୋକଙ୍କ ପାଇଁ ସତର୍କତାମୂଳକ ପରାମର୍ଶ ଜାରି କରିଛି କମିଶନରେଟ୍ ପୋଲିସ। ସନ୍ଧ୍ୟା ପର୍ୟ୍ୟନ୍ତ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଘରେ ଏଲପିଜି ଗ୍ୟାସ୍ ବ୍ୟବହାର ନ କରିବାକୁ ବି ପରାମର୍ଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଆହତଙ୍କ ମାଗଣା ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେପଟେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ବିସ୍ଫୋରଣ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନ। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ବିଭାଗ ସଚିବ ଏହାର ତଦନ୍ତ କରିବେ ବୋଲି ପ୍ରଧାନ କହିଛନ୍ତି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବା ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

Leave A Reply

Your email address will not be published.