Before Header

ସମିତି ସଭ୍ୟ ଦାଦନ ଯିବା ନେଇ ତେଜିଲା ରାଜନୀତି

0 215

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ସୁର୍ଡା ପଞ୍ଚାୟତ ସମିତି ସଭ୍ୟ କମଳେଶ୍ ସୁନା ଦାଦନ ଯିବା ନେଇ ତେଜିଲା ରାଜନୀତି । ମନ୍ତ୍ରୀ ଟୁକୁନୀ ସାହୁଙ୍କ ନିର୍ବାଚନ ମଣ୍ଡଳୀ ତଥା ବିଜେଡି ସମର୍ଥିତ ସମିତି ସଭ୍ୟ ବାହାର ରାଜ୍ୟକୁ ଦାଦନ ଯାଇଥିବାରୁ ଜିଲ୍ଲାର ଅର୍ଥନୈତିକ ସ୍ଥିତି କିଭଳି ଥିବ ତାହା ଏଥିରୁ ବାରି ହୋଇ ପଡୁଛି । ସ୍ଵତନ୍ତ୍ର କୋଶଳ ପ୍ରଦେଶ ହିଁ ସମାଧାନର ଏକମାତ୍ର ରାସ୍ତା ବୋଲି କହିଛନ୍ତି କୋଶଳବାଦୀ ନେତା ପ୍ରମୋଦ ମିଶ୍ର । ସେପଟେ ବାରମ୍ବାର ଦୃଷ୍ଟି ଆକର୍ଷଣ ପରେ ବି ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନଥିବା କହିଛନ୍ତି ବିଧାୟକ ନରସିଂହ ମିଶ୍ର । ହେଲେ ଆଶ୍ଚର୍ଯ୍ୟର କଥା ବିଜେଡି ସମର୍ଥିତ ସମିତି ସଭ୍ୟ ଦାଦନ ଯିବା ନେଇ କୌଣସି ଖବର ନଥିବା କହିଛନ୍ତି ମନ୍ତ୍ରୀ ଟୁକୁନୀ ସାହୁ । ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ନିର୍ବାଚନ ମଣ୍ଡଳୀର ତଥା ବିଜେଡି ସମର୍ଥିତ ସମିତି ସଭ୍ୟ କମଳେଶ ଏବେ ଦାଦନ ଖଟି ଯାଇଥିବାରୁ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। କୋଡ଼ିଏ ଦିନ ହେଲା ସ୍ତ୍ରୀ ସହ ବୃଦ୍ଧ ପିତାମାତାଙ୍କୁ ଛାଡି ସେ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଇଛନ୍ତି। ପେଟକୁ ଦାନା ଯୋଗାଡ ପାଇଁ ତାଙ୍କର ୪ ବର୍ଷର ପୁଅକୁ ଶାଶୁଘରେ ଛାଡ଼ି ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟି ଯାଇଛନ୍ତି କମଲେଶ। ପୁଅ ବୋହୂ ଦାଦନ ଯାଇଥିବାରୁ ଚିନ୍ତାରେ ଘାରି ହେଉଛନ୍ତି ବୃଦ୍ଧ ପିତା ମାତା।

ସେପଟେ ନିର୍ବାଚିତ ପ୍ରତିନିଧି ଦାଦନ ଖଟି ଯିବା ଘଟଣା ନେଇ ଜୋର ଧରିଲାଣି ରାଜନୀତି । ଶାସକ ଦଳର ସମିତି ସଭ୍ୟ ଦାଦନ ଯିବା ଲଜ୍ଜାଜନକ ଘଟଣା ବୋଲି କହିଛନ୍ତି ବିଜେପି ନେତା ଗୋପାଳଜି ପାଣିଗ୍ରାହୀ । ଅନ୍ୟପଟେ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛିନ୍ତି କୋଶଳବାଦୀ ନେତା ପ୍ରମୋଦ ମିଶ୍ର । ହେଲେ ଦାଦନ ରୋକିବା ପାଇଁ ସରକାର କୌଣସି ପଦକ୍ଷେପ ନେଉନଥିବା ସେ କହିଛନ୍ତି । ସ୍ଵତନ୍ତ୍ର କୋଶଳ ପ୍ରଦେଶ ଗଠନ ଏହାର ଏକମାତ୍ର ରାସ୍ତା ବୋଲି କହିଛନ୍ତି ପ୍ରମୋଦ ମିଶ୍ର । ଗତ ୨୦୨୨ ମସିହାରେ ସୁର୍ଡା ପଞ୍ଚାୟତର ବିକାଶ ପାଇଁ କମଲେଶ ସୁନା ସମିତି ସଭ୍ୟ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ହୋଇଥିଲେ। ପ୍ରାର୍ଥିପତ୍ର ଦାଖଲ ପରେ ତାଙ୍କୁ ମାସେରୁ ଅଧିକ ସମୟ ଗୁପ୍ତ ଜାଗାରେ ରଖା ଯାଇଥିଲା। ପରେ ସେ ନିର୍ଦ୍ଵନ୍ଦରେ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ।

