Before Header

ପାଣି ମୁନ୍ଦେ ପାଇଁ ଡହଳବିକଳ ବେଙ୍ଗଲୁରୁ, ଟାଙ୍କିଏ ପାଣିକୁ ୨୦୦୦

0 1,135

କର୍ଣ୍ଣାଟକ (ବଡ଼ ଖବର ବ୍ୟୁରୋ): ବେଙ୍ଗଲୁରୁ ଏବେ ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛି । ଖରାଦିନ ଆରମ୍ଭରୁ ହିଁ ବେଙ୍ଗଲୁରୁ ପାଇଁ ଆସିଛି ସମସ୍ୟା । ସହରର ଅଧିକାଂଶ ସ୍ଥାନରେ ପାଣିର ଅଭାବକୁ ନେଇ ହାହାକାର । ଗଳିକନ୍ଦିଠୁ ନେଇ ବଡ ବଡ ବିଲଡିଂର ଟ୍ୟାପରୁ ଆସୁନି ପାଣି । ପାନୀୟଜଳ ଅଭାବରେ ମଧ୍ୟ ହନ୍ତସନ୍ତ ଲୋକେ । କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଉତ୍କଟ ଜଳସଙ୍କଟ ଦେଖାଦେଇଥିବାବେଳେ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଭଳି ଜଳସଙ୍କଟ କେବେ ଦେଖାଦେଇ ନ ଥିଲା। ଏହାର ସୁଯୋଗ ନେଇ ମାଫିଆମାନେ ପାଣି ଟ୍ୟାଙ୍କର ଦାମ୍‌ ମନଇଚ୍ଛା ବଢ଼ାଇ ଦେଇଛନ୍ତି। ୧,୦୦୦ ଟଙ୍କାରେ ପୂର୍ବରୁ ମିଳୁଥିବା ଗୋଟିଏ ଟାଙ୍କି ପାଣି ଦାମ୍‌ ହଠାତ୍‌ ବଢ଼ି ୧,୫୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ କେତେକ ଅଞ୍ଚଳରେ ତାହା ସର୍ବାଧିକ ୨,୦୦୦ ଟଙ୍କାରେ ପହଞ୍ଚଛି।

ବେଙ୍ଗାଲୁରୁରେ ଦୈନିକ ଜଳ ଆବଶ୍ୟକତା ୨,୬୦୦ରୁ ୨,୮୦୦ ଏମ୍‌ଏଲ୍‌ଡି (ଦିନକୁ ନିୟୁତ ଲିଟର) ହୋଇଥିବାବେଳେ ଏବେ ୧,୫୦୦ ଏମ୍‌ଏଲ୍‌ଡି କମ୍‌ ମିଳୁଛି। ସେପଟେ ଜଳାଭାବ ଦୂର କରିବା ପାଇଁ ସରକାର ବିକଳ୍ପ ସନ୍ଧାନରେ ରହିଛନ୍ତି। ଜଳ ପୁନଃଚକ୍ରଣ ଓ ଟ୍ରିଟ୍‌ମେଣ୍ଟ ପାଇଁ ଯୋଜନା ହେଉଛି। ସ୍ଥିତିର ମୁକାବିଲା ପାଇଁ କର୍ଣ୍ଣାଟକ ସରକାର ଜୋରଦାର ପ୍ରୟାସ କରୁଛନ୍ତି । ସ୍ୱତନ୍ତ୍ର ହେଲପଲାଇନ ଓ କଂଟ୍ରୋଲ ରୁମ୍ ଲୋକଙ୍କ ପାଇଁ ଖୋଲାଯାଇଛି । ଏହାସହ ସ୍ଥାନୀୟ ବିଧାୟକଙ୍କୁ ନେଇ ଟାସ୍କଫୋର୍ସ ଗଠନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ପ୍ରତିଶ୍ରୁତି ଦେଇଛନ୍ତି ।

ଜଳସଙ୍କଟକୁ ନେଇ ରାଜନୈତିକ କାଦୁଅଫିଙ୍ଗା ଆରମ୍ଭ ହୋଇଯାଇଛି। ସରକାର ଉପଯୁକ୍ତ ଜଳ ପରିଚାଳନା ପଦକ୍ଷେପ ନେବାରେ ବିଫଳ ହୋଇଥିବା ବିରୋଧୀ ଦଳ ବିଜେପି ଅଭିଯୋଗ କରିଛି। ସରକାର ସପ୍ତାହେ ମଧ୍ୟରେ ନିର୍ଣ୍ଣୟାତ୍ମକ ପଦକ୍ଷେପ ନ ନେଲେ ଆନ୍ଦୋଳନ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି। ବେଆଇନ ପାଣି ଟ୍ୟାଙ୍କର ଅପରେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ ହେବ ବୋଲି ବିଜେପି ଏମ୍‌ପି ତେଜସ୍ବୀ ସୂର୍ଯ୍ୟ ଚେତାବନୀ ଦେବା ପରେ ବେଙ୍ଗାଲୁରୁ ଜିଲା ପ୍ରଶାସନ ଆଗାମୀ ୪ ମାସ ପାଇଁ ଘରୋଇ ଟ୍ୟାଙ୍କରଗୁଡ଼ିକ ନିମନ୍ତେ ମୂଲ୍ୟ ଧାର୍ଯ୍ୟ କରିଛନ୍ତି।

୫ କିଲୋମିଟର ମଧ୍ୟରେ ୬,୦୦୦ ଲିଟର ପାଣି ଟ୍ୟାଙ୍କର ୬୦୦ ଟଙ୍କାରେ ପାଣି ଯୋଗାଇବେ। ସେହିପରି ୮,୦୦୦ ଏବଂ ୧୨,୦୦୦ ଲିଟର ଟ୍ୟାଙ୍କର ଯଥାକ୍ରମେ ୭୦୦ ଏବଂ ୧,୦୦୦ ଟଙ୍କାରେ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ୫ରୁ ୧୦ କିଲୋମିଟର ଦୂରତା ମଧ୍ୟରେ ୬,୦୦୦ ଲିଟର ପାଣିଟାଙ୍କି ୭୫୦ ଟଙ୍କାରେ ଏବଂ ୮,୦୦୦ ଓ ୧୨,୦୦୦ ଲିଟର ଟାଙ୍କି ଯଥାକ୍ରମେ ୮୫୦ ଓ ୧,୨୦୦ ଟଙ୍କାରେ ଉପଲବ୍ଧ ହେବ।

Leave A Reply

Your email address will not be published.