Masthead

ରାୟଗଡ଼ାରେ ମାନବିକତାର ହତ୍ୟା: ଗୁଗୁଲ୍ ମ୍ୟାପ୍‌ ଚକ୍କରରେ ଆସି ପିଲାଚୋର ସନ୍ଦେହରେ ଯୁବକ-ଯୁବତୀଙ୍କୁ ଗଣ ନିର୍ଯାତନା, ୧୬ ଗିରଫ

ରାୟଗଡ଼ା (ବଡ଼ଖବର ବ୍ୟୁରୋ): ସନ୍ଦେହ ଆଗରେ ମରିଯାଇଛି ମାନବିକତା, ଉଜୁଡ଼ି ଯାଇଛି ବିବେକ। ସାରା ରାଜ୍ୟକୁ ସ୍ତବ୍ଧ ଓ ଆନ୍ଦୋଳିତ କରିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଥିବା ଏକ ଲୋମହର୍ଷଣକାରୀ ଭିଡ଼ ହିଂସା ଗୁଗୁଲ୍ ମ୍ୟାପ୍‌ର ଭୁଲ୍ ସୂଚନା ଯୋଗୁଁ ଅଜଣା ଗାଁରେ ପହଞ୍ଚିଥିବା ଦୁଇ ଜଣ ନିରୀହ ଯୁବକ ଓ ଯୁବତୀଙ୍କୁ ‘ପିଲାଚୋର’ ସନ୍ଦେହ କରି ଗ୍ରାମବାସୀ ଯେଭଳି ଭାବେ ଅମାନୁଷିକ ନିର୍ଯାତନା ଦେଇଛନ୍ତି, ତାହା ଭୁବନେଶ୍ୱରର ବାଲିଅନ୍ତା କାଣ୍ଡଠାରୁ ବି ବୀଭତ୍ସ ରୂପ ନେଇଛି। ଯୁବତୀ ଜଣକ ନିଜ ଇଜ୍ଜତ ବଞ୍ଚାଇବା ପାଇଁ ଚିଲ୍ଲାଇ ଚିଲ୍ଲାଇ କାକୁତି ମିନତି ହେଉଥିଲେ ମଧ୍ୟ ପିଶାଚ ସାଜିଥିବା ଉତ୍ୟକ୍ତ ଭିଡ଼ ତାଙ୍କ କପଡ଼ା ଚିରି, ଚୁଟି ଘୋଷାଡ଼ି ନିର୍ଧୁମ ପିଟି ଚାଲିଥିଲେ। ଏହି ଘଟଣାରେ ପୋଲିସ ତତ୍ପରତା ପ୍ରକାଶ କରି ସେଦିନର ୧୬ ଜଣ ହିଂସାକାରୀଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୧୬ ତାରିଖ ରାତି ପ୍ରାୟ ୮ଟା ସମୟରେ କନ୍ଧମାଳର ଏକ ଏନଜିଓରେ କାମ କରୁଥିବା ରାଜ୍ୟ ବାହାରର ଜଣେ ଯୁବକ ଓ ଯୁବତୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଭିମୁଖେ ଯାଉଥିଲେ। ମାତ୍ର ରାସ୍ତା ସମ୍ପର୍କରେ ଧାରଣା ନଥିବାରୁ ସେମାନେ ଗୁଗୁଲ୍ ମ୍ୟାପ୍‌ର ସାହାରା ନେଇଥିଲେ। ଗୁଗୁଲ୍ ମ୍ୟାପ୍‌ର ଭୁଲ୍ ରୁଟ୍ ଯୋଗୁଁ ଉଭୟେ କଲ୍ୟାଣସିଂହପୁରର ଇନ୍ତାଲିଗୁଡ଼ା ଗାଁ ଭିତରକୁ ପଶି ଯାଇଥିଲେ। ସେଠାରେ ଖେଳୁଥିବା କିଛି ଛୋଟ ପିଲାଙ୍କୁ ଦେଖି ସେମାନେ ସ୍ନେହରେ କିଛି ବିସ୍କୁଟ୍ ଦେଇଥିଲେ। ମାତ୍ର ଦୁହେଁ ହିନ୍ଦୀ ଭାଷାରେ କଥା ହେଉଥିବାରୁ ଏବଂ ଅପରିଚିତ ଥିବାରୁ ସେମାନଙ୍କୁ ଦେଖି ଗ୍ରାମବାସୀ ‘ପିଲାଚୋର’ ବୋଲି ଭାବି ନେଇଥିଲେ। ଉଭୟ ଯୁବକ-ଯୁବତୀ ନିଜକୁ ଏନଜିଓ କର୍ମଚାରୀ ବୋଲି ପରିଚୟ ଦେବା ସହ ନିଜର ଅଫିସିଆଲ୍ ଆଇଡେଣ୍ଟିଟି କାର୍ଡ ମଧ୍ୟ ଦେଖାଇଥିଲେ।

