Before Header

ଓଡ଼ିଶାରେ ତିଆରି ହେବ ଟିକା

0 110

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ତିଆରି ହେବ ଟିକା। ଓଡ଼ିଶାରେ ବ୍ୟବସାୟ ଅନୁକୂଳ ବାତାବରଣ ଏବଂ ଇଡକୋ ମାଧ୍ୟମରେ ତ୍ୱରିତ ଜମି ଆବଣ୍ଟନ ପ୍ରକ୍ରିୟାକୁ ଭୁବନେଶ୍ୱରର ଅନ୍ଧାରୁଆ ଠାରେ ଟିକା ଉତ୍ପାଦନ ଶିଳ୍ପାନୁଷ୍ଠାନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକୀୟ ବୈଧାନୀକ ଏବଂ ଆଇନଗତ ଅନୁମତି ମଧ୍ୟ ଦିଆସରିଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବାୟୋଟେକ କାର୍ଯ୍ୟାନ୍ୱୟନ କମିଟିର ଆଲୋଚନାରୁ ଏହା ଜଣାପଡ଼ିଛି । ରାଜ୍ୟ ଲୋକସେବା ଭବନରୁ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗ ଶାସନ ସଚିବ ମନୋଜ ମିଶ୍ର ରାଜ୍ୟରେ ବାୟୟୋଟେକ ନିୟାମକର ବାସ୍ତବ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ପ୍ରଶାସନିକ ଏବଂ ଆର୍ଥିକ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ଟିକା ଉତ୍ପାଦନ ୟୁନିଟ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ ତ୍ୱରାନିତ୍ୱ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଭାରତ ବାୟୋଟେକ ଇଣ୍ଟରନ୍ୟାସନାଲ କମ୍ପାନୀ ଏବଂ ଅନ୍ଧାରୁଆ ବାଇଓଟେକ ପାର୍କ ପାଇଁ ଗଠିତ ସ୍ୱତନ୍ତ୍ର ଏସପିଭିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୨୦୨୨ ଜୁନ୍ ମାସ ସୁଦ୍ଧା ଏହି ୟୁନିଟରୁ ଟିକା ଉତ୍ପାଦନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ବାୟୋଟେକରେ ନୂତନ ପରୀକ୍ଷା ନିରୀକ୍ଷା ଏବଂ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠାକୁ ଅଧିକ ତ୍ୱରାନ୍ୱିତ ଓ ଲକ୍ଷ୍ୟଭେଦ କରିବା ନିମନ୍ତେ ଏକ ବୃତ୍ତିଗତ ନିର୍ଦ୍ଦେଶାଳୟ ତିଆରି କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭାଗୀୟ ଶାସନ ସଚିବ ମନୋଜ ମିଶ୍ର କହିଥିଲେ ଯେ, ଓଡ଼ିଶା ବାୟୋଟେକ ନିୟାମକ ୨୦୧୮ ଅନୁସାରେ ବାୟୋଟେକରେ କାମ କରୁଥିବା ନବ ଅନୁସନ୍ଧାନକାରୀ (ଇନକୁବେଟର) ଏବଂ ଷ୍ଟାଟଅପମାନଙ୍କୁ ଜମି, ଜମିର କିସମ ପରିବର୍ତ୍ତନ, ଷ୍ଟାମ୍ପ ଡ୍ୟୁଟି, ତାଲିମ, ପୁଞ୍ଜିନିବେଶ, ବ୍ୟାଙ୍କ ଋଣ ଉପରେ ସୁଧ ଆଦି ବିଷୟରେ ବିଭିନ୍ନ ପ୍ରକାର ରିହାତି ଦିଆଯାଉଛି । ଏକ ସ୍ୱତନ୍ତ୍ର ବୃତ୍ତିଗତ ନିର୍ଦ୍ଦେଶାଳୟ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଇପିକଲ ଏବଂ ଶିଳ୍ପ ବିଭାଗର ଆନୁଷ୍ଠାନି ବ୍ୟବସ୍ଥା ମାଧ୍ୟମରେ ବାଇଓଟେକ ୟୁନିଟମାନଙ୍କର ପ୍ରୋତ୍ସାହନ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ବାଇଓଟେକ ଇନକୁବେଟରମାନଙ୍କୁ ବିଭିନ୍ନପ୍ରକାରର ସହାୟତା ନିମନ୍ତେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଓ ଶିଳ୍ପ ବିଭାଗର ଫଣ୍ଡ ଅଫ ପଣ୍ଡସରେ ୧୫ କୋଟି ଟଙ୍କାର ପ୍ରାବଧାନ କରାଯାଇଥିଲା । ଇଡକୋ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ସିଂ ଜଣାଇଥିଲେ ଯେ ଭୁବନେଶ୍ୱରର ଇନଫୋସିଟି ନିକଟରେ ଇଡକୋ ଦ୍ୱାରା ଏକ ଆଧୂନିକ ଜିରୋ-ହବ ଇନକୁବେଟନ ଭବନ ନିର୍ମାଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୭୮୦ଟି ଇନକୁବେଟର ୟୁନିଟ କାର୍ଯ୍ୟକରୁଛି । ଏମାନଙ୍କ ମଧ୍ୟରୁ ୬୫ରୁ ଉଦ୍ଧ୍ୱର୍ ଇନକୁବେଟର ନିଜ ନିଜର ଉତ୍ପାଦ ନିମନ୍ତେ ପ୍ୟାଟେଣ୍ଟ, ଟ୍ରଡମାର୍କ ଓ କପିରାଇଟ ଆଦି ଅନୁମତି ପାଇ ସାରିଛନ୍ତି । ସମୁଦାୟ ଇନକୁବେଟରମାନଙ୍କ ମଧ୍ୟରୁ ପ୍ରାୟ ୭୫ଜଣ ବାଇଓଟେକ କ୍ଷେତ୍ରରେ କାମ କରୁଛନ୍ତି । ଅନ୍ଧାରୁଆରେ ଟିକା ଉତ୍ପାଦନ କେନ୍ଦ୍ର ଭାରତ ବାଇଓଟେକ ଇଣ୍ଟରନ୍ୟାସନାଲ ଲିଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଉଛି । ଏହି କମ୍ପାନୀର ରୋଟାଭାଇରସ, ଡାଇରିଆ, ମ୍ୟାଲେରିଆ, ଜାପାନୀ ଜ୍ୱର, ରାବିସ, ମହାମାରୀ ଇନଫ୍ଲୁଏଞ୍ଜା ଆଦି ବିଭିନ୍ନ ପ୍ରକାର ଆଧୁନିକ ଟିକା ଉତ୍ପାଦନ କ୍ଷେତ୍ରରେ ଅଭିଜ୍ଞତା ରହିଛି । ଅନ୍ଧାରୁଆ ଠାରେ ବର୍ତ୍ତମାନ ନିର୍ମାଣାଧିନ ୟୁନିଟରେ କରୋନା ଓ ମ୍ୟାଲେରିଆ ଟିକା ସମେତ ପ୍ରାୟ ୧୦ ପ୍ରକାରର ଟିକା ଉତ୍ପାଦନ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି ।

ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେବନ୍ତ କୁମାର ଶର୍ମା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ କୁଞ୍ଜବିହାରି ଧଳ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ଶାସନ ସଚିବ ସଞ୍ଜୟ କୁମାର ସିଂ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ରଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଶିଳ୍ପ ପ୍ରତିନିଧି ସଦସ୍ୟମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

 

Leave A Reply

Your email address will not be published.