ଏହାପରେ ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ସରିବା ପାଇଁ ତାଙ୍କୁ ଘରକୁ ଆଣି ଛଡ଼ା ଯାଇଥିଲା। ତା ପରେ ତାଙ୍କର ଦୁର୍ଦ୍ଦଶା ବଢି ବଢି ଚାଲିଥିଲା। ଆଶା ଥିଲା ଆବାସ ଘର ମଞ୍ଜୁର ପରେ ଭଙ୍ଗା ଦଦରା ଘରକୁ ଭାଙ୍ଗି ଭଲ ଘର ଖଣ୍ଡେ ଗଢି ତୋଳିବା ପାଇଁ। ଏଥିପାଇଁ ଘରର ମୂଲ୍ୟବାନ ଜିନିଷ ବନ୍ଧା ପକାଇ ୬୦ ପ୍ୟାକେଟ ସିମେଣ୍ଟ କିଣି ଥିଲେ। ହେଲେ ତାଙ୍କ ଆବାସକୁ କାଟି ଦିଆଯିବା ପରେ ତାଙ୍କର ଚିନ୍ତା ବଢି ଯାଇଥିଲା ଓ ଏବଂ ଧାର ଟଙ୍କା ଶୁଝିବା ସହ ପରିବାର ପ୍ରତିପୋଷଣ କିଭଳି କରିବେ ସେନେଇ ଘାରି ହେଉଥିଲେ କମଲେଶ । ଶେଷରେ ନିରୁପାୟ ହୋଇ ସ୍ତ୍ରୀ ସହ ସେ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଇଛନ୍ତି । ସେପଟେ ପ୍ରତିବର୍ଷ ଜିଲ୍ଲାରୁ ଲକ୍ଷାଧିକ ଲୋକ ଦାଦନ ଖଟି ଯିବା ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଏପରିକି ଜିଲ୍ଲାର ଜଣେ ନିର୍ବାଚିତ ପ୍ରତିନିଧି ଦାଦନ ଯାଇଥିବାରୁ ଅବସ୍ଥା କେତେ ଗୁରୁତର ତାହା ଏଥିରୁ ପ୍ରମାଣିତ ହେଉଛି । ତେଣୁ ବେଳେ ଥାଉ ଥାଉ ବନ୍ଧ ନ ବାନ୍ଧିଲେ ଆଗାମୀ ଦିନରେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି ନରସିଂହ ମିଶ୍ର । ହେଲେ ଏନେଇ ଜଳ ସମ୍ପଦ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁଙ୍କ ପାଖରେ କୌଣସି ଖବର ନାହିଁ । ଏନେଇ ସୂଚନା ମିଳିଲେ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି । ଗତ ପଞ୍ଚାୟତ ନିର୍ବାଚନ ବେଳେ ଖୋଜା ପଡୁଥିବା ସମିତି ସଭ୍ୟ କମଳେଶ୍ ସୁନା ଏବେ ମନ୍ତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ଅଲୋଡା । ଏଥିରୁ ସ୍ପଷ୍ଟ ଯେ, ନେତା ହେଉ କି ମନ୍ତ୍ରୀ ଲୋକ ପ୍ରତିନିଧିକୁ କାମରେ ଲଗାଇ ସ୍ଵାର୍ଥ ସାଧନ ପରେ ତାକୁ ପଚାରେ କିଏ । ତେବେ ବିଜେଡି ସମର୍ଥିତ ସମିତି ସଭ୍ୟ କମଳେଶ ସୁନା ଦାଦନ ଯିବା ନେଇ ମନ୍ତ୍ରୀ ଟୁକୁନୀ ସାହୁଙ୍କ ପାଖରେ ସୂଚନା ନଥିବା ସମସ୍ତଙ୍କୁ ଚକିତ କରିଛି ।

Leave A Reply

Your email address will not be published.