କାବୁଲ(ବଡ଼ ଖବର ବ୍ୟୁରୋ): ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଜବରଦଖଲ କରିଥିବା ତାଲିବାନ ନିଜର ଅସ୍ଥାୟୀ ସରକାର ଗଠନ କରିବା ପରେ ଆଜି ଏକ ବଡ ସୂଚନା ଦେଇଛି । ତାଲିବାନ ଆତଙ୍କରେ ଆଫଗାନିସ୍ତାନରେ ଫସି ରହିଥିବା ବିଦେଶୀ ନାଗରିକଙ୍କ ପାଇଁ ଖୁସି ଖବର । ବିଦେଶୀ ନାଗରିକଙ୍କୁ ସୁରକ୍ଷିତ ଭାବେ ନିଜ ଦେଶକୁ ଫେରି ଯିବାକୁ ଅନୁମତି ଦେଇଛି ତାଲିବାନର ଅସ୍ଥାୟୀ ସରକାର । ବିଦେଶୀ ଏୟାରଲିଫ୍ଟକୁ ତାଲିବାନ ପକ୍ଷରୁ ଅନୁମତି ଦିଆଯାଇଥିବା ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ତେବେ ସେ କହିଛନ୍ତି ଯେ ଆଫଗାନରେ ଫସି ରହିଥିବା ୨୦୦ରୁ ଅଧିକ ବିଦେଶୀ ନାଗରିକମାନଙ୍କୁ ଖୁବ୍ ଶୀଘ୍ର ଉଦ୍ଧାର କରାଯିବ । ସେ ନେଇ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି । ଏପଟେ କାବୁଲ ଏୟାରପୋର୍ଟରେ ଆସନ୍ତା ୩ଦିନ ମଧ୍ୟରେ ଆନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ତେବେ ଏହା ପରେ ବିଦେଶକୁ ପ୍ରଥମ ବିମାନ ଉଡିବା ନେଇ ଆଶା ରଖାଯାଉଛି । କେବଳ ବିଦେଶୀ ନାଗରିକଙ୍କୁ ଆଫଗାନ ଛାଡିବାକୁ ତାଲିବାନ ଅନୁମତି ଦେଇଛି । ହେଲେ ଏବେବି ତାଲିବାନ ଆତଙ୍କ ଭୟରେ ଅନେକ ଆଫଗାନି ନାଗରିକ ଦେଶ ଛାଡବା ପାଇଁ ବ୍ୟାକୁଳ ହେଉଛନ୍ତି ।