ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ରୋଜଗାର ନାହିଁ । ଖାଲି ରାଜ୍ୟ କାହିଁକି ସାରା ଦେଶରେ ରୋଜଗାର ନାହିଁ । ରୋଜଗାର ଖାଲି ନେତାଙ୍କ ନିର୍ବାଚନୀ ପ୍ରତିଶ୍ରୁତିରେ ବଂଚେ, ତାହା ପରେ କବର ନେଇଯାଏ । କରୋନା ସମୟରେ ବେରୋଜଗାରୀ ଆହୁରି ବଡ଼ ସମସ୍ୟା ହୋଇ ସାମ୍ନାକୁ ଆସିଛି । ମହଙ୍ଗା ମାଡ଼କୁ ରୋଜଗାର ସଂକଟ, ଗରିବ ଓ ମଧ୍ୟବିତ୍ତଙ୍କୁ ଅସହାୟ କରିସାରିଲାଣି । ଓଡ଼ିଶାରେ ସରକାରୀ ଚାକିରି ଆଉ ବାହାରୁନି କହିଲେ ଭୁଲ୍ ହେବନାହିଁ । ଯେତିକି ବାହାରୁଛି, ତାହାର ସଂଖ୍ୟା ଖୁବ୍ କମ୍ । ଏପରିକି ଗୋଟିଏ ପଦବୀ ପାଇଁ କେତେ ସଂଖ୍ୟାରେ ଆବେଦନ ହୁଏ ସେ କଥା ବି ଆମେ ଦେଖିଛେ । ବାଣିଜ୍ୟରେ ଗୋଟିଏ ନିୟମ ଅଛି, ଯେତେବେଳେ ଡିମାଣ୍ଡ ଅଧିକ, ସପ୍ଲାଏ କମ୍ ରହିବ, ସେତେବେଳେ ସେହି ବସ୍ତୁର ଦର ଅହେତୁକ ଭାବେ ବଢିଯାଏ ।
ବେପାରୀ ମାନେ ଅସାଧୁ କାରବାର କରନ୍ତି । ଏଠି କାହିଁକି ବାଣିଜ୍ୟର ଏହି ନିୟମକୁ ମନେ ପକାଇବାକୁ ହେଲା, ତାହାର ଉତ୍ତର ହେଉଛି, ବିରଞ୍ଚି ସାହୁ । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟଙ୍କ ପିଏସ୍ ବିରଞ୍ଚି ସାହୁ । ବିରଞ୍ଚି ଭଳି ବ୍ୟକ୍ତି ସରକାରୀ ଚାକିରି କରି, ସରକାରୀ ଚାକିରିର ନିଯୁକ୍ତିର ବେପାର କରୁଛନ୍ତି । କେଉଁ ଧରଣର ମାଲ୍ କମାଉଛନ୍ତି, ତାହାର ଭିଜୁଆଲ୍ ଆପଣ ବଡ଼ ଖବରରେ ଦେଖିଛନ୍ତି । ଏଠି ଗୋଟିଏ ଗୋଟିଏ ପଦବୀ କେତେ ରେଟରେ ବିକ୍ରି ହେଉଛି ଭାବନ୍ତୁ । ଯିଏ ଯୋଗ୍ୟ, ଯିଏ ମେଧାବୀ, ଯିଏ ଚାକିରି ପାଇବାର ହକଦାର, ସେ ପାଇବ ନାହିଁ । ଯିଏ ଟଙ୍କା ଦେଇପାରିବ ସେ ହିଁ ଚାକିରି ପାଇବ । ଏଭଳି ଏକ ଦୁର୍ଦ୍ଦଶାରେ ଆମେ ଗତି କରୁଛେ । ଅବଶ୍ୟ ଏହି ଦୁର୍ନୀତି ଆଜି ନୂଆ ନୁହେଁ, କିନ୍ତୁ ଏବେ ଏହା ଯେଉଁ ସ୍ତରରେ ବ୍ୟାପିଛ ତାହା ନିଶ୍ଚୟ ପୂର୍ବପେକ୍ଷା ଅଧିକ । ସ୍ତର ଅର୍ଥାତ, କେତେ ଜଣଙ୍କ ଭାଗ । ବିରଞ୍ଚ ସାହୁ ବିଭିନ୍ନ ସରକାରୀ ନିଯୁକ୍ତିରେ ଦୁର୍ନୀତି କରୁଥିଲେ । ତାହା ଯେମିତି ସତ, ସେ ଏକା କେବେ ବି ଏଥିରେ ନାହାନ୍ତି, ଆହୁରି ଅନେକ ଅଛନ୍ତି। ବିରଞ୍ଚି ଏହି ଦୁର୍ନୀତି ଗଛର ମୂଳ ତ ଦୂରର କଥା, ଡାଳ ବି ନୁହେଁ । ସେ ସାମାନ୍ୟ ପତ୍ରଟିଏ । ତାଙ୍କ ଚାକିରିର ରେଞ୍ଜ୍ ଯାହା ସେଥିରେ ସେ ଯେ ଏକା କମାଇବେ, ଏଥିରେ କାହାରି ଭାଗିଦାରୀ ନାହିଁ ତାହା ଆଦୌ ବିଶ୍ୱାସ କରାଯାଇ ପାରିବ ନାହିଁ । କିନ୍ତୁ ବିରଞ୍ଚି ପରେ କିଏ ଆଉ ଧରାପଡିବେ କି? ଯେଉଁମାନେ ଦୁର୍ନୀତିର ଅସଲ ମୂଳ, ସେମାନଙ୍କ ପାଖେ ଭିଜିଲାନ୍ସ ପହଞ୍ଚିବାର ସମ୍ଭାବନା ଅଛି? ଏହାର ଉତ୍ତର ହଁ ହେବା ଉଚିତ୍ । ହେଲେ ଉତ୍ତର ନା ହେବ ।
ଏଇଥିପାଇଁ ନା ହେବ, ଆମ ସିଷ୍ଟମରେ ଦୁର୍ନୀତି ନିବାରଣର ବ୍ୟବସ୍ଥାକୁ ଜାଣିଛେ । ଏଠି ଛୋଟ ମାଛକୁ ଜାଲରେ ପକାଇ ବଡ଼ ମାଛ କେମିତି ଆରାମରେ ବେପାର କରନ୍ତି, ତାହା ବି ଜାଣିଛେ । ସେ ଧରା ପଡିବା ପରେ ଅନେକ ଆଶାୟୀ କହୁଛନ୍ତି, ସେମାନେ ଏତେ ଲକ୍ଷ ଟଙ୍କା ଦେଇଥିଲେ, ସେତେ ଲକ୍ଷ ଟଙ୍କା ଦେଇଥିଲେ । ସେ କଥା ବି ଧୀରେ ଧୀରେ ସାମ୍ନାକୁ ଆସିଲାଣି । ଲାଞ୍ଚ ଦେଉଥିବା ଓ ନେଉଥିବା ଉଭୟ ଅପରାଧୀ । ତେଣୁ ବିରଂଚି ବି ଦୋଷୀ, ତାଙ୍କୁ ଦେଇଥିବା ଲୋକେ ବି ଦୋଷୀ । ଯିଏ ଲାଞ୍ଚ ଦେଲା, ସେ ପଇସା ନ ଥିବା ଗୋଟେ ଯୋଗ୍ୟ ପ୍ରାର୍ଥୀର ହକ୍ ମାରିଲେ । ତେବେ ରାଜ୍ୟରେ ଏମିତି ପରିସ୍ଥିତି ହୋଇଯାଇଛି, ଆପଣ ଯେତେ ଯୋଗ୍ୟ ହେଲେ ବି ଟଙ୍କା ନ ଦେଲେ ଚାକିରି ପାଇବେ ନାହିଁ । ଚାକିରି ସଂକଟ ସମୟରେ ଟଙ୍କା ଦେଇ ହେଉ ପଛେ ଚାକିରି ପାଇବାର ଖରାପ ମାନସିକତା ଶିକ୍ଷିତ ଯୁବକ ଯୁବତୀଙ୍କ ମଧ୍ୟରେ ବଢିବାରେ ଲାଗିଛି। ସମସ୍ତେ ମିଳିମିଶି ଏ ଭାଗ ଖାଉଛନ୍ତି ।
