Before Header

ଅପରାଧୀଙ୍କ ମନରେ ଛନକା, ବୁଲିଲା ବୁଲଡୋଜର

0 867

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ଏବେ ଅପରାଧୀଙ୍କ ମନରେ ଛନକା। ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଥିବା ଅପରାଧୀ ଏବେ ନିଜେ ଭୟଭୀତ, ଆତଙ୍କିତ। କେତେବେଳେ ବି ସେମାନଙ୍କର ବେଆଇନ ଘର ଓ ବ୍ୟବସାୟ କେନ୍ଦ୍ର ଉପରେ ବୁଲି ପାରେ ଡୋଜର। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ଆଙ୍ଗୁଳି ଉଠିବା ପରେ ପୋଲିସ କଠୋର ହେବା ସହ ଅପରାଧ ବନ୍ଦ ଲାଗି ଅପରାଧୀର ପେଟ ଉପରେ ପଡୁଛି ନାତ। ଶ୍ରୀପତି ସିଂ, ବାବଲୁ ମହାନନ୍ଦ ସହ ସହରର ୫ ଅପରାଧୀଙ୍କ ଆଡ୍ଡାସ୍ଥଳୀକୁ ମାଟିରେ ମିଶାଇ ଦେଲାଣି ପୋଲିସ। ଏବଂ ଏହି ଅପରାଧୀ ଦମନ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରଖିବାକୁ କହିଛି ପୋଲିସ। ଅପରାଧୀ ସାବଧାନ। ଅଭ୍ୟାସଗତ ଅପରାଧୀ ଉପରେ ଏବେ ପୋଲିସର କଡ଼ା ନଜର। କେତେବେଳେ ବି ଅପରାଧୀର ଆଡ୍ଡା ଓ ବେଆଇନ ନିର୍ମାଣ ଉପରେ ବୁଲିପାରେ ଡୋଜର।

ପୋଲିସକୁ ଭୟ କରୁନଥିବା ଅପରାଧୀ ଏବେ ଆତଙ୍କିତ ଅବସ୍ଥାରେ । କାରଣ ଅପରାଧୀର ଆଡ୍ଡା, ବେଆଇନ ନିର୍ମାଣ ଓ ବ୍ୟବସାୟ କେନ୍ଦ୍ର ଉପରେ ଟାର୍ଗେଟ କରୁଛି ପୋଲିସ। ଶାସ୍ତ୍ରୀନଗରରେ ଘର ଅଗଣାରେ ସ୍ବାମୀ-ସ୍ତ୍ରୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଅପରାଧୀ ଶ୍ରୀପତି ସିଂ ଓ ବବଲୁ ମହାନନ୍ଦର ବ୍ୟବସାୟ କେନ୍ଦ୍ରକୁ ଧ୍ଵଂସ କରିଛି ପୋଲିସ। ଆରଟିଓ ଛକ ନିକଟରେ ଥିବା ଶ୍ରୀପତି ସିଂର ଆଡ୍ଡାକୁ ବୋଲଡୋଜର ଚଢାଇ ମାଟିରେ ମିଶାଇ ଦେଇଛି ପୋଲିସ। ସେହିପରି ସଦର ଥାନା ନିକଟରେ ଥିବା ବବଲୁ ମହାନନ୍ଦର ବ୍ୟବସାୟ କେନ୍ଦ୍ରକୁ ଡୋଜର ଦ୍ଵାରା ଚୂରମାର କରି ଦିଆଯାଇଛି। ତାସହ ମାଳଗୋଦାମପଡ଼ାରେ ବେଆଇନ ନିର୍ମାଣ କରିଥିବା ୩ ଅପରାଧୀର ଘରକୁ ମଧ୍ୟ ଭାଙ୍ଗି ଦିଆଯାଇଛି।

ଏପରିକି ଗତ ତିନି ଦିନ ମଧ୍ୟରେ ୫ ଅପରାଧୀର ବେଆଇନ ଘର, ଆଡ୍ଡା ଓ ବ୍ୟବସାୟ କେନ୍ଦ୍ରକୁ ଧ୍ଵଂସ କରିଛି ପୋଲିସ। ତେବେ ପୋଲିସର ଏହି କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଅପରାଧୀ ମନରେ ଏକ ପ୍ରକାର ଛନକା ପଶିଲାଣି। କେବଳ ଏତିକି ନୁହେଁ, ନିୟମିତ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ବିହିତ ପଦକ୍ଷେପ ନେବା ଜିଲ୍ଲାର ଅନେକ ଅପରାଧୀଙ୍କୁ ଜେଲ ହାଜତକୁ ପଠାଇଛି। ଏଥିସହ କିଛି ପଳାତକ ଅପରାଧୀଙ୍କ ସମ୍ପତ୍ତି ବ୍ୟାଜପ୍ତ ପାଇଁ ମଧ୍ୟ ପୋଲିସ ପଦକ୍ଷେପ ନେଇଛି।

ତେବେ ପେଶାଗତ ଅପରାଧୀଙ୍କ ବିରୋଧରେ ୧୧୦ ସିଆରପିସି ଓ ଜାତୀୟ ସୁରକ୍ଷା ଆଇନ ମଧ୍ୟ ଲଗାଇ ବାନ୍ଧିଛି। ଏପରିକି ଜିରୋ ଅପରାଧ ନୀତି ଅବଲମ୍ବନ କରାଯାଇ ଅପରାଧୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କହିଛନ୍ତି ବଲାଙ୍ଗିର ଏସପି। ଏବଂ କିଛି ପେଶାଦାର ଅପରାଧୀଙ୍କ ଅଡ୍ଡା ସ୍ଥଳିକୁ ଡୋଜର ଲଗାଇ ଧ୍ୱଂସ କରି ଦିଆଯାଇଛି। ବଲାଙ୍ଗିରରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ବିଭିନ୍ନ ସଂଗଠନ ଓ ରାଜନୀତି ଦଳ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଥିଲେ। ଏବେ କିନ୍ତୁ ପୋଲିସ ଶୂନ୍ୟ ଅପରାଧ ନୀତି ଅବଲମ୍ବନ କରି ଅପରାଧୀ ଦମନ ପ୍ରକ୍ରିୟା ଚଳାଇଛି। ଫଳରେ ପୋଲିସକୁ ଖାତିର କରୁନଥିବା ପେଷାଗତ ଅପରାଧୀ ଏବେ ଭୟଭୀତ।

Leave A Reply

Your email address will not be published.