ବ୍ରହ୍ମପୁର (ସମାଲୋଚନା ବ୍ୟୁରୋ): ମାସିକ ଋତୁସ୍ରାବକୁ ନେଇ ସମାଜରେ ରହିଥିବା ଅନ୍ଧବିଶ୍ୱାସ ଓ ସାମାଜିକ କଳଙ୍କ ବିରୁଦ୍ଧରେ ଗଞ୍ଜାମ ଜିଲ୍ଲାରେ ଏକ ବଡ଼ଧରଣର ସଚେତନତା ଅଭିଯାନ ଦେଖିବାକୁ ମିଳିଛି। ବିଶ୍ୱ ଋତୁସ୍ରାବ ଦିବସ ଅବସରରେ ଗୁରୁବାର ଦିନ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ସମେତ ବ୍ରହ୍ମପୁର ସହରରେ ମହିଳା, କିଶୋର ଓ କିଶୋରୀମାନେ ଏକାଠି ହୋଇ ଏହି ସାମାଜିକ କୁସଂସ୍କାର ବିରୁଦ୍ଧରେ ଲଢ଼େଇ ଆରମ୍ଭ କରିଛନ୍ତି। ଏଥିସହିତ ଲିଙ୍ଗଗତ ଭେଦଭାବ ଦୂରୀକରଣ, ଋତୁସ୍ରାବ ସମୟରେ ପରିଷ୍କାର ପରିଚ୍ଛନ୍ନତା ଏବଂ ସରକାରୀ ସେବା ସୁବିଧା ପହଞ୍ଚାଇବା ଉପରେ ବ୍ୟାପକ ପ୍ରଚାର ପ୍ରସାର କରାଯାଇଛି।
ରିପୋର୍ଟ ଅନୁଯାୟୀ, ରଙ୍ଗେଇଲୁଣ୍ଡା ବ୍ଲକର ଭାବିନିପୁର, କରାପଲ୍ଲୀ, ସାତକୁଟୁଣୀ, କୋଳଥିଗାଁ, ବିଶ୍ୱନାଥପୁର ଏବଂ ବକ୍ସିପଲ୍ଲି ଆଦି ଗ୍ରାମ ପଞ୍ଚାୟତରେ ଯୁବକ-ଯୁବତୀମାନଙ୍କୁ ନେଇ ସ୍ୱାସ୍ଥ୍ୟ, ଶିକ୍ଷା ଓ କୌଶଳ ବିକାଶ ସମ୍ପର୍କିତ ବିଶେଷ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଋତୁସ୍ରାବ ଏକ ସ୍ୱାଭାବିକ ଶାରୀରିକ ପ୍ରକ୍ରିୟା ହୋଇଥିବାରୁ ପ୍ରତ୍ୟେକ କିଶୋରୀଙ୍କ ପାଖରେ ଏନେଇ ସଠିକ ଜ୍ଞାନ ରହିବା ଜରୁରୀ ବୋଲି ମତପ୍ରକାଶ ପାଇଛି। ଏହି ସମୟରେ ପୋଷଣଯୁକ୍ତ ଖାଦ୍ୟ ଗ୍ରହଣ, ନିୟମିତ ବ୍ୟାୟାମ ଏବଂ ଦୈନିକ ୪ ରୁ ୫ ଲିଟର ପାଣି ପିଇବା ଉପରେ ଗୁରୁତ୍ୱ ଦିଆଯାଇଛି। କେବଳ ମହିଳା ନୁହେଁ, ବରଂ ପୁରୁଷମାନେ ମଧ୍ୟ ଏହି ସମସ୍ୟାର ଗୁରୁତ୍ୱକୁ ବୁଝି ଘରକାମରେ ସହଯୋଗ କରିବା ଆବଶ୍ୟକ ବୋଲି ଆଲୋଚକମାନେ କହିଛନ୍ତି।

ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୧୦୦୦ରୁ ଅଧିକ କିଶୋରୀ ସାମିଲ ହୋଇଥିଲେ। ସ୍ୱାସ୍ଥ୍ୟ ରକ୍ଷା ସହିତ ସଠିକ ବୟସରେ ବିବାହ, ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି ଏବଂ ମଝିରୁ ପାଠ ଛାଡ଼ିଥିବା ଯୁବକ-ଯୁବତୀଙ୍କୁ ପୁଣି ସ୍କୁଲ-କଲେଜ ଆଣିବା ପାଇଁ ଏହି ଅବସରରେ ପ୍ରୟାସ କରାଯାଇଥିଲା। ବିଶ୍ୱ ଋତୁସ୍ରାବ ଦିବସ ଉପଲକ୍ଷେ ‘ଅଦ୍ୱିକା’ ଗୋଷ୍ଠୀର କିଶୋର-କିଶୋରୀ ଏବଂ ଅଙ୍ଗନବାଡ଼ି କର୍ମୀମାନେ ନିଜ ନିଜ ହାତ ପାପୁଲିରେ ନାଲି ବିନ୍ଦି ଲଗାଇ, ପୋଷ୍ଟର ଓ ପ୍ଲାକାର୍ଡ ପ୍ରଦର୍ଶନ କରି ସାମାଜିକ ନୀରବତା ଭାଙ୍ଗିବାକୁ ଆହ୍ୱାନ ଦେଇଥିଲେ।
ସ୍ଥାନୀୟ ସ୍ୱେଚ୍ଛାସେବୀ ସଂସ୍ଥା “ୟୁଥ ଫର ସୋସିଆଲ ଡେଭଲପମେଣ୍ଟ” (YSD) ପକ୍ଷରୁ କିଶୋରୀ ଓ ମହିଳାମାନଙ୍କୁ ଏହି ସମ୍ପର୍କିତ ତାଲିମ ପ୍ରଦାନ କରାଯାଇଛି। ଜିଲ୍ଲାରେ ଏକ ଶିଶୁ ଓ କିଶୋର-କିଶୋରୀ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ଏବଂ ମାସିକ ଋତୁସ୍ରାବକୁ ନେଇ ଥିବା ନକରାତ୍ମକ ଚିନ୍ତାଧାରାକୁ ଦୂର କରିବା ସଂସ୍ଥାର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି। YSDର ସଂଯୋଜକ ସୁଦୀପ କୁମାର ଚକ୍ରବର୍ତ୍ତୀ, ମାମାଲି ପଣ୍ଡା, ଆଲୋକ କୁମାର ନାୟକ, ଶଶିକାନ୍ତ ପ୍ରଧାନ, ବର୍ଷା ରାଣୀ ମହାରଣା ଓ ସୁନନ୍ଦା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