କିନ୍ତୁ ରକ୍ତମୁଖା ସାଜିଥିବା ଭିଡ଼ କିଛି ବି ଶୁଣିବାକୁ ପ୍ରସ୍ତୁତ ନଥିଲା। ଭିଡ଼ ଭିତରୁ ଯିଏ ଯେମିତି ପାରିଲା ବାଡ଼ି, ଚାପୁଡ଼ା ଓ ଲାତ ମାରି ଚାଲିଲା। ସତେ ଯେମିତି ଆଉ ଜଣେ ସୌମ୍ୟଙ୍କୁ ପିଟିପିଟି ମାରିବାକୁ ଏମାନେ ସଂକଳ୍ପ କରିଥିଲେ। ପରେ କୌଣସି ମତେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଚଢ଼ଉ କରାଯାଇ ୧୬ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ। ଅନ୍ୟ ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଜାରି ରହିଛି। ନିଜେ ରାୟଗଡ଼ା ଜିଲ୍ଲା ଏସପି ଡାକ୍ତରଖାନାରେ ପହଞ୍ଚି ଗୁରୁତର ପୀଡ଼ିତା ଓ ଯୁବକଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଆଲୋଚନା କରିଛନ୍ତି।

କଲ୍ୟାଣସିଂହପୁରର ଏହି ଘଟଣା ଆଜି ସମାଜର ଅସୁସ୍ଥ ମାନସିକତାର ଏକ ଭୟଙ୍କର ପ୍ରମାଣ ସାଜିଛି। ଏଠି ପ୍ରଶ୍ନ ଉଠୁଛି, ସତରେ ଆମେ କେଉଁ ସଭ୍ୟତା ଆଡ଼କୁ ଗତି କରୁଛୁ? ଆଇନ ଏବଂ ପୋଲିସ ପ୍ରକ୍ରିୟା ଉପରୁ ସାଧାରଣ ଲୋକଙ୍କ ଭରସା କଣ ସମ୍ପୂର୍ଣ୍ଣ ତୁଟି ଯାଇଛି? ଏଠି କେବଳ ଦୁଇ ଜଣ ଯୁବକ-ଯୁବତୀଙ୍କ ଉପରେ ଆକ୍ରମଣ ହୋଇନି, ବରଂ ଆକ୍ରମଣ ହୋଇଛି ଆମ ସଭ୍ୟତା ଏବଂ ମଣିଷପଣିଆ ଉପରେ। ଜାତୀୟ ସ୍ତରରେ ବାରମ୍ବାର ଏଭଳି ଭିଡ଼ ହିଂସା ରାଜ୍ୟକୁ ଲଜ୍ଜିତ କରୁଥିଲେ ବି, ଲୋକେ ପଶୁ ସଦୃଶ ଆଚରଣରୁ ବାହାରି ପାରୁନାହାଁନ୍ତି, ଯାହା ଅତ୍ୟନ୍ତ ଚିନ୍ତାଜନକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାୟଗଡ଼ାରେ ମାନବିକତାର ହତ୍ୟା: ଗୁଗୁଲ୍ ମ୍ୟାପ୍‌ ଚକ୍କରରେ ଆସି ପିଲାଚୋର ସନ୍ଦେହରେ ଯୁବକ-ଯୁବତୀଙ୍କୁ ଗଣ ନିର୍ଯାତନା, ୧୬ ଗିରଫ 🔴 ସେହେଜାଦାରୁ ଜନନାୟକ 🔴 ବଢିଲା ଯୁକ୍ତ ୩ ଆସନ ସଂଖ୍ୟା 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ରାୟଗଡ଼ାରେ ମାନବିକତାର ହତ୍ୟା: ଗୁଗୁଲ୍ ମ୍ୟାପ୍‌ ଚକ୍କରରେ ଆସି ପିଲାଚୋର ସନ୍ଦେହରେ ଯୁବକ-ଯୁବତୀଙ୍କୁ ଗଣ ନିର୍ଯାତନା, ୧୬ ଗିରଫ 🔴 ସେହେଜାଦାରୁ ଜନନାୟକ 🔴 ବଢିଲା ଯୁକ୍ତ ୩ ଆସନ ସଂଖ୍ୟା 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର