ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ଜନଜୀବନ । ପଶ୍ଚିମରୁ ଉପକୂଳ ସବୁଠି ତାତି । ଆହୁରି ୪ ଦିନ ଆକାଶରୁ ବର୍ଷିବ । ଆଜି ପାଇଁ ବଲାଙ୍ଗୀର ସମ୍ବଲପୁର ଓ ଝାରସୁଗୁଡ଼ା ଏହି ୩ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏହାସହ ଖୋର୍ଦ୍ଧା , କଳାହାଣ୍ଡି ନୂଆପଡ଼ା ଓ ବୌଦ୍ଧ ଏହି ୪ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ । ଉପକୂଳ ଓ ପଶ୍ଚିମ ଓଡ଼ିଶାର ୧୨ ଜିଲ୍ଲାକୁ ଉଷ୍ମ ଓ ଆଦର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେପଟେ ସକାଳେ ଖରା ଅପରାହ୍ନରେ କାଳବୈଶାଖୀ ସମ୍ଭାବନା ବେଳେ ୨୫ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।
କଳାହାଣ୍ଡି ବୌଦ୍ଧ, ଅନୁଗୁଳ, ଢେ଼ଙ୍କାନାଳ କେନ୍ଦୁଝର ଓ ମୟୂରଭଞ୍ଜ ଏହି ୬ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ୫୦ ରୁ ୬୦ କିମି ଝଟକା ପବନ ହେବାର ସମ୍ଭାବନା ଥିବାବେଳେ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । ୧୯ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ୩୦ ରୁ ୪୦ କିମି ଝଟକା ପବନ ହେବାର ସମ୍ଭାବନା ଥିବାବେଳେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୪ ଦିନ ଅର୍ଥାତ ୨୭ ତାରିଖପର୍ଯ୍ୟନ୍ତ ଗ୍ରୀଷ୍ମର ଏଭଳି ସ୍ଥିତି ଲାଗି ରହିବ। ଏପରିକି କାଳବୈଶାଖୀର ଚେତାବନୀ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ଗତକାଲି ୧୨ ଟି ଜାଗାରେ ୪୧ ଡିଗ୍ରି ଉପରେ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସର୍ବାଧିକ ୪୫.୨ ଡିଗ୍ରି ଝାରସୁଗୁଡ଼ାରେ ରେକର୍ଡ ହୋଇଥିଲା ।
