Before Header

କିଏ ହେବ ପଞ୍ଜାବ ମୁଖ୍ୟମନ୍ତ୍ରୀ ?

0 30

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିଜେପିର ଇସ୍ତଫା ପରମ୍ପରାକୁ ଅନୁସରଣ କରିଛି ଜାତୀୟ କଂଗ୍ରେସ । ଦୀର୍ଘ ଦିନ ଧରି ଚାଲୁଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କ୍ୟାପଟେନ । କିଏ ଏହାକୁ ସିଦ୍ଧୁଙ୍କର ବିଜୟ କହୁଥିବା ବେଳେ ଆଉ କିଏ ଏହାକୁ ବିନାଶ କାଳେ ବିପରୀତ ବୁଦ୍ଧି ବୋଲି କହୁଛନ୍ତି । ଦଳରେ ରହିଲେ ମୋତେ ଅଣନିଶ୍ୱାଃସୀ ପରି ଲାଗୁଛି କହି କ୍ୟାପଟେନ ଇସ୍ତଫା ଦେଇଥିଲେ । ଅର୍ଥାତ ଦଳର ସୁପ୍ରିମୋ ପଞ୍ଜାବର ବିକାଶ ନଚାହିଁ ବାରମ୍ବାର ପ୍ରୋପାଗଣ୍ଡାରେ ବିଶ୍ୱାସ କରି ଆସୁଥିଲେ । ପଞ୍ଜାବ କଂଗ୍ରେସ ମୁଖ୍ୟଙ୍କ ଦେଶପ୍ରେମ ସାରା ଦେଶ ଜାଣିଛି । ଦୀର୍ଘ ଦିନ ଧରି ଦଳରେ ରହିଥିଲେ ମଧ୍ୟ ହଠାତ ତାଙ୍କ ଭିତରେ ଏତେ ଦେଶ ପ୍ରେମ ଆସିଲା କେଉଁଠୁ ? ହଠାତ୍ ରାଜ୍ୟରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଖରାପ ହୋଇଗଲେ ! ଆଉ ସବୁଠାରୁ ବିଡ଼ମ୍ବନାର ବିଷୟ ଯେ ତାଙ୍କ କଥାରେ କଂଗ୍ରେସ ଅଧ୍ୟକ୍ଷ ମଧ୍ୟ ଭାସିଯାଇଥିଲେ । ଏବଂ ତାଙ୍କ ଅନୁସାରେ ସମସ୍ତ ନିଷ୍ପତ୍ତି ନେଉଥିଲେ ।

ଦଳରେ ସିଦ୍ଧୁଙ୍କ ଉପସ୍ଥିତି କଣ ଲୋକଙ୍କୁ ଭ୍ରମିତ କରିବାର ଥିଲା ! ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି । ଅନ୍ୟପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ହଠାତ ଇସ୍ତଫା ପରେ ସାରା ଦେଶରେ ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ସମସ୍ତଙ୍କ ମନରେ ଗୋଟିଏ ହିଁ ପ୍ରଶ୍ନ କିଏ ହେବ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ? ଏନେଇ ଅନେକ କଳ୍ପନା ଜଳ୍ପନା ମଧ୍ୟ ଆରମ୍ଭ ହୋଇଗଲାଣି । ତେବେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ବର୍ତ୍ତମାନ ଚାରି ଜଣଙ୍କ ନାମ ସାମ୍ନାକୁ ଆସିଛି । ସେମାନେ ହେଲେ ସୁନୀଲ ଝକର, ନବଜୋତ ସିଂହ ସିଦ୍ଧୁ, ପ୍ରତାପ ସିଂହ ବାଜୁଆ ଏବଂ ଅମ୍ବିକା ସୋନି ଅଛନ୍ତି । କେବଳ ଏତିକି ନୁହେଁ ବରଂ ସିଦ୍ଧୁଙ୍କ କ୍ୟାମ୍ପରୁ ଜଣେ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ । ଏମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁନୀଲ ଝକର । ସୁନୀଲଙ୍କୁ ମୁଖ୍ୟମନ୍ତ୍ରୀ କଲେ ପଞ୍ଜାବ କଂଗ୍ରେସ ହିନ୍ଦୁ ଓ ଜାଠ ଶିଖ କମ୍ବିନେସନ ପାଇବ । କାରଣ ସୁନୀଲ ହିନ୍ଦୁ ହୋଇଥିବା ବେଳେ ପଞ୍ଜାବ ମୁଖ୍ୟ ସିଦ୍ଧୁ ହେଉଛନ୍ତି ଜାଠ ଶିଖ । ତେଣୁ ଏହା ଦଳକୁ ଆସନ୍ତା ବିଧାନସଭା ନିର୍ବାଚନରେ ଫାଇଦା ଦେଇପାରେ ବୋଲି ଅନୁମାନ କରାଯାଉଛି । ତଥାପି ସିଦ୍ଧୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ରେସରେ ନିଜକୁ ଆଗରେ ରଖିଛନ୍ତି । ସେହିପରି ସୁନୀଲ ମଧ୍ୟ ପଞ୍ଜାବ ବିଧାନସଭାକୁ ନିର୍ବାଚିତ ହୋଇ ନାହାଁନ୍ତି ।

