Before Header

ଟାଟା ବିରୁଦ୍ଧରେ ବିକ୍ଷୋଭ

0 68

କଟକ (ବଡ଼ ଖବର ବ୍ୟୁରୋ): ଟାଟା କମ୍ପାନି ବିରୁଦ୍ଧରେ ବିକ୍ଷୋଭ । ବିଦ୍ୟୁତ୍ ଦେୟ ଅନଲାଇନରେ ଆଦାୟ, ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଓ ବିଦ୍ୟୁତ୍ ସେବାକୁ ଟାଟା କମ୍ପାନିକୁ ହସ୍ତାନ୍ତର ବିରୁଦ୍ଧରେ ବିକ୍ଷୋଭ । ଦୀର୍ଘ ୭ ମାସରୁ ଉର୍ଦ୍ଧ୍ଵ ହେବ କରୋନା କଟକଣା ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଛି । ଲକ୍ଷ ଲକ୍ଷ ଲୋକ କର୍ମ ସଂସ୍ଥାନ ହରାଇଛନ୍ତି । ରୋଜଗାର ନାହିଁ । ଦିନ ମଜୁରିଆଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ୍ତ ପର୍ଯ୍ୟନ୍ତ ହାହାକାର ମଧ୍ୟରେ ଜୀବନ ବିତାଉଛନ୍ତି । ଏପଟେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ମୂଲ୍ୟ ବୃଦ୍ଧି ବେଡ଼ି ଉପରେ କୋରଡା ମାଡ଼ ସଦୃଶ ହୋଇଛି । ବିଜୁଳି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସେବା କ୍ଷେତ୍ରକୁ କମ୍ପାନୀ ହାତକୁ ଟେକି ଦେଇ ବ୍ୟବସାୟ କ୍ଷେତ୍ରରେ ରୂପାନ୍ତରିତ କରିବା ସମ୍ପୂର୍ଣ୍ଣ ଜନ ବିରୋଧୀ । ଏଭଳି ପଦକ୍ଷେପକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି ।

ଏଥିରୁ କ୍ଷାନ୍ତ ରହି ସରକାର ଜନ ବିରୋଧୀ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନିଷ୍ପତ୍ତିପ୍ରତ୍ୟାହାର କରିବା, ଟାଟା କମ୍ପାନୀ ଅଧୀନରୁ ବିଜୁଳି ସେବା କ୍ଷେତ୍ରକୁ ଫେରାଇ ଆଣି ସରକାର ନିଜ ଅଧୀନରେ ପରିଚାଳନା କରିବା, ପ୍ରସ୍ତାବିତ ବିଦ୍ୟୁତ୍ ଦେୟ ଅନଲାଇନରେ ଆଦାୟ ବନ୍ଦ୍ କରିବା, ପ୍ରସ୍ତାବିତ ପ୍ରି – ପେଡ୍ ବିଦ୍ୟୁତ୍ ଶୁଳ୍କ ଆଦାୟ ବନ୍ଦ କରିବା, ଅଘୋଷିତ ବିଜୁଳି କାଟ ବନ୍ଦ କରିବା ସହିତ ଲୋ – ଭୋଲଟେଜ୍ ଓ ନିମ୍ନମାନର ବିଜୁଳି ଯୋଗାଣ ବନ୍ଦ କରିବା, ମିଟର ରିଡ଼ିଂ ଓ ବିଲ ତ୍ରୁଟି ବିଚ୍ୟୁତି ଦୂର କରିବା ଏବଂ ଉପଭୋକ୍ତାମାନଙ୍କୁ ରିହାତି ସମୟ ୭ ଦିନ ପରିବର୍ତ୍ତେ ୧ ମାସକୁ ବୃଦ୍ଧି କରିବା ସହିତ ମତ୍ତଗଜପୁର ଗ୍ରୀଡରୁ ପରମହଂସ ପଞ୍ଚାୟତକୁ ବିଦ୍ୟୁତ୍ ସଂଯୋଗ କରିବା ଦାବି ନେଇ ବିଦ୍ୟୁତ୍ ଉପଭୋକ୍ତା ମିଳିତ ମଞ୍ଚ ପକ୍ଷରୁ କଟକ ସଦର ଅନ୍ତର୍ଗତ କନ୍ଦରପୁର କନିଷ୍ଠ ଯନ୍ତ୍ରୀ ଟାଟା କମ୍ପାନୀ ଲି. କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ଉକ୍ତ ବିକ୍ଷୋଭରେ ମଞ୍ଚ ପକ୍ଷରୁ ଜିଲ୍ଲା ଆବାହକ ରାଜକିଶୋର ମଲ୍ଲିକ ସଭାପତିତ୍ୱ କରିଥିଲେ । ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଏସ ୟୁ ସି ଆଇ. ( କମ୍ୟୁନିଷ୍ଟ) କଟକ ଜିଲ୍ଲା ସମ୍ପାଦକ ବିଶ୍ୱାବସୁ ଦାସ, ଖଗେଶ୍ୱର ସେଠୀ, କାହ୍ନୁଚରଣ ବେହେରା, ଯୋଗେନ୍ଦ୍ର ରାଉତ, ସେକ୍ ଅମଜାଦ ଅଲ୍ଲୀ, ହରିହର ମହାନ୍ତି, ମନୋରଞ୍ଜନ ମହାରଣା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବିକ୍ଷୋଭକାରୀମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.