Before Header

ସେବା ସମବାୟ ସମିତିରେ ୪ କୋଟିର ଦୁର୍ନୀତି, କାର୍ଯ୍ୟାଳୟରେ ତାଲା ପକାଇଲେ ଜମାକାରୀ

0 706

ସୋର (ବଡ଼ ଖବର ବ୍ୟୁରୋ):  ସୋର ବାହାନଗା ବ୍ଲକ ପଣପଣା ସେବା ସମବାୟ ସମିତି ଦୁର୍ନୀତିର ତଦନ୍ତ ପରେ ବି ଜମାକାରୀଙ୍କୁ ମିଳିଲାନି ଟଙ୍କା । ନିଜ ଟଙ୍କା ଫେରସ୍ତ ପାଇଁ ଉପରିସ୍ଥ ଅଧିକାରୀଙ୍କ ଠାରେ ଗୁହାରି କରିଥିଲେ ମଧ୍ୟ ଶୁଣିଲେନି ବିଭାଗୀୟ ଅଧିକାରୀ । ଶେଷରେ ନିଜ ଜମାଟଙ୍କା ଫେରସ୍ତ ପାଇବା ଦାବିରେ ଜଣେ ଜମାକାରୀ ପଣପଣା ସେବା ସମବାୟ ସମିତି କାର୍ୟ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ପଣପଣା ଗ୍ରାମର ଦୟାନିଧି ଦାସ ୨୦୧୬ ମସିହାରେ ନିଜ ଜମି ବିକ୍ରିକରି ୫ ଲକ୍ଷରୁ ଅଧିକ ଟଙ୍କା ସମିତିରେ ଜମା ରଖିଥିଲେ । ହେଲେ ୨୦୧୭ ମସିହାରେ ସେବା ସମବାୟ ସମିତିର ସମ୍ପାଦକ ପ୍ରଦୀପ୍ତ ଦାଶ ଏବଂ କର୍ମଚାରୀ ମାନେ ଜମାକାରୀଙ୍କ ଟଙ୍କାକୁ ହରଫେର କରି ହଡ଼ପ କରିଥିଲେ । ତଦନ୍ତ ସମୟରେ ୪ ହଜାର ୭୫ ଜଣ ଜମାକାରୀଙ୍କର ୪ କୋଟି ୫୬ ଲକ୍ଷ ଟଙ୍କା ସମିତିରୁ ହଡ଼ପ ହୋଇଥିବା ସ୍ପଷ୍ଟ ହୋଇଥିଲା ।
ଘଟଣା ଜଣାପଡିବା ପରେ ବାଲେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । ପରେ ବିଭାଗୀୟ ଅଧିକାରୀ ଏବଂ ତତ୍କାଳୀନ ଜିଲ୍ଲାପାଳ ମଧ୍ୟ ଲୋକଙ୍କୁ ଟଙ୍କା ଫେରସ୍ତ କରିବାର ପ୍ରତିଶ୍ରୁତି ଦେଇଥିଲେ । ଏମିତି କି କର୍ପୋସ୍ ଫଣ୍ଡରୁ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଘୋଷଣା କରିଥିଲେ ବିଭାଗୀୟ ଅଧିକାରୀ । କିନ୍ତୁ, ଆଜକୁ ଦୀର୍ଘ ୬ ବର୍ଷ ବିତିଯାଇଥିଲେ ସୁଦ୍ଧା ୪ ହଜାର ୭୫ ଜଣ ଜମାକାରୀ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ଜମାକାରୀମାନେ କେବେ ନିଜର କଷ୍ଟ ଅର୍ଜିତ ଜମାଟଙ୍କା ଫେରି ପାଇବେ ସେନେଇ ଚିନ୍ତାରେ ଅଛନ୍ତି ।
ଏହାରି ମଧ୍ୟରେ ସମିତିରେ ୫ ଲକ୍ଷ ଟଙ୍କା ଜମା ରଖିଥିବା ଜମାକାରୀ ଦୟାନିଧି ଦାସଙ୍କର ସ୍ତ୍ରୀ ଏବଂ ଝିଅର ସ୍ୱାସ୍ଥ୍ୟ ଖରାପ ଥିବାରୁ ତାଙ୍କର ଟଙ୍କା ନିହାତି ଆବଶ୍ୟକ ହୋଇପଡିଛି । ଏନେଇ ସେ ଦୀର୍ଘଦିନ ଧରି ବିଭାଗୀୟ ଅଧିକାରୀ , ଡ଼ିଆରସିଏସ୍ ଏବଂ ବାଲେଶ୍ୱର ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିକଟରେ ନିଜ ଜମା ଟଙ୍କା ଫେରିପାଇବା ପାଇଁ ଲିଖିତ ଭାବେ ଜଣାଇଥିଲେ । ପରେ ବାଲେଶ୍ୱର ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ତରଫରୁ ଅକ୍ଟୋବର ୧୮ ତାରିଖରେ ଚିଠି ନଂ ୭୪ ରେ ଜମାକାରୀ ଦୟାନିଧି ଦାସଙ୍କ ଟଙ୍କା ଫେରସ୍ତ କରାଯିବା ପାଇଁ ପଣପଣା ସେବା ସମବାୟ ସମିତି ସମ୍ପାଦକଙ୍କୁ ବୋର୍ଡ଼ ରିଜୋଲେସନ ମାଗିଥିଲେ ।