ଏମାନଙ୍କ ବ୍ୟତୀତ ଫତେଗଡ଼ ଶାହିବ ବିଧାୟକ କୁଲଜିତ ସିଂହ ନଗ୍ରା ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛନ୍ତି । କେବଳ ଏତିକି ନୁହେଁ ବରଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକ ବଡ଼ ବଡ଼ ନେତାଙ୍କ ନାମ ରହିଛି । ତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଅମ୍ବିକା ସୋନିଙ୍କର । ହେଲେ ସେ ମୁଖ୍ୟମନ୍ତ୍ରୀ ହେବା ରେସରୁ ଓହରି ଯାଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ହେବେ ନାହିଁ ବୋଲି ସ୍ପଷ୍ଟ ମନା କରିଦେଇଥିଲେ । ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଏହି ଗୁରୁତ୍ୱପୂର୍ଣ୍ଣ ପଦ ଗ୍ରହଣ କରିବାକୁ ସେ ମନା କରି ଦେଇଥିବାର ସୂଚନା ମିଳିଛି । ତେବେ ଏହି ପଦବୀରେ କେବଳ ଜଣେ ଶିଖଙ୍କୁ ପୋଷ୍ଟ କରାଯିବା ଉଚିତ ବୋଲି ରାଜ୍ୟସଭା ସାଂସଦ ଅମ୍ବିକା ସୋନିଙ୍କୁ କହିଛନ୍ତି । ଏହା ମଧ୍ୟରେ ସବୁଠାରୁ ରୋଚକ କଥାଟି ହେଉଛି ଇସ୍ତଫା ଦେବା ପରେ କ୍ୟାପଟେନ ଦଳ ପ୍ରତି ଥିବା ନିଜର ଭଡ଼ାସକୁ ବାହାର କରିଦେଇଛନ୍ତି । ଇସ୍ତଫା ଦେବା ସମୟରେ କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧିଙ୍କ ସହ କ୍ୟାପଟେନ ଫୋନରେ କଥା ହୋଇଥିବାର କଥା ସାମ୍ନାକୁ ଆସିଛି ।  ଏଇଠି ପ୍ରଶ୍ନ ଉଠୁଛି ଯେ ଗୁଜରାଟର ରୋଡ଼ ମ୍ୟାପକୁୁ ଅନୁସରଣ କରୁଛି କି ପଞ୍ଜାବ ! ନା ଅମରିନ୍ଦରଙ୍କ ଇସ୍ତଫା ପଛରେ ରହିଛି ଆସନ୍ତା ନିର୍ବାଚନର ରଣନୀତି ? ବିଜୟ ରୂପାନୀଙ୍କ ପରି କ୍ୟାପଟେନ ମଧ୍ୟ କଂଗ୍ରେସ ପାଇଁ ଫିଟ ନଥିଲେ କି?

