ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):   ଗତ କିଛିଦିନ ହେବ କେନ୍ଦୁଝର ଜିଲ୍ଲାର ଯୋଡା ଖଣି ଅଞ୍ଚଳ ଅଶାନ୍ତ ହୋଇ ପଡିଛି। ସ୍ଥାନୀୟ ୩୨୦୦ ଟ୍ରକ ମାଲିକଙ୍କ ପେଟରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମାହାନ୍ତ ଲାତ ମାରିଥିବା ଅଭିଯୋଗ ଆଣିଛନ୍ତି ଯୋଡା ମାଇନିଂ ଏରିଆ ଟ୍ରକ ମାଲିକ ସଂଘ ଓ ଶତାଧିକ ଡ୍ରାଇଭର ହେଲପର। ବିଧାୟିକା ମହାଶୟା ନିଜ ସମ୍ପର୍କୀୟଙ୍କ ନାଁରେ ପରିବହନ ଲାଇସେନ୍ସ କରାଇ ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିବା ବେଳେ ଟିପର ଭଡାର ଧାର୍ୟ୍ୟ ମୁଲ୍ୟ କୁ ୩୮୩ରୁ ୩୨୦କୁ କମାଇ ଦେଇଛନ୍ତି। ଗୋଟିଏ ପଟେ ତେଲ ରେଟ୍ ବଢିଚାଲିଥିବା ବେଳେ ଭଡା କମିବା ଘଟଣାକୁ ପ୍ରତିବାଦ କରି ଟିପର ମାଲିକ ମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିଥିବା ବେଳେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା ଓ ଟିପର ମାଲିକଙ୍କ ଅଭିଯୋଗ ପରେ ବିଧାୟିକାଙ୍କ ୪ଜଣ ପାଖ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି।

ତେବେ ମାମଲା ରୁଜୁ ହେବାର ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ସ୍ଥାନୀୟ ପୋଲିସ ପ୍ରଶାସନ ନିଦା ବିଷ୍ଣୁ ସାଜି ବସିରହିଛି। ଏମିତିକି ଅଭିଯୁକ୍ତ ମାନେ ବିଧାୟିକାଙ୍କ ସ୍ବାମୀ ଭକ୍ତ ବନ୍ଧୁ ମାହାନ୍ତଙ୍କ ଅତ୍ୟନ୍ତ ଘନିଷ୍ଠ ହୋଇଥିବାରୁ ଘଟଣାକୁ ଜାଣିଶୁଣି ବଡବିଲ ଏସଡିପିଓ ଚାପି ଦେଉଥିବାର ଅଭିଯୋଗ ଆଣିଛନ୍ତି ମାଲକ ମାନେ। ଅନ୍ୟ ପକ୍ଷରେ ତିନିଦିନ ତଳେ ଘଟଣାରେ ତାଙ୍କର କିଛି ସମ୍ପୃକ୍ତି ନଥିବା କହି ଖସି ଯିବାକୁ ଚେଷ୍ଟା କରିଥିବା ବିଧାୟିକାଙ୍କ ମିଛ ଏବେ ବଡଖବର ଧରିଛି। ବଡଖବରରେ ବାରମ୍ବାର ଖବର ପ୍ରସାରଣ ହେବାରୁ ଆଜି ବିଧାୟିକା ମହାଶୟା ବିଚଳିତ ହୋଇ ଆମକୁ କହିଛନ୍ତି ଯେ ଟିପର ଭଡା ୩୮୩ଟଙ୍କା ଦିଆ ଯାଉଛି ଓ ଭଡା କିଛିବି କମିନି କିନ୍ତୁ ଆମର ହସ୍ତଗତ ହୋଇଥିବା ରସିଦରୁ ସ୍ପଷ୍ଟ ହେଉଛି ଯେ ପରିବହନ ୩୨୦ଟଙ୍କାରେ କରା ଯାଉଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ବିଧାୟିକା ମିନାକ୍ଷୀ ମାହାନ୍ତ କାହିଁକି ମିଛ କହୁଛନ୍ତି ? ଆହୁରୀ ମଧ୍ୟ ଅଭିଯୁକ୍ତ ମାନଙ୍କ ପ୍ରତି ପୋଲିସର ନରମ ମନୋଭାବ ମିନାକ୍ଷୀଙ୍କୁ ବିବାଦ ଭିତରକୁ ଟାଣି ଆଣିଛି। ତେବେ ତୁରନ୍ତ ଘଟଣାର ସମାଧାନ କରିବା ସହ ଦୋଷିମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମି ଦିନରେ ଖଣି ଅଞ୍ଚଳ ଆନ୍ଦୋଳନ ତୀବ୍ରତର ହେବ ବୋଲି ଜଣାପଡୁଛି।

