ପୁରୀ (ବଡ଼ ଖବର ବ୍ୟୁରୋ): ବହୁ ପ୍ରତୀକ୍ଷାର ଘଟିବ ଅନ୍ତ । ଆଜି ଦିନ ଗୋଟାଏ ପରେ ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏଥିପାଇଁ ସରକାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୋର ବା ଏସ୍ଓପିକୁ ଅନୁମୋଦନ କରିଛନ୍ତି । ଏହା ଆଧାରରେ ଆଜି ଶୁଭମୁହୂର୍ତ୍ତରେ ରତ୍ନଭଣ୍ଡାର ଖୋଲିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଶନିବାର ଜରୁରି ବୈଠକ ଡାକି ପ୍ରସ୍ତୁତି ଆରମ୍ଭ କରିଛି । ୪୫ ବର୍ଷ ଧରି ଲାଗି ରହିଥିବା ଚର୍ଚ୍ଚା, ଆଲୋଚନା ଓ ଅଭିଯୋଗର ସତ୍ୟାସତ୍ୟ ସାମ୍ନାକୁ ଆସିବ । ୪ ଦଶନ୍ଧି ପରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଶ୍ରୀମନ୍ଦିର ପ୍ରଶାସନକୁ ସରକାରଙ୍କ ଏସ୍ଓପି ମିଳିବା ପରେ ସମସ୍ତ ପ୍ରକାର ପ୍ରସ୍ତୁତି ତେଜିଛି । ଆଜି ଅପରାହ୍ନ ଗୋଟାଏ ପରେ ଶୁଭ ମୁହୂର୍ତ୍ତ ରହିଛି । ଶୁଭ ମୁହୂର୍ତ୍ତ ନିର୍ଘଣ୍ଟ ହେବା ପରେ ଠିକ୍ ସେଇ ସମୟରେ ରତ୍ନଭଣ୍ଡାର ଖୋଲାଯିବ । ଯଦି ଚାବିରେ ନଖୋଲିଲା ତେବେ ଚାବି ଭଙ୍ଗାଯିବ । ଏଥିପାଇଁ ତାଲା ଭଙ୍ଗା ଟିମର ସହାୟତା ନିଆଯିବ । ଭଣ୍ଡାର ଖୋଲିବା ପୂର୍ବରୁ ବିଧିବଦ୍ଧ ଭାବେ ମହାପ୍ରଭୁ, ମା’ ଲକ୍ଷ୍ମୀ, ଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥ, ମା’ ବିମଳାଙ୍କ ଠାରେ ପୂଜାର୍ଚ୍ଚନା କରାଯିବ ।

ଶ୍ରୀମନ୍ଦିର ବେଢ଼ାରେ ଥିବା ଅନ୍ୟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ପରେ ଶୁଭ ସମୟରେ ଭଣ୍ଡାର ଖୋଲାଯିବ । ଭିତରେ ସାପ ଥିବାର ଆଶଙ୍କା ଥିବାରୁ ସ୍ନେକ୍ ହେଲପ୍ଲାଇନର ସହାୟତା ନିଆଯିବ । ଡାକ୍ତରୀ ଦଳ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟ ନିକଟରେ ମହଜୁଦ ରହିବେ । ଆବଶ୍ୟକ ହେଲେ ଭଣ୍ଡାର ଭିତରକୁ ଯିବେ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି, ଦୀର୍ଘ ବର୍ଷ ପରେ ରତ୍ନଭଣ୍ଡାର ଖୋଲିବା ନେଇ ସରକାର ଏସଓପି ବା ନିୟମାବଳୀ ଧାର୍ଯ୍ୟ କରି ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । କେମିତି ଖୋଲିବ ରତ୍ନଭଣ୍ଡାର । କେଉଁମାନେ ଭିତରକୁ ଯିବେ? ଭିତରେ କେଉଁ ପ୍ରକ୍ରିୟାରେ ଗଣତି ମଣତି ହେବ ସେ ସଂପର୍କରେ ଏସ୍ଓପିରେ ସ୍ପଷ୍ଟ କରାଯାଇଛି । ଏଥିପାଇଁ ଅଲଗା ଅଲଗା ବିଶେଷଜ୍ଞ ଟିମ୍ କରାଯାଇଛି । କେଉଁ ଟିମ୍ କେଉଁ କାମ କରିବ ତାହା ସ୍ପଷ୍ଟ ଦର୍ଶାଯାଇଛି । ରତ୍ନଭଣ୍ଡାର ତଦାରଖ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି, ଆଜି ଦିନ ୧୦ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ କମିଟିର ଏକ ବୈଠକ ବସିବ । ସରକାରଙ୍କ ଏସ୍ଓପି ଆଲୋଚନା କରାଯିବା ସହ ଓ ରତ୍ନଭଣ୍ଡାର ଖୋଲିବାକୁ କେଉଁ ଟିମ୍ ଯିବ ସେନେଇ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରାଯିବ ।

Leave a Reply

Your email address will not be published. Required fields are marked *