Masthead

କାହାକୁ ଭରସା କରିବେ, କାହାକୁ କାଟିବେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କାହାକୁ ଭରସା କରିବେ, କାହାକୁ କାଟିବେ । ଛିଣ୍ଡୁନି ଟିକଟ ଅଙ୍କ । ବିଜେଡି ୩ ଆସନରେ ଯୋଦ୍ଧା ଘୋଷଣା କରିନି । ସେହିପରି ବିଜେପି ୭ ଏବଂ କଂଗ୍ରେସ ୯ ବିଧାନସଭା ସିଟରେ ପ୍ରାର୍ଥୀ ଦରାଣ୍ଡୁଛି । କଟକ ଓ ମୟୂରଭଞ୍ଜ ଲୋକସଭା ଆସନ ପାଇଁ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଦେଇନି । କାହାକୁ ଟିକଟ ଦେବେ ତାକୁ ନେଇ ପୂରା ଚାପରେ ତିନି ଦଳ । ବିଜେଡି ଖଣ୍ଡପଡ଼ା, ନୀଳଗିରି ଓ କୋରେଇ ଆସନରେ ଏଯାଏ ପ୍ରାର୍ଥୀ ଘୋଷଣା କରିନି । ଖଣ୍ଡପଡ଼ାରେ ବିଜେଡିକୁ ଫେରି ପୁଣି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଟିକଟ ପାଇବେ ବୋଲି ଚର୍ଚ୍ଚା ଘୂରି ବୁଲୁଛି ।

ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ମଧ୍ୟ ରେସରେ ଅଛନ୍ତି । କିଛି ନୂଆମୁହଁଙ୍କ ନାଁ ମଧ୍ୟ ଆଲୋଚନା ହେଉଛି । ମାତ୍ର ଦଳ କାହା ମୁଣ୍ଡରେ ଟିକଟ କଳସ ଢ଼ାଳିବ ତାହା ସ୍ପଷ୍ଟ ହୋଇନି । ନୀଳିଗିରି ବିଧାୟକ ସୁକାନ୍ତ ନାୟକ ଟିକଟ ଲୋଭରେ ବିଜେପିକୁ ବାଏ ବାଏ କହି ବିଜେଡିରେ ଯୋଗ ଦେଇଥିଲେ । ମାତ୍ର ଏ ଆସନ ପାଇଁ ଦୌଡ଼ରେ ଥିବା ସନ୍ତୋଷ ଖଟୁଆ ମଧ୍ୟ ନଛୋଡ଼ବନ୍ଧା । ଦଳ କାହାକୁ ବାଛିବ, କାହାକୁ ଛାଡ଼ିବ ଆଗପଛ ହେଉଛି । କୋରେଇରେ ଦଳ ନୂଆମୁହଁ ଦେବାକୁ ବିଚାର କରୁଥିବା କୁହାଯାଉଛି । ବିଜେପି ମଧ୍ୟ ଆହୁରି ୭ ଆସନକୁ ନେଇ ଅଡ଼ୁଆରେ ଅଛି ।

ଘଷିପୁରା, ବାରବାଟୀ-କଟକ, ବେଗୁନିଆ, ଭୋଗରାଇ, ନୀଳଗିରି, ଭଣ୍ଡାରିପୋଖରୀ ଓ ବରୀ ଆସନରେ ଦଳ ପ୍ରାର୍ଥୀ ଘୋଷଣା ବାକି ରଖିଛି । ବାରବାଟୀ-କଟକରେ ସାଂସଦ ଅନୁଭବ ମହାନ୍ତି ନା ଆଉ କୌଣସି ଦଳୀୟ ନେତାଙ୍କୁ ପ୍ରାର୍ଥୀ ଭାବେ ଦଳ ମଇଦାନକୁ ଓହ୍ଲାଇବ ଏଯାଏ ନିଷ୍ପତ୍ତି ହୋଇପାରୁନି । ବେଗୁନିଆରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ପସନ୍ଦର ପ୍ରାର୍ଥୀ ଦେଇପାରନ୍ତି । ବରୀ ଟିକଟ ଆଶାରେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ । ମାତ୍ର ଏଯାଏଁ ତାଙ୍କୁ ଟିକଟ ମିଳିନି । ନୀଳଗିରି, ଭଣ୍ଡାରିପୋଖରୀ ସିଟ୍ ପାଇଁ ଦଳ ପାଣି ପିଇଲାଣି । ସେହିପରି କଂଗ୍ରେସ ମଧ୍ୟ ୯ ଆସନକୁ ନେଇ ଚାପରେ ଅଛି । କଟକ-ବାରବାଟୀରେ ବିଧାୟକ ମହମ୍ମଦ ମୋକିମ୍ ଆଇନଗତ ଜାଲରେ ଛନ୍ଦି ହୋଇଯିବାରୁ ତାଙ୍କ ଝିଅଙ୍କୁ ପ୍ରାର୍ଥୀ କରିବାକୁ ଦଳ ଏଆଇସିସିକୁ ସୁପାରିଶ କରିଛି ।

ଜଗତସିଂପୁରରେ ଚିରଞ୍ଜିବୀ ବିଶ୍ୱାଳ ବିଜେଡିକୁ ଯିବା ପରେ ଦଳ ନୂଆ ପ୍ରାର୍ଥୀ ସନ୍ଧାନରେ ଅଛି । କାକଟପୁରରେ ବିଶ୍ୱରଂଜନ ଦାସ ଟିକଟ ଲୋଭରେ ବିଜେପିକୁ ଯାଇଥିଲେ ମାତ୍ର ଟିକଟରେ ଫେଲ ମାରିବା ପରେ ସେ ପୁଣି କଂଗ୍ରେସକୁ ଫେରିଛନ୍ତି । ବାଲେଶ୍ୱର ସଦର ଆସନରେ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ନିଜ ପସନ୍ଦର ପ୍ରାର୍ଥୀ ପାଇଁ ଲବି କରୁଛନ୍ତି। ଦୌଡ଼ରେ ସରୋଜ ଲେଙ୍କା ଓ ବିକ୍ରମ ପଣ୍ଡା ଅଛନ୍ତି । ଦଳ କାହାକୁ ବାଛିବ ନିଷ୍ପତ୍ତି ନେଇପାରୁନି । ନୀଳଗିରି ଆସନରେ କଂଗ୍ରେସ ଲଢ଼ିବ ନା ସିପିଏମକୁ ଛାଡ଼ିବ ସ୍ଥିର ହୋଇନି । ଜଳେଶ୍ୱରରେ ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚାନ୍ଦ ଓ ସୁଦର୍ଶନ ଦାସଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ବଡ଼ଚଣାରେ ଦଳ ଏବେ ଶୁଭେନ୍ଦୁ ମହାନ୍ତିଙ୍କ ନାମକୁ ବିଚାର କରୁଛି । ସେହିଭଳି ଛତ୍ରପୁର ଓ ପାଲଲହଡ଼ା ସିଟରେ ଆଶାୟୀଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!