ନା କଂଗ୍ରେସ ବର୍ତ୍ତମାନ ବରିଷ୍ଠ ବଦଳରେ ଯୁବନେତା ମାନଙ୍କୁ ବିଶ୍ୱାସ କରିବା ଆରମ୍ଭ କରିଦେଇଛି ? ଏପରି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଥିବାର ଦେଖିବାକୁ ମିଳିଛି । ପଞ୍ଜାବ ଗୁଜରାଟର ରୋଡ଼ମ୍ୟାପକୁ ଅନୁସରଣ କରିଆସୁଛି । ଅର୍ଥାତ ଗୁଜରାଟରେ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ବାଚନ ପୂର୍ବରୁ ଇସ୍ତଫା ଦେଇଥିଲେ ଏବଂ ପଞ୍ଜାବରେ ମଧ୍ୟ ସେଭଳି ହିଁ ଘଟିଛି । ନୂତନ ମୁଖ୍ୟମନ୍ତ୍ରୀ ପାଇଁ ଗୁଜରାଟରେ ମଧ୍ୟ ୪ ମୁହଁ ସାମ୍ନାକୁ ଆସୁଥିବାବେଳେ ପଞ୍ଜାବରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି । ତେବେ ଯେଉଁମାନଙ୍କ ନାମ ସାମ୍ନାକୁ ଆସୁଛି ଗୁଜରାଟ ରାଜନୀତି ଭଳି ଏହା କେବଳ ଲୋକଙ୍କୁ ଭ୍ରମିତ କରିବା ପାଇଁ ନୁହେଁ ତ ? ସେପଟେ ନବଜୋତ ସିଂହ ସିଦ୍ଧୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ ଏହାକୁ କ୍ୟାପଟେନ ବିରୋଧ କରିବେ ବୋଲି ସିଧାସଳଖ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି ।

ଏହା ସହ ସିଦ୍ଧୁଙ୍କୁ ବିଶ୍ୱାସ କରିବା ଯୋଗ୍ୟ ନୁହେଁ । କାହିଁଁକିନା ଦେଶର ସୈନିକ ଯେଉଁ ଦେଶ ପାଇଁ ଜୀବନ ହାରୁଛନ୍ତି, ସିଦ୍ଧୁ ସେ ଦେଶ ଯାଇ ତାଙ୍କ ଜେନେରାଲକୁ ଭେଟିଥାନ୍ତି । ଏହା ଦର୍ଶାଉଛି ଭାରତରେ ରହି ସିଦ୍ଧୁ ପାକିସ୍ତାନକୁ ସମର୍ଥନ ଜଣାଉଛନ୍ତି । ଏପରିକି ଇମ୍ରାନ ଖାନଙ୍କ ସହ ମଧ୍ୟ ସିଦ୍ଧୁଙ୍କର ଭଲ ସମ୍ପର୍କ ରହିଛି । କାର୍ଟପୁର କରିଡରରେ ସିଦ୍ଧୁ ଇମ୍ରାନଙ୍କୁ ନେଇ ଅନେକ ଚର୍ଚ୍ଚା ମଧ୍ୟ କରିଥାନ୍ତି । ଯଦି ସିଦ୍ଧୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୁଅନ୍ତି ତାହାଲେ ଖୁବଶୀଘ୍ର ପଞ୍ଜାବକୁ ବରବାଦ କରିଥିବେ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି । ବର୍ତ୍ତମାନ ଦେଖିବାର ବିଷୟ ଦଳ କାହାକୁ ପଞ୍ଜାବ ଜାହାଜ ପାଇଁ କ୍ୟାପଟେନ ସଜାଉଛି ।

Leave A Reply

Your email address will not be published.