Before Header

ପଢନ୍ତୁ ସଂକ୍ଷେପରେ କରୋନା ଖବର…

0 51

(ବଡ଼ ଖବର ବ୍ୟୁରୋ): -କରୋନାର ଡେଲଟା ପ୍ଲସ ଭ୍ୟାରିଆଣ୍ଟକୁ ନେଇ ଆଇଏଲଏସ୍ ନିର୍ଦ୍ଦେଶକଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା । ଡେଲଟା ପ୍ଲସ ଘାତକ ନୁହେଁ । ଏହା ଘାତକ ହୋଇଥିଲେ ଦେବଗଡ଼ରେ ବ୍ୟାପିସାରନ୍ତାଣି । ତଥାପି ସମସ୍ତେ ସତର୍କ ରହିବା ଦରକାର ବୋଲି ସେ କହିଛନ୍ତି।

-ଚିନ୍ତା ବଢ଼ାଉଛି ଡେଲଟା ପ୍ଲସ । ଭୂତାଣୁରେ ସଂକ୍ରମିତ ହୋଇ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଦେଶରେ ମୋଟ ୧୧ଟି ରାଜ୍ୟର ୧୮ଟି ଜିଲ୍ଲାରେ ୪୮ଡେଲ୍ଟା ପ୍ଲସ ମାମଲା ଚିହ୍ନଟ ହୋଇଛି ।

-ମହାରାଷ୍ଟ୍ରରେ ସର୍ବାଧିକ ୨୦ଟି ଡେଲ୍ଟା ପ୍ଲସ ମାମଲା ଚିହ୍ନଟ ହୋଇଛନ୍ତି । କେବଳ ଭାରତରେ ସୀମିତ ନ ହୋଇ ବିଶ୍ୱର ମୋଟ ୧୨ଟି ଦେଶରେ ଏହି ପ୍ରଜାତି ଚିହ୍ନଟ ହୋଇଛନ୍ତି। ମଧ୍ୟପ୍ରଦେଶରେ ଦୁଇଜଣ ଓ ମହାରାଷ୍ଟ୍ରରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

-ପୂର୍ବରୁ ମଧ୍ୟପ୍ରଦେଶରେ ଦେଶର ପ୍ରଥମ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସରେ ସଂକ୍ରମିତ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ରତ୍ନଗିରିରେ ଜଣେ ୮୦ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ସେପଟେ ଓଡ଼ିଶାରେ ମଧ୍ୟ ପ୍ରଥମ ଡେଲ୍ଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଛି ।
-ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯେଉଁ ଯେଉଁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି, ସେଠାରେ ସ୍ଵତନ୍ତ୍ର ଷ୍ଟ୍ରାଟେଜି ଆପଣାଯାଉଛି । ସର୍ଭିଲାନ୍ସଠୁ ନେଇ ଟିକାକରଣକୁ ତ୍ବରାନ୍ବିତ କରାଯାଉଛି । ଅମାନିଆଙ୍କ ପାଇଁ ସଂକ୍ରମଣ ତଳମୁହାଁ ହେଉନାହିଁ । ଲୋକ କ୍ଷୀର ନେବା ପାଇଁ ଯାଇ ବାହାରେ ଖଟି କରୁଛନ୍ତି ।
-ଲୋକଙ୍କ ବ୍ୟବହାର ପାଇଁ ସଂକ୍ରମଣ ବଢୁଛି । ଭୁବନେଶ୍ବରରେ ସଂକ୍ରମଣ ବଢିବା ପାଇଁ ବିଭିନ୍ନ କାରଣ ରହିଛି । ଲୋକମାନଙ୍କ ନିୟମ ନ ମାନିବା, ବାହାରକୁ ଅଧିକ ସଂଖ୍ୟକ ଲୋକ ଏକ ସାଙ୍ଗରେ ବାହାରିବା, ଭାଇରସ୍ ଯାଇନଥିବା ବେଳେ ଆମେ ବାହାରକୁ ବାହାରି ସଂକ୍ରମଣ ବ୍ୟାପିବାକୁ ପ୍ରୋତ୍ସାହନ ଦେଉଛୁ ।
