Masthead

ସେହେଜାଦାରୁ ଜନନାୟକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ ରାଜନୀତିର ସବୁଠୁ ଶକ୍ତିଶାଳୀ ପରିବାରରେ ଜନ୍ମ…ଜନ୍ମରୁ ହିଁ ହାତରେ ସୁନାର ଚାମଚ…ମୁଣ୍ଡରେ ରାଜକୁମାର ଆଉ ସେହେଜାଦାର ଷ୍ଟାମ୍ପ। କିନ୍ତୁ କିଏ ଜାଣିଥିଲା ଏହି ରାଜକୁମାରଙ୍କ ଜୀବନ ଯାତ୍ରା ରାଜପ୍ରାସାଦରୁ ନୁହେଁ ବରଂ ରାଜରାସ୍ତାର ସଂଘର୍ଷରୁ ଆରମ୍ଭ ହେବ? ଆଜି ହେଉଛି କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ୫୬ତମ ଜନ୍ମଦିନ। ଦୁଇ ଦଶନ୍ଧିର ରାଜନୈତିକ କେରିଅରରେ ଉତ୍ଥାନ କମ୍ ବରଂ ପତନ ଅଧିକ ଦେଖିଛନ୍ତି ଏହି ନେତା। ଅନେକ ପରାଜୟ, ଷଡଯନ୍ତ୍ର, ସମାଲୋଚନା ଆଉ ଟ୍ରୋଲର ଶିକାର ହେବା ପରେ ବି ପୁଣି ଥରେ ଅଣ୍ଟା ସଜାଡି ଦୃଢତାର ସହ ଛିଡା ହୋଇଛନ୍ତି ରାହୁଲ। ଦିନେ ସାରା ଦେଶ ଯାହାକୁ ‘ପପ୍ପୁ’ ବୋଲି ଟ୍ରୋଲ କରୁଥିଲା, ଆଜି ସେହିମାନଙ୍କ ପାଇଁ ଜଣେ ଶକ୍ତିଶାଳୀ ‘ଜନନାୟକ’ ଭଳି ଉଭା ହୋଇଛନ୍ତି ରାହୁଲ।

ଆସନ୍ତୁ ନଜର ପକାଇବା ରାହୁଲ ଗାନ୍ଧିଙ୍କ ସେହେଜାଦାରୁ ଜନନାୟକ ହେବାର ଯାତ୍ରାକୁ ନେଇ ଏହି ସ୍ପେସିଆଲ ରିପୋର୍ଟ ।୧୯ ଜୁନ୍ ୧୯୭୦। ଦିଲ୍ଲୀରେ ନେହେରୁ-ଗାନ୍ଧୀ ପରିବାରର ଅଣନାତି ତଥା ରାଜୀବ-ସୋନିଆଙ୍କ ବଡ଼ ପୁଅ ରାହୁଲ ଗାନ୍ଧିଙ୍କ ଜନ୍ମ । ଅଣଜେଜେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ଜେଜେମା’ ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ, ପରେ ବାପା ରାଜୀବ ଗାନ୍ଧି ମଧ୍ୟ ଦେଶର ପ୍ରଧାନମନ୍ତ୍ରୀ ହେଲେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା ଦେଖନ୍ତୁ, ପିଲାଦିନେ ଜେଜେମା’ଙ୍କ ହତ୍ୟା ଆଉ ୧୯୯୧ରେ ଆଖି ଆଗରେ ବାପାଙ୍କୁ ହରାଇବା ପରେ ରାହୁଲଙ୍କ ସୁରକ୍ଷା ପାଇଁ ତାଙ୍କୁ ନିଜ ନାଁ ବଦଳାଇ ବିଦେଶରେ ପଢ଼ିବାକୁ ପଡ଼ିଥିଲା।