ପରେ ସମିତି ସମ୍ପାଦକ ତାପସ କୁମାର ଦାଶ ସମବାୟ ବ୍ୟାଙ୍କରେ ବୋର୍ଡ଼ ରିଜୋଲେସନ ଜମା କରିଥିଲେ । ହେଲେ ରିଜୋଲେସନ ଜମା କରିବାକୁ ଦୀର୍ଘଦିନ ବିତିଯାଇଥିଲେ ସୁଦ୍ଧା ଆଜି ଯାଏଁ ଜମାକାରୀ ଦୟାନିଧି ଟଙ୍କା ପାଇନାହାନ୍ତି । ଏନେଇ ଦୟାନିଧି ଡ଼ିଆରସିଏସଙ୍କ କାର୍ୟ୍ୟାଳୟକୁ ଯାଇ ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରିବାକୁ ଦାବି କରିଥିଲେ ସୁଦ୍ଧା ବିଭାଗୀୟ କର୍ମଚାରୀ ଯେଉଁଠି ଟଙ୍କା ଜମା ରଖିଛ , ସେଠାକୁ ଯାଅ କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସେ ପଣପଣା ସେବା ସମବାୟ ସମିତିରେ ପହଂଚି ସମିତିରେ କାର୍ୟ୍ୟରତ ଥିବା ସମ୍ପାଦକ ତାପସ କୁମାର ଦାଶଙ୍କୁ ଏକ ଲିଖିତ ଅଭିଯୋଗ ଦେବା ସହ କାର୍ୟ୍ୟାଳୟରେ ତାଲା ପକାଇ ଦେଇଛନ୍ତି । ଏନେଇ ସମିତି ସମ୍ପାଦକ ତାପସ ଦାଶଙ୍କୁ ପଚାରିବାରୁ ଉପରିସ୍ଥ ଅଧିକାରୀ କିଛି ଶୁଣୁନାହାନ୍ତି କହି ଅକ୍ଷମତା ପ୍ରକାଶ କରିଥିଲେ । ସେହିପରି ଡ଼ିଆରସିଏସ୍ ଗଜେନ୍ଦ୍ର ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାକୁ ହାଲୁକା ଭାବେ ନେଇଥିଲେ । ଅନ୍ୟପଟେ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଜମାକାରୀ ଦୟାନିଧିଙ୍କ ସହ ସମସ୍ତ ଜମାକାରୀଙ୍କୁ ତୁରନ୍ତ ସେମାନଙ୍କର କଷ୍ଟ ଅର୍ଜିତ ଜମାଟଙ୍କାକୁ ଫେରାଇବାକୁ ଦାବି ହେଉଛି ।

Leave A Reply

Your email address will not be published.