-ବିଭିନ୍ନ ଜିଲ୍ଲାରୁ ଲୋକମାନଙ୍କ ଯିବା ଆସିବା ଯୋଗୁଁ ଭୁବନେଶ୍ବରରେ ସଂକ୍ରମଣ ବର୍ତ୍ତମାନର ସ୍ଥିତି ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । ଡେ ଟୁ ଡେ ଡାଟାକୁ ବିଶ୍ଳେଷଣ କରାଯାଉଛି ହାଇକମିଟି ବୈଠକ ବସି ୩୦ ତାରିଖ ପରେ କ’ଣ ହେବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
-ଡେଲଟା ପ୍ଲସକୁ ନେଇ ସତର୍କ କରିଛନ୍ତି କେନ୍ଦ୍ର ସରକାର । ୮ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । କଣ୍ଟେନମେଣ୍ଟ କରି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କୁହାଯାଇଛି । ତାମିଲନାଡୁ, ରାଜସ୍ଥାନ, କର୍ଣ୍ଣାଟକ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ଜାମ୍ମୁ-କାଶ୍ମୀର, ଗୁଜୁରାଟ ଓ ହରିୟାଣା ସରକାରଙ୍କୁ ଏନେଇ ଚିଠି ଲେଖିଛନ୍ତି ।
-କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ ସୂଚନା ଦେଇ କହିଛନ୍ତି, ଆନ୍ଧ୍ରପ୍ରଦେଶର ତିରୁପତି, ଗୁଜୁରାଟର ସୁରଟ, ହରିୟାଣାର ଫରିଦାବାଦ, ଜମ୍ମୁ-କାଶ୍ମୀର କାଟ୍ରା, ରାଜସ୍ତାନର ବିକାନେର, ପଞ୍ଜାବର ପଟିଆଲା ଓ ଲୁଥିଆନା, କର୍ଣ୍ଣାଟକର ମହିଶୂର, ତାମିଲନାଡୁର ଚେନ୍ନାଇ, ମଦୁରାଇ ଏବଂ କାନଚିପୁରମରେ ଚିହ୍ନଟ ହୋଇଛନ୍ତି ।
-ଦେଶରେ ମୋଟ୍ ୫୦ ଡେଲଟା ପ୍ଲସ ମାମଲା ସାମନାକୁ ଆସିଛି । ଯେଉଁ ସ୍ଥାନରେ ଏହି ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେଠାରେ ତୁରନ୍ତ କଣ୍ଟେନମେଣ୍ଟ ଜୋନ୍ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି ।
-ଗର୍ଭବତୀ ମହିଳାଙ୍କୁ ଟିକା ଦେବା ନେଇ ସ୍ପଷ୍ଟ କରିଛି ଆଇସିଏମ୍ଆଇ । ଗର୍ଭବତୀ ମହିଳାଙ୍କୁ କରୋନା ଟିକା ଦେବା ଉଚିତ୍ ବୋଲି କୁହାଯାଇଛି । ଆଇସିଏମଆର୍ ନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି , କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ ଗର୍ଭବତୀ ମହିଳାଙ୍କୁ କରୋନା ଟିକା ଦିଆଯାଇ ପାରିବ । ଏନେଇ ଖୁବଶୀଘ୍ର ସରକାର ନିର୍ଦ୍ଦେଶନାମା ଜାରି କରିବେ।
-ଆଇସିଏମଆର ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ଦେଶରେ ଗର୍ଭବତୀ ଓ ପ୍ରସୂତୀମାନେ କରୋନାର ଦ୍ୱିତୀୟ ଲହରରେ ଅତି ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । ସେହିପରି ୨ ବର୍ଷରୁ ଅଧିକ ଶିଶୁଙ୍କୁ କରୋନା ଟିକା ଦିଆଯାଇ ପାରିବ ନା ନାହିଁ, ସେନେଇ ମଧ୍ୟ ଅଧ୍ୟୟନ ଚାଲିଥିବା ସେ ସୂଚନା ଦେଇଛନ୍ତି । ସେପ୍ଟେମ୍ବର ସୁଦ୍ଧା ଏହାର ଫଳାଫଳ ଆସିପାରେ ।
-ଏପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ବୟସ୍କ ଓ ଅଧିକ ସ୍ୱାସ୍ଥ୍ୟ ସଂକଟ ଥିବା ବ୍ୟକ୍ତିଙ୍କ ପାଇଁ ପ୍ରତିବର୍ଷ କରୋନାର ଏକ ବୁଷ୍ଟର ଡୋଜ୍ ଆବଶ୍ୟକ ପଡିପାରେ । ‘ହୁ’ର ଏକ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି ।
– ଡେଲଟା ପ୍ଲସ ଭ୍ୟାରିଆଣ୍ଟ ଚିନ୍ତା ବଢାଉଥରବା ବେଳେ ଆଜି ରାଜ୍ୟରେ ୩ ହଜାର ୫୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୩ହଜାର ତଳେ ସଂକ୍ରମଣ ଥିବା ବେଳେ ଆଜି ୩ହଜାର ପାର କରିଛି । ସେପଟେ ୨୪ଘଣ୍ଟାରେ ୪୭ଜୀବନ ନେଇଛୀ ମହାମାରୀ ।
-ରାଜ୍ୟରେ ଆଜି ୬୮, ୬୯୫ ନମୁନା ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୫୧, କଟକରୁ ୫୦୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୨୫୬, ଜଗତସିଂହପୁରରୁ ୧୪୫, ଭଦ୍ରକରେ ୧୫୮, ମୟୂରଭଞ୍ଜରେ ୧୯୬, ବାଲେଶ୍ୱରରୁ ୨୭୧, ଅନୁଗୁଳରେ ୧୩୩, ପୁରୀରୁ ୨୩୩ ଓ ନୟାଗଡରୁ ୧୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୯୭ହଜାର ୬୨ରେ ପହଞ୍ଚିଛି । ଆକ୍ଟିଭ୍ କେସ୍ ୩୩ହଜାର ୧୯ ।
-କୋରୋନା ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ପ୍ରସଙ୍ଗରେ ହାଇକୋର୍ଟ ଜବାବ ତଲବ କରିଛନ୍ତି । ପ୍ରତି ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁସଂଖ୍ୟାର କ’ଣ ସ୍ଥିତି ରହିଛି, ସେନେଇ ସବିଶେଷ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-ଅନ୍ୟପଟେ ରାଜ୍ୟରେ ମହାମାରୀରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଠିକ୍ ସଂଖ୍ୟା ପ୍ରକାଶ କରାଯାଉ ନାହିଁ ଅଭିଯୋଗ କରି ଆଇନଜୀବୀ ନିଶିକାନ୍ତ ମିଶ୍ର ଦାୟର କରିଥିବା ଜନସ୍ବାର୍ଥ ଆବେଦନକୁ ଓଡ଼ିଶା ହାଇକୋର୍ଟ ପିଆଇଏଲ୍ ରୁଲ୍ସ ପାଳନ କରାଯାଇ ନଥିବାରୁ ଖାରଜ କରିଛନ୍ତି । କିନ୍ତୁ ଏହି ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତର ସହ ଗ୍ରହଣ କରିଛନ୍ତି ।
-କୋରୋନା ସଂକ୍ରମଣ ସ୍ଥିତି ସମ୍ପର୍କିତ ବିଚାରାଧୀନ ଥିବା ଅନ୍ୟ ଏକ ଜନସ୍ବାର୍ଥ ଆବେଦନ ସହିତ ଏହି ପ୍ରସଙ୍ଗ ଉପରେ ଜୁଲାଇ ୫ରେ ଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋରୋନା ମୃତ୍ୟୁସଂଖ୍ୟା ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ତଥ୍ୟରେ ତାଳମେଳ ରହୁନାହିଁ ବୋଲି ଅଭିଯୋଗ ହୋଇ ଥିବାବେଳେ ନୟାଗଡରେ ହୋଇଥିବା ଏଭଳି ଘଟଣା ସଂକ୍ରାନ୍ତରେ ନିଶିକାନ୍ତ ମିଶ୍ରଙ୍କ ଆବେଦନରେ ଉଲ୍ଲେଖ କରାଯାଇଥିବା ପ୍ରସଙ୍ଗରେ ହାଇକୋର୍ଟ ସ୍ପଷ୍ଟୀକରଣ ଲୋଡିଛନ୍ତି ।
