Before Header

କଟକରେ ‘ଷ୍ଟାଚ୍ୟୁ ଅଫ୍ ହ୍ୟୁମାନିଟି’

0 66

କଟକ (ବଡ଼ ଖବର ବ୍ୟୁରୋ ): ପବିତ୍ର ଉତ୍କଳ ଦିବସ ଅବସରରେ କଟକ ଗୋପବନ୍ଧୁ ଛକରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ମାନବିକତାର ପ୍ରତିମୂର୍ତ୍ତି ବା Statue of Humanity ନାମରେ ନାମିତ କରାଯାଇଛି । ପରେ ମୁଖ୍ୟମନ୍ତ୍ରୀ ବେଲଭ୍ୟୁ ଛକରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ କୋଭିଡ ସ୍ଥିତିକୁ ଦେଖି କମିସନରେଟ ପୁଲିସ ପକ୍ଷରୁ ଭିଡ ନିୟନ୍ତ୍ରଣ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଓଡ଼ିଶାରେ ମାନବିକତାର କଥା ଆସିଲେ, ପ୍ରଥମେ ଗୋପବନ୍ଧୁ ହିଁ ମନେ ପଡନ୍ତି।

ଦୀନଦରିଦ୍ର ଓ ଦୁଃଖି ଲୋକଙ୍କୁ ସହାୟତା କରିବାର ମହତ୍ତ କାର୍ଯ୍ୟ ଗୋପବନ୍ଧୁ ହିଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିଆସିଛନ୍ତି। ସେ ଥିଲେ ମାନବିକତାର ମହାନ ଉଦଗାତା । ଗୋପବନ୍ଧୁଙ୍କ ମୂର୍ତ୍ତି ମାନବିକତାର ପ୍ରତୀକ ଭାେବ ଯୁଗ ଯୁଗ ଧରି ଜନମାନସକୁ ଦରିଦ୍ର ନାରାୟଣ ସେବା ପାଇଁ ପ୍ରେରିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକଶତ ବର୍ଷ ପାଳନ ଉତ୍ସବ ଗତ ମାର୍ଚ୍ଚ ୨୩ ରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି। ମହାତ୍ମା ଗାନ୍ଧୀ ତାଙ୍କର ଓଡ଼ିଶା ଗସ୍ତର ପ୍ରଥମ ଚରଣରେ କଟକ କାଠଯୋଡି ନଦୀବାଲିରେ ଆୟୋଜିତ ଏକ ବିରାଟ ଜନସମାବେଶରେ ଜନସାଧାରଣଙ୍କୁ  ସମ୍ଭୋଧିତ କରିଥିଲେ । ମହାତ୍ମାଙ୍କ ଓଡ଼ିଶା ଆଗମନର ସ୍ମାରକୀ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଠଯୋଡିର ବେଲଭ୍ୟୁ ଛକରେ ନିର୍ମିତ ଗାନ୍ଧୀ ଭିତ୍ତି ସ୍ଥାପତ୍ୟ କଳା (High Relief Mural Sculpture)ର ଲୋକାର୍ପଣ ମଧ୍ୟ କରିଛନ୍ତି । ଏଥିରେ ଗାନ୍ଧୀଙ୍କ ବିଭିନ୍ନ ଆନ୍ଦୋଳନର ଦୃଶ୍ୟ ସମେତ ତାଙ୍କ ଆଦର୍ଶ ଓ ନୀତି ସୁନ୍ଦର ଭାବରେ ପ୍ରସ୍ଫୁଟିତ ହୋଇଛି ।

ସତ୍ୟ ଓ ଅହିଂସା ହେଉଛି ସାରା ବିଶ୍ବକୁ ଭାରତର ଶ୍ରେଷ୍ଠ ଅବଦାନ। ଅହିଂସାର ପୂଜାରୀ ଭାବରେ ମହାତ୍ମା ଗାନ୍ଧୀ ସାରା ବିଶ୍ବକୁ ନୂତନ ଦିଗଦର୍ଶନ ଦେଇଯାଇଛନ୍ତି ଏବଂ ଆଜିର ଦୁନିଆରେ ତାର ପ୍ରାସଙ୍ଗିକତା ଅଧିକ ଅନୁଭୂତ ହେଉଛି । ମହାତ୍ମା ଗାନ୍ଧୀ ୧୯୨୧ରୁ ୧୯୪୬ ମଧ୍ୟରେ ଆଠ ଥର ଓଡିଶା ଆସିଥିଲେ ଏବଂ ଓଡିଶାର ବିଭିନ୍ନ ଅଞ୍ଚଳକୁ ଯାଇ ସମସ୍ୟା ସଂପର୍କରେ ଭଲ ଭାବରେ ଅବଗତ ହୋଇଥିଲେ । ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ମଧ୍ୟ ସେ ଦୃଢ ସମର୍ଥନ ଦେଇଥିଲେ। ଆଜି ଓଡ଼ିଶା ଦିବସ ଅବସରରେ ବିଂଶ ଶତାଦ୍ଦୀର ଦୁଇ ମହାପୁରୁଷ ଗାନ୍ଧୀ ଓ ଗୋପବନ୍ଧୁଙ୍କର ଆଦର୍ଶ ଓ ଚିନ୍ତାଧାରା ଯୁବ ସମାଜକୁ ଦେଶ ଓ ଜାତି ପାଇଁ ଅଧିକ ସମର୍ପିତ ଭାବରେ କା କରିବାକୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମନ୍ତ୍ରୀ ପ୍ରତାପ ଜେନା,ଏମପି ଭର୍ତ୍ତୃହରି ମହତାବ, ଏମପି ସୁବାସ ସିଂହ, କଟକ ଜିଲ୍ଲାର ବିଧାୟକ ଗଣ ସମାଜ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.