ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଏବେ କରୋନା ଆକ୍ରାନ୍ତ ଅଛନ୍ତି । ବିଧାନସଭା ଅଧିବେଶନ ପୂର୍ବରୁ ଗତ ୨୮ ତାରିଖରେ ବିଧାୟକମାନଙ୍କର କରୋନା ଟେଷ୍ଟ କରାଯାଇଥିଲା । ଏଥିରେ ସାମନ୍ତରାୟଙ୍କ ସମେତ ଅନେକ ବିଧାୟକ ଏବଂ ମନ୍ତ୍ରୀ ପଜିଟିଭ୍ ଥିବା ଜଣାପଡ଼ିଥିଲା । ଏ ନେଇ ଖୋଦ ବିଧାୟକ ସାମନ୍ତରାୟ ଉକ୍ତ ଦିନ ଅର୍ଥାତ୍ ସେପ୍ଟେମ୍ବର ୨୮ରେ ଟୁଇଟ୍ କରି ସୂଚନା ଦେଇଥିଲେ । ୨୮ ତାରିଖ ଅପରାହ୍ନ ୧୨ଟା ୭ରେ ସାମନ୍ତରାୟ କରିଥିବା ଟୁଇଟରେ ଲେଖିଛନ୍ତି ଯେ ତାଙ୍କର କରୋନା ଟେଷ୍ଟ ପଜିଟିଭ୍ ଆସିଛି ।

ଗତ କିଛିଦିନ ମଧ୍ୟରେ ତାଙ୍କ ସହ ପାଖରୁ ମିଳାମିଶା କରିଥିବା ଲୋକେ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଥିଲେ । ସାମନ୍ତରାୟଙ୍କ ଟେଷ୍ଟକୁ ଏବେ ୭ ଦିନ ବିତିଛି । ତେବେ ପଜିଟିଭ୍ ବ୍ୟକ୍ତି ଅତି କମରେ ୧୭ ଦିନ ସଂଗରୋଧରେ ରହିବା କଥା । କିନ୍ତୁ ବିଧାୟକ ସାମନ୍ତରାୟ ସରକାରଙ୍କ ଏହି ଗାଇଡ୍ ଲାଇନକୁ ଫୁ କରିଦେଇଛନ୍ତି । ଆଜି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଶେଷଦର୍ଶନ ପାଇଁ ବିଧାୟକ ସାମନ୍ତରାୟ ପୁରୀ ସ୍ୱର୍ଗଦ୍ୱାର ଯାଇଥିବା ଦେଖିବାକୁ ମିଳିଥିଲା ।

ଖାଲି ଏତିକି ନୁହେଁ ସାମନ୍ତରାୟ ସତ୍ୟବାଦୀ ବ୍ଲକ ଛକରେ ମଧ୍ୟ ସ୍ୱର୍ଗତ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । କରୋନା ଆକ୍ରାନ୍ତ ଥାଇ ସାମନ୍ତରାୟ କିପରି ପୁରୀ ଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାଦ୍ୱାରା ସେ ସୁପରସ୍ପ୍ରେଡର ସାଜିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । କାରଣ ମହାରଥୀଙ୍କ ଶବ ଶୋଭାଯାତ୍ରାରେ ହଜାରରୁ ଊର୍ଦ୍ଧ୍ୱ ଲୋକ ସାମିଲ ହୋଇଥିଲେ । କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଖୋଦ ମୁଖ୍ୟମନ୍ତ୍ରୀ ବାରମ୍ବାର ଅନୁରୋଧ କରୁଛନ୍ତି ।

ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅମାନିଆଙ୍କୁ ପୋଲିସ ସାବାଡ଼ ମଧ୍ୟ କରୁଥିବା ହଜାର ହଜାର ନଜିର ରହିଛି । ତେବେ ଜଣେ ଶାସକ ଦଳର ବିଧାୟକ ହୋଇ ସାମନ୍ତରାୟ କିପରି ସରକାରୀ ନିୟମକୁ ଫୁ କରିଦେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Leave a Reply

Your email address will not be published. Required fields are marked *