Before Header

ସରକାରଙ୍କୁ କେଞ୍ଚା ମାରିଲେ ବିଜେଡିର ଭେଟେରାନ ସାଂସଦ

0 248

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବୀନ ଓ ଭର୍ତ୍ତୃହରିଙ୍କ ମଧ୍ୟରେ ବଢିବାରେ ଲାଗିଛି ଦୂରତା । ଦୂରତା ଏବେ ଏତେ ଅଧିକ ଯେ, ଖୋଲାଖୋଲି ନବୀନଙ୍କ ଶାସନକୁ ତାତ୍ସଲ୍ୟ କରିବାକୁ ପଛାଉ ନାହାନ୍ତି କଟକର ଏହି ଭେଟେରାନ ବିଜେଡି ସାଂସଦ । ବସ୍ ଟର୍ମିନାଲ ଓ ବଜେଟ ପ୍ରସଙ୍ଗରେ ବୁଲେଇବଙ୍କେଇ ମୁଖ୍ୟମନ୍ତ୍ରୀଙ୍କୁ ତୀର ମାରିଥିଲେ । ଏଥର ମାରିିଛନ୍ତି ସିଧା ବାଣ । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ବହିରେ ଥିବା ତ୍ରୁଟିକୁ ଧରିଛନ୍ତି ଭର୍ତ୍ତୃହରି । ଆଉ ପାଠର ଭୁଲ୍ ଦେଖାଉ ଦେଖାଉ ଶାସନର ଭୁଲକୁ ବି ଦେଖାଇଛନ୍ତି । ଭର୍ତ୍ତୃହରିଙ୍କ ସଂପାଦନାରେ ପ୍ରକାଶିତ ପ୍ରଜାତନ୍ତ୍ରରେ ରବିବାର ସଂପାଦକୀୟ ପୃଷ୍ଠାରେ ତାଙ୍କ ସ୍ତମ୍ଭ ଧ୍ୱନିପ୍ରତିଧ୍ୱନି ପ୍ରକାଶିତ ହୋଇଛି । ଯାହାର ଶୀର୍ଷକ ହେଉଛି- ଏଇ ପାଠ ପଢାଉଛନ୍ତି ଆମେ ଆମ ପିଲାଙ୍କୁ । ଏଥିରେ ଭର୍ତ୍ତୃହରି ପଢା ବହିରେ ଥିବା ତ୍ରୁଟିକୁ ଧରିଛନ୍ତି । ଦଶମ ଶ୍ରେଣୀର ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ ଥିବା କିଛି ଭୁଲକୁ ଗୋଟି ଗୋଟି କରି ସେ ଏହି ସ୍ତମ୍ଭରେ ଥୋଇଛନ୍ତି । ରାଜ୍ୟ ପୁନର୍ଗଠନ, କାଶ୍ମୀର ପ୍ରସଙ୍ଗ, ଭାରତର ବୈଦେଶିକ ନୀତି ଆଦି ବିଷୟରେ ଅନେକ ଭୁଲକୁ ସେ ଧରିଛନ୍ତି ।

ଏସବୁ ଛାତ୍ରଛାତ୍ରୀଙ୍କ ମାନସିକ ଗଠନରେ କିପ୍ରକାରର ଭୁଲ୍ ପ୍ରଭାବ ପକାଉଥିବ, ଅନୁମାନ କରାଯାଇପାରେ ବୋଲି କ୍ଷୋଭର ସହ ଲେଖିଛନ୍ତି । ଆଉ ଏହି ଭୁଲ ଦେଖଉ ଦେଖଉ ଭର୍ତ୍ତୃହରି ସରକାରଙ୍କ ଆଡକୁ ବି କଥା ନେଇ ଯାଇଛନ୍ତି । ଲମ୍ବା ସମୟର ସାଂସଦ, ପୁଣି ବିଜେଡିର ସାଂସଦ କିନ୍ତୁ ସେ ଯାହା କହିଛନ୍ତି ତାହା ବିଜେଡି ସରକାରକୁ ହିଁ ହରଡଘଣାରେ ପକାଉଛିି । ଏତେ ଭୁଲ୍ ଦେଖାଇବା ପରେ ଭର୍ତ୍ତୃହରି ଶେଷ ପାରାରେ ସରକାରଙ୍କୁ କେଂଚା ମାରିଛନ୍ତି । ସେ ଲେଖିଛନ୍ତି, ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବାର ଯୋଗ୍ୟତା ମୋର ନାହିଁ, ପ୍ରଶ୍ନ ପଚାରିବା ତ ଦୂରର କଥା । ଭର୍ତ୍ତୃହରିଙ୍କ ଭଳି ଜ୍ଞାନୀଗୁଣୀ ଲୋକ ଯେ ସତରେ ନିଜକୁ ଅଯୋଗ୍ୟ ଭାବୁଛନ୍ତି ତାହା ଆମକୁ ବିଶ୍ୱାସ ହେଉନି । ତାଙ୍କର ଏହି ଧାଡି ଯେ ଚାଲିଥିବା ଶାସନ ବ୍ୟବସ୍ଥାକୁ ସିଧା ସମାଲୋଚନା ତାହା ବି ବୁଝିବା ବାକି ରହୁନି । ମାନେ ବିଜେଡିରେ ଥାଇ ବିଜେଡି ସରକାରଙ୍କୁ ସମାଲୋଚନା । ଭର୍ତୃହରି ଏହି ସାହସ ସ୍ତମ୍ଭର ଆମ୍ଭଭ ଆଡକୁ ବି ଦେଖାଇଛନ୍ତି । ଯେଉଁଠି ସେ ସଫା ସଫା ଲେଖିଛନ୍ତି, ଓଡିଶା ଶାସନର ଏବେ ଯାହା ଅବସ୍ଥା, ଏଥିପ୍ରତି କାହାର ଦୃଷ୍ଟି ପଡିବ ବୋଲି ଆଶା କରେ । ଆଶା କରେ କହିଛନ୍ତି, କିନ୍ତୁ ସବୁ ଧାଡିରେ ନିରାଶା ହିଁ ନିରାଶାର ଝଲକ । ବଜେଟ ସ୍ତମ୍ଭ ଓ ଏବେର ସ୍ତମ୍ଭ ଦେଖିଲେ ଲାଗୁଛି ବିଜେଡି ଓ ନବୀନଙ୍କ ସହ ଭର୍ତୃହରିଙ୍କ ଦୂରତା ଯଥେଷ୍ଟ ବଢିସାରିଲାଣି । ଜୁନିୟର ମହତାବଙ୍କ ନିରାଶା ଖାଲି ବହିର ତ୍ରୁଟିରେ ସୀମିତ ନାହିଁ, ଅନେକ ଆଗକୁ ଯାଇସାରଲାଣି ।

Leave A Reply

Your email address will not be published.