୨୦୦୪ ମସିହାରେ ରାହୁଲ ଯେତେବେଳେ ଆମେଥିରୁ ପ୍ରଥମ କରି ରାଜନୀତି ମଇଦାନକୁ ଓହ୍ଲାଇଲେ, ଦେଶ ତାଙ୍କୁ ‘ରାଜକୁମାର’ ଭାବେ ଗ୍ରହଣ କଲା। ପ୍ରଥମ ନିର୍ବାଚନ ଜିତିଲେ, କିନ୍ତୁ କ୍ଷମତା ପଛରେ ସେ କେବେ ଗୋଡ଼ାଇ ନଥିଲେ। ମନମୋହନ ସିଂଙ୍କ ସରକାର ସମୟରେ ମନ୍ତ୍ରୀ ପଦ ମିଳୁଥିଲେ ବି ସେ ସେତେବେଳେ ସଂଗଠନକୁ ଗୁରୁତ୍ୱ ଦେଇଥିଲେ। କିନ୍ତୁ ଏହି କ୍ଷମତାଠାରୁ ଦୂରେଇ ରହିବା ହିଁ ତାଙ୍କ ପାଇଁ ଆଗକୁ ବଡ଼ ବିପଦ ସାଜିବାକୁ ଯାଉଥିଲା। ୨୦୧୪ ମସିହା… ଭାରତୀୟ ରାଜନୀତିରେ ମୋଦି ଝଡ଼ର ଆରମ୍ଭ। ଆଉ ଏହି ଝଡ଼ରେ ସବୁଠୁ ବଡ଼ ଶିକାର ହେଲେ ରାହୁଲ ଗାନ୍ଧି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ସୋସିଆଲ ମିଡିଆରେ ରାହୁଲଙ୍କ ଏକ ଖରାପ ଇମେଜ୍ ତିଆରି କରାଗଲା। ତାଙ୍କ ଭାଷଣର କିଛି ଅଂଶକୁ କାଟିକୁଟି ସୋସିଆଲ ମିଡିଆରେ ତାଙ୍କୁ ‘ପପ୍ପୁ’ ଭାବରେ ସାବ୍ୟସ୍ତ କରାଗଲା।

୨୦୧୯ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହେଲା। ଏପରିକି ନିଜ ପାରମ୍ପରିକ ଆସନ ଆମେଥିରୁ ବି ରାହୁଲ ହାରିଗଲେ। ସେ ସମସ୍ତ ଦାୟିତ୍ୱ ନିଜ ମୁଣ୍ଡକୁ ନେଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ। ତାଙ୍କୁ ଅଣଦେଖା କରାଗଲା, ମିଡିଆ ତାଙ୍କୁ ରିଜେକ୍ଟ କରିଦେଲା। ଏପରିକି ମାନହାନି ମାମଲାରେ ତାଙ୍କ ସାଂସଦ ପଦ ଚାଲିଗଲା, ସରକାରୀ ଘର ବି ଛଡ଼ାଇ ନିଆଗଲା। ଅନେକ ଭାବିଲେ, ଗାନ୍ଧି ପରିବାରର ଏହି ସେହେଜାଦାଙ୍କ ରାଜନୈତିକ କ୍ୟାରିୟର ଏଠି ଶେଷ ହୋଇଗଲା। କିନ୍ତୁ ପକ୍ଷୀ ଫିନିକ୍ସ ଭଳି ପାଉଁଶରୁ ଉଡ଼ିବାର ଜିଦ୍ ଛାଡ଼ି ନଥିଲେ ରାହୁଲ। କୁହାଯାଏ ଯେତେବେଳେ ସବୁ ବାଟ ବନ୍ଦ ହୋଇଯାଏ, ସେତେବେଳେ ଜନତାଙ୍କ ଦରବାର ହିଁ ଏକମାତ୍ର ଭରସା ସାଜେ। ଶେଷରେ ରାହୁଲ ମଧ୍ୟ ସେଇଆ କଲେ। ଏସି ରୁମ୍ ଏବଂ ଟ୍ୱିଟର ଆକାଉଣ୍ଟ ଛାଡି ଓହ୍ଲାଇ ଆସିଲେ ସୁଦୂର କନ୍ୟାକୁମାରୀର ରାସ୍ତାକୁ। ଆରମ୍ଭ ହେଲା ‘ଭାରତ ଯୋଡୋ ଯାତ୍ରା’।କନ୍ୟାକୁମାରୀରୁ କାଶ୍ମୀର… ୪୦୦୦ କିଲୋମିଟରରୁ ଅଧିକ ପାଦରେ ଚାଲିଲେ। ଦାଢ଼ି ବଢ଼ିଲା, ଟି-ଶର୍ଟ ପିନ୍ଧି ଖରା, ବର୍ଷା, ଶୀତ କାକରକୁ ଖାତିର ନକରି ସେ ଚାଲିଲେ। ସେ ରାସ୍ତାରେ ଲୋକଙ୍କ ଦୁଃଖ ଶୁଣିଲେ, କୁଲିଙ୍କ ବୋଝ ବୋହିଲେ, ଚାଷୀଙ୍କ ସହ କ୍ଷେତକୁ ଗଲେ, ମେକାନିକଙ୍କ ସହ ଗାଡ଼ି ସଜାଡ଼ିଲେ। ସାରା ଦେଶରେ ଗୋଟିଏ ନାରା ଦେଲେ ରାହୁଲ “ନଫରତ କେ ବାଜାର ମେଁ, ମୋହବତ କୀ ଦୁକାନ ଖୋଲନୀ ହୈ”ଏହି ଯାତ୍ରା କେବଳ ଭାରତ ଯୋଡ଼ର ନଥିଲା ବରଂ ରାହୁଲଙ୍କ ସେହି ପୁରୁଣା ଟ୍ରୋଲ ହୋଇଥିବା ଇମେଜକୁ ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର କରିଦେଲା। ଲୋକେ ଦେଖିଲେ ଏହି ମଣିଷଟି ସେହେଜାଦା ନୁହେଁ, ସେ ତ ଆମରି ଭିତରୁ ଜଣେ।

୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ଆସିଲା ଏବଂ କଂଗ୍ରେସ ସହ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ଦେଶରେ ଶକ୍ତିଶାଳୀ ଭାବେ ଉଭା ହେଲା। ରାହୁଲ ଗାନ୍ଧୀ ରାଏବରେଲିଲ ସମେତ କେରଳର ଓ୍ବାଇନାଡରୁ ବଡ଼ ବ୍ୟବଧାନରେ ଜିତି ସଂସଦକୁ ଫେରିଲେ। ଆଉ ଆଜି ସେ କେବଳ ଜଣେ ସାଂସଦ ନୁହନ୍ତି, ସେ ହେଉଛନ୍ତି ଦେଶର ‘ଲିଡର ଅଫ ଓପୋଜିସନ’ ବା ବିରୋଧୀ ଦଳ ନେତା।ଆଜି ୫୬ ବର୍ଷ ବୟସରେ ପଦାର୍ପଣ କରିଥିବା ରାହୁଲ ଗାନ୍ଧୀଙ୍କ ଅନ୍ଦାଜ ସମ୍ପୂର୍ଣ୍ଣ ବଦଳି ଯାଇଛି। ସଂସଦରେ ସରକାରଙ୍କ ଆଖିରେ ଆଖି ମିଶାଇ ସେ ଜନତାର ପ୍ରଶ୍ନ ପଚାରୁଛନ୍ତି। ବେକାରୀ, ମହଙ୍ଗା ମାଡ଼, ଏବଂ ସାମାଜିକ ନ୍ୟାୟ ପାଇଁ ସେ ସ୍ୱର ଉତ୍ତୋଳନ କରୁଛନ୍ତି। ଯେଉଁମାନେ ଦିନେ ତାଙ୍କୁ ହାଲୁକା ଭାବେ ନେଉଥିଲେ, ଆଜି ସେମାନେ ମଧ୍ୟ ରାହୁଲଙ୍କ ରଣନୀତିକୁ ଦେଖି ଚିନ୍ତାରେ। ହାରିଯିବା ବଡ଼ କଥା ନୁହେଁ, କିନ୍ତୁ ହାରିବା ପରେ ପୁଣି ଉଠି ଛିଡ଼ା ହେବା ଏବଂ ଶତ୍ରୁର ସମସ୍ତ ବାଣକୁ ନିଜର ଶକ୍ତିରେ ପରିଣତ କରିଦେବା ହିଁ ଜଣେ ପ୍ରକୃତ ନେତାର ପରିଚୟ। ରାହୁଲ ନିଜ ଜୀବନରେ ଏହା ପ୍ରମାଣ କରି ଦେଖାଇଛନ୍ତି। ରାଜକୁମାରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ସଂଘର୍ଷର ନିଆଁରେ ପୋଡ଼ି ହୋଇ ଜଣେ ‘ଜନନାୟକ’ର ରୂପ ନେଇଛି। ୫୬ତମ ଜନ୍ମଦିନ ଅବସରରେ ଦେଶର ଏହି ରାଜନେତାଙ୍କୁ ଅନେକ ଅନେକ ଶୁଭେଚ୍ଛା। ଶୁଭଦୀପଙ୍କ ରିପୋର୍ଟ ବଡ଼ ଖବର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସେହେଜାଦାରୁ ଜନନାୟକ 🔴 ବଢିଲା ଯୁକ୍ତ ୩ ଆସନ ସଂଖ୍ୟା 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ସେହେଜାଦାରୁ ଜନନାୟକ 🔴 ବଢିଲା ଯୁକ୍ତ ୩ ଆସନ ସଂଖ୍ୟା 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