ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ସରକାର ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦ ବିଲ ବିଧାନସଭାରେ ଉପସ୍ଥାପନ କରିଛନ୍ତି ଏବଂ ଏହା ଐତିହାସିକ ବୋଲି ଦାବି କରିଛନ୍ତି । କିନ୍ତୁ ଏହି ବିଲର ଅସଲ ଭିତିରି କଥା ଲୁଚାଇଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ । ଏଭଳି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଓଡ଼ିଶା ବୈଷୟିକ ଓ ବୃତ୍ତିଗତ ଛାତ୍ର ସଂଘର ଆବାହକ ବିପ୍ଳବ ପ୍ରକାଶ ମହାନ୍ତି । ନିଯୁକ୍ତି ପକ୍ରିୟାକୁ ଅଧିକ ସ୍ବଚ୍ଛ କରିବା ନିମନ୍ତେ ଓପିଏସସି ଓ ଏସଏସସି ମାଧ୍ୟମରେ ନିଯୁକ୍ତି ବ୍ୟବସ୍ଥା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଏହି ବିଲ୍ ଜରିଆରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଯେଉଁଭଳି ଭାବରେ ସୂକ୍ଷ୍ମ ରୂପରେ ବିଶ୍ୱବିଦ୍ୟାଳୟର ଅଧିକାରକୁ ଜବରଦଖଲ କରିବାକୁ ଉଦ୍ୟମ କରିଛି ତାହା ଅତ୍ୟନ୍ତ ନିନ୍ଦନୀୟ । ବିଶେଷକରି ସଂଶୋଧନ ଆଇନର ଧାରା ୪, ଧାରା ୬ ଉପଧାରା ୧ ଓ ଧାରା ୧୦ରେ ଯେଉଁ ସଂଶୋଧନ କରିଛନ୍ତି ତାହା ବିଶ୍ୱବିଦ୍ୟାଳୟ ସ୍ୱାଧୀନତାରେ ଅଯଥା ହସ୍ତକ୍ଷେପ ଓ ସରକାରଙ୍କ ଦୋମୁହାଁ ନୀତିର ଜ୍ଵଳନ୍ତ ଉଦାହରଣ ।
ଧାରା ୪ ଉପଧାରା ୩ରେ ସରକାର କୁଳାଧିପତିଙ୍କ ବିଶେଷ କ୍ଷମତାକୁ ସଙ୍କୁଚିତ କରି ସେଥିରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପକୁ ବାଧ୍ୟତାମୂଳକ କରିଛନ୍ତି । ସେହିପରି ବିଶ୍ୱବିଦ୍ୟାଳୟ କୁଳପତି ଚୟନ କମିଟିରେ ୩ ଜଣ ସଦସ୍ୟ ରଖିଛନ୍ତି । କମିଟିର ଅଧ୍ୟକ୍ଷ ଚୟନ କ୍ଷମତା କୁଳାଧିପତିଙ୍କୁ ଦିଆଯାଇଥିଲେ ମଧ୍ୟ ସେ କେବଳ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ କିମ୍ବା ସଚିବ ପଦରୁ ଅବସର ନେଇଥିବା ବ୍ୟକ୍ତିଙ୍କୁ ହିଁ ଚୟନ କରିପାରିବେ ବୋଲି ଯେଉଁ ସର୍ତ୍ତ ରଖାଯାଇଛି ତାହା ବିଭ୍ରାନ୍ତିକର । ବିଶ୍ୱବିଦ୍ୟାଳୟର ପ୍ରମୁଖ ହେଉଛନ୍ତି କୁଳପତି । ସେ ଜଣେ ଲବ୍ଧପ୍ରତିଷ୍ଠତ ଶିକ୍ଷାବିତ୍ ହେଇଥିବା ଆବଶ୍ୟକ । ଅଥଚ ତାଙ୍କୁ ଚୟନ କରୁଥିବା କମିଟିର ମୁଖ୍ୟ ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ହେବେ, ସେ ପୁଣି ସଚିବ ପାହ୍ୟାର ଅଧିକାରୀ । ଏପରି ବ୍ୟବସ୍ଥା ବୋଧହୁଏ ସମଗ୍ର ଭାରତ ବର୍ଷରେ ବିରଳ । ଏହା ସରକାରଙ୍କ ଉଚ୍ଚଶିକ୍ଷାର ପ୍ରଶାସନିକକରଣ କରିବାର ଏକ ହୀନ ଚକ୍ରାନ୍ତ ମାତ୍ର । ସେହିପରି ଧାରା ୧୦ରେ ବିଶ୍ୱବିଦ୍ୟାଳୟର ଏକାଡେମିକ କାଉନସିଲକୁ ଭାଙ୍ଗି ଦେଇଥିଲେ ମଧ୍ୟ ତାହାର ପୁନର୍ଗଠନ ପାଇଁ ଆଇନରେ ବ୍ୟବସ୍ଥା କରିନାହାନ୍ତି ।
ବିଶେଷକରି ସିଣ୍ଡିକେଟରେ ସରକାର ୩ ଜଣ ସ୍ୱନାମଧନ୍ୟ ବ୍ୟକ୍ତିବିଶେଷଙ୍କୁ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ରଖିବାର ଯେଉଁ ବ୍ୟବସ୍ଥା କରିଛନ୍ତି ତାହା ସରକାରଙ୍କ ଦୋମୁହାଁ ନୀତିର ଏକ ବଳିଷ୍ଠ ଉଦାହରଣ । କାରଣ ଯେତେବେଳେ ତତ୍କାଳୀନ ବୈଷୟିକ ଶିକ୍ଷାମନ୍ତ୍ରୀ ଓ ସଚିବଙ୍କ ଦ୍ୱାରା ପ୍ରସ୍ତାବିତ ବିପିୟୁଟି ସଂଶୋଧନ ଆଇନରେ ସମାନ ଧରଣର ପ୍ରସ୍ତାବ ଥିଲା ଯେଉଁଥିରେ ବିପିୟୁଟି ଏକାଡେମିକ କାଉନସିଲରେ ୨ ଜଣ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ଓ ୩ଜଣ ସ୍ୱନାମଧନ୍ୟ ବ୍ୟକ୍ତି ବିଶେଷ ପ୍ରୋ-ଚାନସେଲର (ବୈଷୟିକ ଶିକ୍ଷା ମନ୍ତ୍ରୀ)ଙ୍କ ଦ୍ୱାରା ମନୋନୀତ କରିବାର ଯୁଗାନ୍ତକାରୀ ପ୍ରସ୍ତାବକୁ ସେତେବେଳେ ସରକାର ବିଶ୍ୱବିଦ୍ୟାଳୟ ଶୈକ୍ଷିକ ବାତାବରଣର ରାଜନୀତିକରଣର ଆକ୍ଷା ଦେଇ ପ୍ରତ୍ୟାଖ୍ୟାନ କରିଥିଲେ । ତେବେ ଆଜି କିପରି ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନରେ ସମାନ ଧରଣର ପ୍ରସ୍ତାବକୁ ଐତିହାସିକ ବୋଲି ସରକାର ଦାବି କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।