ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚଳିତ ବର୍ଷ ଓଡ଼ିଶାରେ ବନ୍ୟା ଯୋଗୁଁ ୭ ଜଣଙ୍କ ଜୀବନ ଯାଇଛି। ଏଥିସହ ୯୩ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଛି। ବନ୍ୟାଜନିତ କ୍ଷୟକ୍ଷତି ନେଇ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ବନ୍ୟାରେ ମୋଟ ୧୮ ହଜାର ୭୬ଟି ଘର ଭାଙ୍ଗିଛି। ସେହିପରି ୨ ଲକ୍ଷ ୧୨ ହଜାର ୫୩୩ ହେକ୍ଟର ଫସଲ ନଷ୍ଟ ହୋଇଛି। ବନ୍ୟା ପ୍ରଭାବିତଙ୍କୁ ବ୍ୟକ୍ତିଗତ କ୍ଷତିଭରଣା ବାବଦରେ ସରକାରଙ୍କ ପକ୍ଷରୁ ୨୩୪ କୋଟି ୮୪ ଲକ୍ଷ ୮୬ ହଜାର ଟଙ୍କା ପ୍ରଦାନ କରାଯାଇଛି। ଘର ନିର୍ମାଣ ସହାୟତା ବାବଦରେ ୩୩ କୋଟି ଟଙ୍କା ଏବଂ ଫସଲହାନୀ ପାଇଁ ୧୫୧ କୋଟି ଟଙ୍କା ପ୍ରଦାନ କରାଯାଇଛି।
ସେହିପରି ବନ୍ୟା ପ୍ରଭାବିତଙ୍କୁ ପୋଷାକପତ୍ର ବାବଦରେ ୯ କୋଟି ୪୭ ଲକ୍ଷ ଟଙ୍କା ଏବଂ ବାସନକୁସନ ବାବଦରେ ମଧ୍ୟ ୯ କୋଟି ୪୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ବାଲିଚର ଜମିର ପୁନରୁଦ୍ଧାର ପାଇଁ ୪ କୋଟି ଟଙ୍କା ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ରିଲିଫ୍ ସାମଗ୍ରୀ ବଣ୍ଟନ ନେଇ ମଧ୍ୟ ବିଧାନସଭାରେ ତଥ୍ୟ ରଖିଛନ୍ତି ରାଜସ୍ୱ ମନ୍ତ୍ରୀ। ବନ୍ୟା ପ୍ରଭାବିତ ଅଞ୍ଚଳରେ ୧୫ ହଜାର ୭୧୫ କୁଇଣ୍ଟାଲ ଚାଉଳ, ୧୨ ହଜାର ୮୬୩ କୁଇଣ୍ଟାଲ ଚୁଡ଼ା ଏବଂ ୧୪୪୮ କୁଇଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି। ଏଥିସହ ୪୧୨୭ ମେଟ୍ରିକ ଟନ୍ ଗୋଖାଦ୍ୟ ଓ ୨୮ ହଜାର ୬୫୧ଟି ପଲିଥିନ ମଧ୍ୟ ବଣ୍ଟନ କରାଯାଇଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବିଧାନସଭାରେ ସୂଚନା ଦେଇଛନ୍ତି।