-ନୟାଗଡ଼ ଜିଲ୍ଲାରେ କୋରୋନା ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ତଥ୍ୟରେ ରହିଥିବା ସଂଖ୍ୟା ଠାରୁ ସରକାରୀ ସଂଖ୍ୟା କମ୍ ରହିଥିଲା । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଦନ୍ତ କରିଛନ୍ତି କି ନାହିଁ ସେନେଇ ଜୁଲାଇ ୫ରେ ଅବଗତ କରିବାକୁ ଆଡଭୋକେଟ ଜେନେରାଲଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
-ଏଥି ସହିତ ଘଟଣାର ସତ୍ୟା ସତ୍ୟ ସମ୍ପର୍କରେ ସ୍ଥିତି ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି । ନିଶିକାନ୍ତ ମିଶ୍ରଙ୍କ ଆବେଦନ ସହିତ ଦାଖଲ ଏ ସମ୍ପର୍କିତ ନଥିପତ୍ରକୁ କରୋନା ପ୍ରସଙ୍ଗକୁ ନେଇ ବିଚାରାଧୀନ ମାମଲାର ଫାଇଲରେ ସାମିଲ କରିବାକୁ ହାଇକୋର୍ଟ କହିଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ସଞ୍ଜିବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଶିକାନ୍ତ ମିଶ୍ରଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।
-କ‌ରୋନା ଦ୍ବିତୀୟ ଲହରରେ ନୟାଗଡ଼ ଜିଲ୍ଲାରେ ୯୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରିପୋର୍ଟ ଦେଇଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ରିପୋର୍ଟ ପ୍ରକାଶ ପାଇଥିଲା‌ ସେଥିରେ ମୃତ୍ୟୁସଂଖ୍ୟା ବହୁତ କମ୍ ଥିଲା । ତଥ୍ୟକୁ ନେଇ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଦେଇଥିବା ବୟାନରୁ ପ୍ରକୃତ ମୃତ୍ୟୁ ସଂଖ୍ୟା ପ୍ରକାଶ ପାଉନାହିଁ ବୋଲି ଆବେଦନରେ ଦର୍ଶାଯାଇଥିଲା ।
-ଏପ୍ରିଲରେ ନୂଆପଡ଼ା ଜିଲ୍ଲାରେ ପଜିଟିଭ ହାର ୩୫ ପ୍ରତିଶତ ରହିଥିବା ବେଳେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ମାତ୍ର ୪ ବୋଲି ଦର୍ଶାଯାଇଥିଲା । ଅନ୍ୟପକ୍ଷରେ ଜିଲ୍ଲାର ବିଭିନ୍ନ ସରକାରୀ ଡାକ୍ତରଖାନାର ତଥ୍ୟ ଅନୁସାରେ ମୃତ୍ୟୁସଂଖ୍ୟା ୮୨ ଥିଲା । ସମ୍ବଲପୁର ଜିଲ୍ଲାରେ ମଧ୍ୟ ସରକାରୀ ତଥ୍ୟ ଓ ଜିଲ୍ଲାର ବିଭିନ୍ନ ଡାକ୍ତରଖାନରୁ ମିଳିଥିବା ରିପୋର୍ଟରେ ରହିଥିବା ମୃତ୍ୟୁସଂଖ୍ୟାରେ ତାରତମ୍ୟ ରହିଥିଲା ।
-ଏପ୍ରିଲ ୨୬ରେ କଟକର ସତୀଚଉରା ଶ୍ମଶାନକୁ ଆବେଦନକାରୀ ଯାଇ ମୃତଦେହଦାହ କରୁଥିବା ବ୍ୟକ୍ତିମାନଙ୍କ ସହିତ ଆଲୋଚନା କରିଥିଲେ । ସେଦିନ ୪୪ଟି ମୃତଦେହ ଦାହ କରାଯାଇଥିଲା ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ସେହିପରି ଭୁ‌ବନେଶ୍ବର ସତ୍ୟନଗର ଶ୍ମଶାନରେ ସେହିଦିନ ପ୍ରାୟ ୪୦ ଟି ମୃତଦେହ ସଂସ୍କାର କରାଯାଇଥିଲା ।
