ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିର୍ବାଚନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ ସ୍ୟାହି । ଏହା ହେଉଛି ନିର୍ବାଚନରେ ସାମିଲ ହୋଇଥିବାର ଚିହ୍ନ । ପୁଣି ଜଣେ ନାଗରିକ, ଗୋଟିଏ ଭୋଟ ପାଇଁ ଅସ୍ତ୍ର ବି ପାଲଟେ ଏହି ସ୍ୟାହି । ମନରେ ପ୍ରଶ୍ନ ଉଠେ ଏହି ସ୍ୟାହିରେ ଅଛି କଣ । ଥରେ ଅଙ୍ଗୁଠିରେ ଲାଗିଲେ ବେଶ କିଛି ଦିନ ପର୍ଯ୍ୟନ୍ତ ଲିଭେନାହିଁ କାହିଁକି । ଆସନ୍ତୁ ଜାଣିବା ଏହି ନିର୍ବାଚନୀ ସ୍ୟାହିର କାହାଣୀ ।

୧୯୫୨ ମସିହାରେ ଯେତେବେଳେ ପ୍ରଥମେ ନିର୍ବାଚନ ହୋଇଥିଲା ବହୁ ଲୋକ ୨ ରୁ ୩ ଥର ଭୋଟ ଦେଉଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ଚିନ୍ତିତ ଥିଲେ ଭାରତୀୟ ନିର୍ବାଚନ କମିଶନ । ତେଣୁ ଏହାର ସମାଧାନ ପାଇଁ ସିଏସଆଇଆର ବା ବୈଜ୍ଞାନିକ ତଥା ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ ଭାରତକୁ ଅନୁରୋଧ କରିଥିଲେ । ସିଏସଆଇଆର ୪ ୫ ବର୍ଷ ଗବେଷଣା କରିବା ପରେ ସିଲଭର ନାଇଟ୍ରେଟ ଯୁକ୍ତ ଏହି ସ୍ୟାହିକୁ ବିକଶିତ କରିଥିଲେ । ୧୯୬୨ ମସିହା ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ଏହି ସ୍ୟାହିକୁ ବ୍ୟବହୃତ କରାଯାଇଥିଲା । କର୍ଣ୍ଣାଟକ ସରକାରଙ୍କ ଅଧୀନରେ ଥିବା ‘ ମହୀଶୂର ପେଣ୍ଟସ୍ ଆଣ୍ଡ୍ ବାର୍ନିସ ଲିମିଟେଡ’ ସେବେଠାରୁ ଆଜି ପର୍ଯ୍ୟନ୍ତ ୬୨ ବର୍ଷ ହେଲା ଏହି ସ୍ୟାହିକୁ ନିର୍ବାଚନ କମିଶନଙ୍କୁ ଯୋଗାଇ ଆସୁଛି । ୪୫ ବର୍ଷରେ ୩୦ କୋଟି ଲୋକଙ୍କ ଆଙ୍ଗୁଠିରେ ଏହି ସ୍ୟାହି ଲାଗିସାରିଛି । ଏହି ସ୍ୟାହିର ଉତ୍ପାଦନ ଅତ୍ୟନ୍ତ ଗୋପନୀୟତାର ସହ କଡ଼ା ସୁରକ୍ଷାବଳୟ ଭିତରେ ହୋଇଥାଏ । ନ୍ୟାସନାଲ ଫୀଜିକାଲ ଲାବୋରୋଟୋରିର କେମିକାଲ ଫର୍ମୁଲା ବ୍ୟବହାର କରି ଏହି ସ୍ୟାହି ପ୍ରସ୍ତୁତ ହୋଇଥାଏ ।

୨୫ ଦେଶକୁ ସ୍ୟାହି ଯୋଗାଉଛି ଏହି କମ୍ପାନୀ । କେବଳ ଭାରତ ନୁହେଁ ଥାଇଲାଣ୍ଡ, ସିଙ୍ଗାପୁର, ନାଇଜେରିଆ, ମାଲେସିୟା, କାମ୍ବୋଡିଆ, କାନାଡା, ଘାନା, ଡେନମାର୍କ, ମାଳଦ୍ୱୀପ, ତୁର୍କୀ, ପାକିସ୍ତାନ, ନେପାଳ, ମଙ୍ଗୋଲିଆ, ଦକ୍ଷିଣ ଆଫ୍ରିକା, ପାଲେଷ୍ଟାଇନ, ବେନିନ ଓ ଭୂଟାନ ଆଦି ୨୫ଟି ଦେଶର ନିର୍ବାଚନରେ ଏହି ସ୍ୟାହିକୁ ବ୍ୟବହାର କରାଯିବା ସହ ମହୀଶୂର ପେଣ୍ଟସ୍ ଏହାର ରପ୍ତାନୀ କରିଥାଏ ।

ଏହି ସ୍ୟାହିରେ ସିଲଭର ନାଇଟ୍ରେଟ ରହିଥାଏ । ଏହା ଏକ ରଙ୍ଗହୀନ ପଦାର୍ଥ ଯାହାକି ସୂର୍ଯ୍ୟକିରଣ ଓ ଅତିବାଇଗଣୀ ରଶ୍ମୀ ପ୍ରଭାବରେ ଆସିଲେ ଦୃଶ୍ୟମାନ ହୋଇଥାଏ । ସ୍ୟାହି ଲାଗିବାର ୭୨ଘଣ୍ଟା ପର୍ଯ୍ୟନ୍ତ ଏହା ରୁହେ । କୌଣସି ପ୍ରକାର ସାବୁନର ଏହା ଉପରେ କୌଣସି ପ୍ରଭାବ ପଡେ ନାହିଁ । ତେବେ ଏହି ସ୍ୟାହିର ପ୍ରସ୍ତୁତି ପ୍ରଣାଳି ସମ୍ପୂର୍ଣ୍ଣ ଗୋପନୀୟ ।

Leave a Reply

Your email address will not be published. Required fields are marked *