ବିରଂଚିଙ୍କ ଭଳି ତଳସ୍ତରର କର୍ମଚାରୀଙ୍କୁ ଟାର୍ଗେଟ ଦିଆଯାଉଛି । କାହାର କେତେ ପର୍ସେଣ୍ଟ ତାହା ବି ଫିକ୍ସ ହେଉଛି । ଏହି ନେକ୍ସସକୁ କଣ ଭିଜିଲାନ୍ସ ଧରିବ? ଭିଜିଲାନ୍ସର ଟ୍ରାକ୍ ରେକର୍ଡ କହୁଛି, କେବେ ବି ଧରିବ ନାହିଁ । ଗୋଟିଏ ବିଂରଚିକୁ ଧରିଲେ କଣ ହେବ? ଗଛର ଗୋଟିଏ ପତ୍ରକୁ ଛିଡାଇଲେ କଣ ଗଛ ଶୁଖିଯିବ? ନା ଏହାକୁ ମୂଳରୁ ହାଣିବାକୁ ପଡିବ? ଦୁର୍ନୀତି ସବୁଆଡେ ମାଡିଗଲାଣି । ଆମ ବ୍ୟବସ୍ଥାକୁ ଖୋଖଲା କରିସାରିଲାଣି । ବିରଂଚି ସେହି ଗୋଟିଏ ଜାଗାରେ ଷ୍ଟେନୋରୁ ପିଏସ ଯାଏଁ ୨୯ ବର୍ଷ ହେଲା ବସିଛନ୍ତି । ତାଙ୍କୁ କେହି ବି ହଲଚଲ କରୁନାହାନ୍ତି । ଯିଏ ଆସିଲା, ତାହାର ସେଟିଂ କରିବାକୁ ତ କେହି ଜଣେ ଦରକାର? ଗୋଟିଏ ପଟେ ଯୋଗ୍ୟ ଲୋକ ଚାକିରିରୁ ବଂଚିତ ।
ଅନ୍ୟପଟେ, ଘୁସ୍ ଦେଇ ଚାକିରି ପାଇଥିବା ଅଯୋଗ୍ୟଙ୍କ ହାତରେ ସାଧାରଣ ଲୋକଙ୍କ ଭାଗ୍ୟ । ସେଥିପାଇଁ ସରକାରୀ ସିଷ୍ଟମରେ କାମ କେମିତି ହୁଏ, ଆମେ ସମସ୍ତେ ଦେଖୁଛେ । ଯିଏ ଟଙ୍କା ଦେଇ ଚାକିରି କରିବ, ସେ ଜୀବନ ଯାକ ଲୋକଙ୍କ କାମ ଟଙ୍କା ନେଇ କରିବ । ଆବାସ ପାଇଁ ଟଙ୍କା ମାଗିବ, ରାସନ କାର୍ଡ ପାଇଁ ମାଗିବ, କାଳିଆ ବଳିଆ ପାଇଁ ମାଗିବ, ପାଇଖାନା ପାଇଁ ମାଗିବ, ଜାତି ପ୍ରମାଣପତ୍ର ପାଇଁ ବି ମାଗିବ । ଯେଉଁମାନେ ଏଭଳି ଦୁର୍ନୀତିରେ ବୁଡିଥିବା ସମାଜ ପାଇଁ ମୂଳଦୁଆ ପକାଇଲେ, ସେହିମାନେ ହିଁ ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତାର ଭାଷଣ ମାରୁଛନ୍ତି ।