କୋଲକାତା(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦୃଶ୍ୟପଟରେ ବଡ଼ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଯଶବନ୍ତ ସିହ୍ନା ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ(ଟିଏମସି)ରେ ସାମିଲ ହୋଇଛନ୍ତି। କିଛିଦିନ ହେଲା ଟିଏମସିର ବହୁ ବରିଷ୍ଠ ନେତା ବିଜେପିରେ ସାମିଲ ହେଉଥିଲେ।
ଏମାନଙ୍କ ମଧ୍ୟରୁ ସବୁଠାରୁ ହେଭିୱେଟ ଥିଲେ ଶୁଭେନ୍ଦୁ ଅଧିକାରୀ। ସେ ଏଥର ବିଜେପି ଟିକେଟରୁ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେଉଛନ୍ତି। ତାଙ୍କୁ ଚ୍ୟାଲେଞ୍ଜ ଦେବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ସେଠାରୁ ପ୍ରାର୍ଥୀ ହୋଇଛନ୍ତି।

ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଅର୍ଥ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିବା ଯଶୋବନ୍ତ ସିହ୍ନା ୨୦୧୮ରେ ବିଜେପିକୁ ବାଏ ବାଏ କହିଥିଲେ। ସେ କେନ୍ଦ୍ରରେ ମନ୍ତ୍ରୀ ଥିବାବେଳେ ମମତା ବାନାର୍ଜି ଥିଲେ କେନ୍ଦ୍ର ରେଳମନ୍ତ୍ରୀ । ଏହି ସମୟ ମଧ୍ୟରେ ଉଭୟନେତାଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ହୋଇଥିବା ଚର୍ଚ୍ଚା ହେଉଛି । ସେବେଠାରୁ ସେ ଅନେକ ସମୟରେ ମୋଦି ସରକାରଙ୍କ କାର୍ଯ୍ୟଶୈଳୀକୁ ସମାଲୋଚନା କରି ଆସୁଛନ୍ତି। କୋଲକାତାରେ ଥିବା ଟିଏମସି ଭବନକୁ ଆସି ସେ ଦଳରେ ଯୋଗଦେଇଛନ୍ତି।

ଏହି ମିଶ୍ରଣ ପର୍ବରେ ଟିଏମସିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ସେ ଟିଏମସି କାର୍ଯ୍ୟାଳୟରୁ ବିଜେପିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଦେଶ ଏକ ଅଭୂତ ସମୟର ସାମ୍ନା କରୁଛି। ଗଣତନ୍ତ୍ରର ଶକ୍ତି ଗଣତନ୍ତ୍ର ବିଭିନ୍ନ ସଂସ୍ଥାର ଶକ୍ତି ଉପରେ ନିର୍ଭର କରେ। କିନ୍ତୁ ବର୍ତ୍ତମାନ ନ୍ୟାୟପାଳିକା ଠାରୁ ଆରମ୍ଭ କରି ସବୁ ସଂସ୍ଥା ଦୁର୍ବଳ ହୋଇଯାଇଛି ବୋଲି ସେ କହିଛନ୍ତି। ପଶ୍ଚିମ ବଙ୍ଗରେ ୮ ଟି ପର୍ଯ୍ୟାରେ ହେବ ବିଧାନ ସଭା ନିର୍ବାଚନ । ମାର୍ଚ୍ଚ ୨୭ରେ ହେବ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ମେ ୩୦ରେ ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ ହେବ । ୭ କୋଟି ୩୪ ଲକ୍ଷ ୭ ହଜାର ୮୩୨ ଜଣ ଭୋଟର ୧୭ତମ ବିଧାନସଭା ନିର୍ବାଚନ ପାଇଁ ମତାଧିକାର ସାବ୍ୟସ୍ତ କରିବେ ।

Leave a Reply

Your email address will not be published. Required fields are marked *