ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସମ୍ପ୍ରସାରଣକୁ ନେଇ ଦେଶର ରାଜନୀତି ସରଗରମ । ଦ୍ୱିତୀୟ ପାଳିର ଦ୍ୱିତୀୟ ଇନଂସିରେ ମୋଦି ଗଢିଛନ୍ତି ନିଜର ୟୁଥ ଡ୍ରିମ୍ ଟିମ୍ । ନମୋଙ୍କ ଏହି ଡ୍ରିମ୍ ଟିମରେ ୨ ନୂଆ ଓଡ଼ିଆ ମୁହଁ । ପୂର୍ବତନ ଆଇଏଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବ ଏହି ୟୁଥ ଟିମ୍ରେ ନିଜ ଜାଗା ପକ୍କା କରିସାରିଛନ୍ତି । ଅଶ୍ୱିନୀ ବୈଷ୍ଣବ ବର୍ତ୍ତମାନ ରାଜ୍ୟସଭାରେ ଓଡିଶାରୁ ପ୍ରତିନିଧିତ୍ୱ କରୁଛନ୍ତି ।

ପ୍ରଥମ ଥର ସେ ରାଜ୍ୟସଭାକୁ ନିର୍ବାଚିତ ହୋଇ ନମୋଙ୍କ ଡ୍ରିମ୍ ଟିମରେ ସ୍ଥାନ ପାଇଛନ୍ତି । ରାଜସ୍ଥାନର ଜୋଧପୁରରେ ଜନ୍ମିତ ଅଶ୍ୱିନୀ ୧୯୯୪ରେ ଆଇଏଏସ ପରୀକ୍ଷାରେ ସାରା ଭାରତରେ ୨୭ ନମ୍ବର ର୍ୟାଙ୍କରେ ଆସିଥିଲେ । ଓଡ଼ିଶା କ୍ୟାଡରର ଏହି ଆଇଏଏସ ଅଫିସର ବାଲେଶ୍ୱର ଏବଂ କଟକର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ୨୦୦୩ ପର୍ଯ୍ୟନ୍ତ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ଉଚ୍ଚ ପଦପଦବୀରେ ରହି ବହୁ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି ।

ପରେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟ୍ଟଳ ବିହାରି ବାଚପେୟୀଙ୍କ ଅତିପ୍ରିୟ ହୋଇପାରିଥିଲେ । ପିଏମ୍ଓରେ ଥିବା ବେଳେ ଅଶ୍ୱିନୀ ଓଡ଼ିଶାର ବହୁ ବରିଷ୍ଠ ନେତାମାନଙ୍କ ସହ ଯୋଗାଯୋଗରେ ଥିଲେ । ସେହିଭଳି ଅନ୍ୟ ଏକ ଚେହେରା ହେଉଛନ୍ତି ବିଶ୍ୱେଶ୍ୱର ଟୁଡୁ । ଯାହାଙ୍କ ନାମ ଆଜି ନମୋ ଟିମ୍ରେ ସାମିଲ ହୋଇଛି । ୨୦୧୯ରେ ବିଶ୍ୱେଶ୍ୱର ଟୁଡୁ ମୟୁରଭଞ୍ଜ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେବେ ୨ ବର୍ଷ ଭିତରେ ବିଶ୍ୱେଶ୍ୱର ସାଂସଦରୁ-କେନ୍ଦ୍ରମନ୍ତ୍ରୀ ହେବା ବିସ୍ମୟ ନିଶ୍ଚୟ । କୌଣସି ବାଦ ବିବାଦରେ ଆସିନଥିବା ବିଶ୍ୱେଶ୍ୱର ଅଚାନକ ୟୁଥ ଟିମରେ ସାମିଲ କଥାଟା ସମସ୍ତଙ୍କୁ ଚକିତ କରିଛି ।

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟାପଳରେ ଜନ୍ମଗ୍ରହଣ କରିଥିବା ବିଶ୍ୱେଶ୍ୱର ରାଜନୀତି କ୍ଷେତ୍ରରେ ସେତେ ଧୂରୀଣ ନ ହେଲେ ମଧ୍ୟ ବିଜେପିର ବହୁ ତୁଙ୍ଗନେତାଙ୍କ ସହ ତାଙ୍କର ଥିଲା ନିବିଡ ସମ୍ପର୍କ । ୫୬ ବର୍ଷିୟ ବିଶ୍ୱେଶ୍ୱର ଇଲେଟ୍ରିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା କରିଛନ୍ତି ।

ପୂର୍ବରୁ ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ ସମସ୍ତଙ୍କ ନଜରରେ ଆସିଥିବା ବେଳେ ଏବେ ବିଶ୍ୱେଶ୍ୱର ଟୁଡୁଙ୍କ ନାମ ଘୋଷଣା ହୋଇଛି । ବିଶ୍ୱେଶ୍ୱର ଟୁଡୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟିମରେ ଥିଲେ । ସେପଟେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ଏବଂ ପଡୋଶୀ ଜିଲ୍ଲା ମୟୁରଭଞ୍ଜରୁ ବିଶ୍ୱେଶ୍ୱରଙ୍କ ନାମ ମନ୍ତ୍ରିମଣ୍ଡଳରେ ପ୍ରବେଶ କରିବାରେ ନିହାତି ରହିଛି ସମ୍ପର୍କ । ମୋଦିଙ୍କ ନୂଆ ଡ୍ରିମ୍ ଟିମରେ ଓଡ଼ିଶାର ଏହି ଦୁଇ ନୂଆ ମୁହଁ ଏବେ ୟୁଥ ଟିମରେ ସାମିଲ ହୋଇଛନ୍ତି । ଆଉ ଏହି ମୋଦିଙ୍କ ଏହି ରଣନୀତିରେ ସାମିଲ ହୋଇଛନ୍ତି ଦେଶର ୟୁଥ ନେତା ।

Leave a Reply

Your email address will not be published. Required fields are marked *