ମୟୁରଭଞ୍ଜର ଝିଅ ମିନାକ୍ଷୀ ମାହାନ୍ତ। କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଭଣ୍ଡାରିଡିହି ଗ୍ରାମର ଭକ୍ତବନ୍ଧୁ ମାହାନ୍ତଙ୍କୁ କୋଡିଏ ବର୍ଷ ତଳେ ବିବାହ କରିଥିଲେ। ସ୍ବାମୀ ଭକ୍ତ ବନ୍ଧୁ ରାଜନିତିରେ ରୁଚି ରଖିଥିବାରୁ ୨୦୧୨ ରୁ ୨୦୧୭ ପର୍ୟ୍ୟନ୍ତ ମିନାକ୍ଷୀ ଯୋଡା ବ୍ଲକ ପଳଷା ପଂଚାୟତର ସମିତିସଭ୍ୟା ଭାବେ ନିର୍ବାଚିତ ହୋଇ କାର୍ୟ୍ୟ କରିଥିଲେ। ତେବେ ହଠାତ୍ କାହାରବି ଆର୍ଶୀବାଦରୁ ହେଉନା କାହିଁକି ୨୦୧୯ ମସିହାରେ ମିନାକ୍ଷୀ ବିଜେଡିର ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଧାୟକ ଟିକେଟ ପାଇଲେ। ଆଉ ବିଜୁ ଜନତା ଦଳର ପ୍ରଥମ ଥର ପାଇଁ ଚମ୍ପୁଆ ନିର୍ବାଚନ ମଣ୍ଡଳୀକୁ ହାତେଇବା ସମର୍ଥ ହୋଇ ପାରିଥିଲା। ଯେଉଁ ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରେ ପପୁ ପମପମ୍ ପରି ସେଲିବ୍ରେଟି ହାରିଥିଲା ସେଠାରୁ ଜଣେ ସାଧାରଣ ସମିତି ସଭ୍ୟ ନିର୍ବାଚିତ ହେଲେ।

ତେବେ ସେ ଯାହାବି ହେଉ ଜଣେ ସାଧାରଣ ମହିଳାଙ୍କୁ ବିଧାୟକ ଭାବେ ପାଇ ଖଣି ଅଞ୍ଚଳର ଲୋକେ ବହୁତ କିଛି ଆଶା କରିଥିଲେ। କିନ୍ତୁ ବିଧାୟକ ହେବା ପରେ ମିନାକ୍ଷୀ ଲୋକଙ୍କ ପାଇଁ କିଛି କରିବା ପରିବର୍ତ୍ତେ ଦାଦାଗିରି କରି ଖଣି ଅଞ୍ଚଳରୁ ଚାନ୍ଦା ଆଦାୟରେ ଲାଗି ପଡିଛନ୍ତି। ସାଧାରଣ ଲୋକଙ୍କ ସ୍ଵାର୍ଥ କୁ ଜଳାଞ୍ଜଳି ଦେଇ ନିଜ ପକେଟ୍ ଗରମ କରିବାରେ ଲାଗିଥିବାର ଅଭିଯୋଗ ମଧ୍ୟ ଆସୁଛି। ଆଉ ଏସବୁ ଯିଏ ବିରୋଧ କରୁଛି ତାକୁ ବିଧାୟିକା ମହାଶୟା ଗୁଣ୍ଡା ଲଗାଇ ଆକ୍ରମଣ କରୁଥିବା ଦେଖାଯାଉଛି। ଆଉ ଏଥିରେ ମୋଟା ଅଙ୍କର ପିସି ନେଇ ମିନାକ୍ଷୀଙ୍କୁ ଘଣ୍ଟ ଘୋଡାଉଛି ପୋଲିସ ପ୍ରଶାସନ। ଏମିତିକି କିଛିଦିନ ହେବ ଯୋଡା ଅଞ୍ଚଳର ହଜାର ହଜାର ଟ୍ରକ ମାଲିକ ମାନଙ୍କ ଉପରେ ଦାଉ ସାଜୁଛନ୍ତି ମିନାକ୍ଷୀ ଫଳରେ ସେମାନେ ଋଣଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ ବାହାରିଲେଣି। ଏଠାରେ ଆମେ ପ୍ରଶ୍ନ କରୁଛୁ ଯଦି ଆଗାମି ଦିନରେ କିଛି ଅଘଟଣ ଘଟେ ତେବେ ଆମେ ବିଧାୟିକା ମିନାକ୍ଷୀ ମାହାନ୍ତ ଙ୍କୁ କାହିଁକି ଦାୟୀ ନକରିବୁ। କାରଣ ଯୋଡା ବଡବିଲ ଖଣି ଅଞ୍ଚଳରେ ସବୁ ବେପାରରେ ସ୍ବାମୀ ଭକ୍ତ ବନ୍ଧୁ ସାମ୍ନାରେ ରହି ଗୋଟି ଚାଳନା କରୁଛନ୍ତି। ଏମିତିକି ଖଣି ଅଞ୍ଚଳ ଅଧିକାଂଶ ଖଣିର ପରିବହନ ଦାଇତ୍ବ ନିଜ ନାଁ ଓ ପରିବାର ଲୋକଙ୍କ ନାଁରେ କରି ମାଲେମାଲ ହେଉଛନ୍ତି ମିନାକ୍ଷୀଙ୍କ ସ୍ବାମୀ ।

ତେବେ ଏସବୁକୁ ଯେତେ ବେଳେ ଯିଏ ବିରୋଧ କରିଛି ତା ଉପରେ ହୋଇଛି ଆକ୍ରମଣ। ବିଗତ ୬ମାସର କଥାକୁ ଦେଖିଲେ ଯୋଡା ବଡବିଲ ଅଞ୍ଚଳରେ ପ୍ରାୟ ଦଶରୁ ଅଧିକ ମାମଲାରେ ବିଧାୟିକାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ନିଜେ ଭକ୍ତ ମାହାନ୍ତ ଓ ତାଙ୍କ ଘନିଷ୍ଠ ଲାଲଟୁ ମାହାନ୍ତଙ୍କ ନାଁରେ ବଲାଣି ଥାନା , ବାମେବାରି ଓ ଯୋଡା ଥାନାରେ ଏକାଧିକ ମାମଲା ମଧ୍ୟ ରୁଜୁ ହୋଇଛି କିନ୍ତୁ କାର୍ୟ୍ୟାନୁଷ୍ଠାନ ଶୁନ। ଆହୁରି ମଧ୍ୟ ବିଧାୟିକା ମିଛୁଆ ବୋଲି ମଧ୍ୟ ପ୍ରମାଣିତ ହୋଇ ସାରିଛନ୍ତି। ଆମକୁ ବିଧାୟିକା ଟିପର ମାଲିକଙ୍କୁ ୩୮୩ଟଙ୍କା ଦେଉଥିବା କହିଥିବା ବେଳେ ପ୍ରକୃତରେ ୩୨୦ରେ ପରିବହନ କରାଯାଉଥିବାର ରସିଦ ଆମ ହାତରେ ଲାଗିଛି। ତେବେ ଏସବୁ ଅଭିଯୋଗ ଯଦି ସତ ହୋଇଥାଏ ଆମେ କହିବୁ ବିଧାୟିକା ସାଧାରଣ ଲୋକଙ୍କ ସହ ବିଶ୍ବାସଘାତ କରିଛନ୍ତି ।

 

 

Leave a Reply

Your email address will not be published. Required fields are marked *