-କିନ୍ତୁ ସାରା ରାଜ୍ୟରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟାକୁ ଦେଖିଲେ ଏହି ତଥ୍ୟକୁ ନେଇ ପ୍ରଶ୍ନ ଉଠିଛି । କରୋନା ସଂକ୍ରମଣରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପରିବାର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସହାୟତା ପ୍ରଦାନ କରୁ ଥିବାବେଳେ ପ୍ରକୃତରେ କିଏ କୋରୋନାରେ ପ୍ରାଣ ହରାଉଛି ତାହା ଚିହ୍ନଟ ହେବା ଆବଶ୍ୟକ । ନଚେତ ଏହି ସବୁ ଯୋଜନାର ଉପଯୁକ୍ତ ଫଳ ମିଳି ପାରିବ ନାହିଁ ।
-ରାଜ୍ୟ ସରକାର କରୋନା ମୃତ୍ୟୁ ତଥ୍ୟ ଠିକ୍ ଭାବେ ପ୍ରକାଶ କରିବା ଦରକାର । ଏହି ପ୍ରସଙ୍ଗରେ ସ୍ପେଶାଲ ଅଡିଟ୍ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଦର୍ଶାଇ ନିଶିକାନ୍ତ ମିଶ୍ର ଜୁନ୍ ୧୬ରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଇ-ମେଲ ମାଧ୍ୟମରେ ରିପ୍ରେ‌ଜେନଣ୍ଟେସନ୍ ଦେଇଥିଲେ । ପରେ ସେ ଉତ୍ତର ପାଇଁ ଅପେକ୍ଷା ନକରି ଜୁନ୍ ୧୮ରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ ।
-ପିଲାଙ୍କ ପାଇଁ ଟିକା ଉତ୍ପାଦନ ଆରମ୍ଭ କରିଛି ସେରମ୍ ଇନଷ୍ଟିଚ୍ୟୁଟ । କୋଭାଭାକ୍ସର ଉତ୍ପାଦନ ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସିରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ଆଦର ପୁନାୱାଲା । ସେ କହିଛନ୍ତି, ସେପ୍ଟେମ୍ବର ମାସରେ ଭାରତରେ ଉପଲବ୍ଧ ହୋଇପାରେ କୋଭୋଭାକ୍ସ ଟିକା । ଏଥିସହ ଆସନ୍ତା ମାସରୁ ଭାରତରେ ଛୋଟ ପିଲାଙ୍କ ଉପରେ ଏହି ଟିକାର ପରୀକ୍ଷା କରାଯାଇପାରେ ବୋଲି ସୂଚନା ମିଳିଛି ।
-ଆମେରିକାର ନୋଭାଭାକ୍ସ ଫାର୍ମା କମ୍ପାନୀ ଦ୍ୱାରା ବିକଶିତ ଏହି ଟିକା ମଧ୍ୟମ ଓ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଶହେ ପ୍ରତିଶତ ପ୍ରଭାବି ବୋଲି ନିର୍ମାତାଙ୍କ ପକ୍ଷରୁ ଦାବି କରାଯାଉଛି । ଏବଂ ଏହା ୯୦.୪% ପ୍ରଭାବି ବୋଲି ମଧ୍ୟ ଦାବି କରାଯାଉଛି ।
-ଏହି ଟିକା କେତେ ପ୍ରଭାବି ତାହା ଜାଣିବା ପାଇଁ ଆମେରିକା, ମେକ୍ସିକୋର ୧୧୯ ଟି ସ୍ଥାନରେ ୨୯ ହଜାର ୯୬୦ ଜଣଙ୍କ ଉପରେ ପରୀକ୍ଷା କରାଯାଇଥିଲା । ଏହି ଟିକା ଆସିଲେ ୧୮ବର୍ଷରୁ କମ୍ ବୟସ୍କଙ୍କ ପାଇଁ କରୋନା ବିରୋଧୀ ଲଢ଼େଇରେ ଏକ ପ୍ରମୁଖ ଅସ୍ତ୍ର ହେବ ।

Leave A Reply

Your email address will not be published.