Masthead

ବ୍ରହ୍ମପୁର ସୁବାହକ ପ୍ରଶିକ୍ଷଣ କେନ୍ଦ୍ରର ବାର୍ଷିକ ଉତ୍ସବରେ ପରିବହନ ମନ୍ତ୍ରୀଙ୍କ ଯୋଗଦାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଥିବା ସରକାରୀ ଯାନଚାଳନା ପ୍ରଶିକ୍ଷଣ କେନ୍ଦ୍ର ପ୍ରଥମ ବର୍ଷ ପୂରା କରିଛି । ଏହି ଅବସରରେ ପାଲୁର ହିଲ୍ସ ସ୍ଥିତ ତାଲିମ ପ୍ରତିଷ୍ଠାନରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇଥିଲେ । ମନ୍ତ୍ରୀ କହିଥିଲେ, ସଡ଼କ ଦୁର୍ଘଟଣା ହ୍ରାସ କରିବାକୁ ବିଭାଗ ପ୍ରାଥମିକତା ଦେଉଛି । ଏ ଦିଗରେ ସୁବାହକ ପ୍ରଶିକ୍ଷଣ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ସରକାର ଓ ଘରୋଇ ସହଭାଗିତାରେ ରାଜ୍ୟର ଚାରିଟି ସ୍ଥାନରେ ବିନା ମୂଲ୍ୟରେ ଯାନ ଚାଳକମାନଙ୍କୁ ପ୍ରଶିକ୍ଷିତ କରାଯାଉଛି । ପୂର୍ବରୁ ଯାଜପୁର ଜିଲ୍ଲା ଛତିଆରେ ପ୍ରଶିକ୍ଷଣ କେନ୍ଦ୍ର ଥିବାବେଳେ ପରବର୍ତ୍ତୀ ସମୟରେ  ଗଞ୍ଜାମ ଜିଲ୍ଲାର ପାଲୁର, ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଏବଂ କେନ୍ଦୁଝରରେ ଏଭଳି ତାଲିମ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଏହା ବ୍ୟତୀତ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ରହିଛି । ସଡ଼କ ସୁରକ୍ଷା ଦିଗରେ ପଦକ୍ଷେପ ସ୍ୱରୂପ ଆଗକୁ ସରକାରୀସ୍ତରରେ ଏଭଳି ପ୍ରତିଷ୍ଠାନ ସଂଖ୍ୟା ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଥିଲେ । ପାଲୁର ପ୍ରତିଷ୍ଠାନ କେନ୍ଦ୍ରଟି ସଫଳତାର ସହ ପ୍ରଥମ ବର୍ଷ ପୂରା କରିଥିବାରୁ ସମସ୍ତ କର୍ମକର୍ତ୍ତା ଓ ଅନ୍ତେବାସୀଙ୍କୁ ମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି  । ଏହି ଯୋଜନାର ଅଧିକରୁ ଅଧିକ ପ୍ରଚାରପ୍ରସାର କରି ଅନେକ ଚାଳକଙ୍କୁ ପ୍ରଶିକ୍ଷଣ ପ୍ରକ୍ରିୟାରେ ଯୋଡିବାକୁ ପରାମର୍ଶ ଦେଇଥିଲେ ।

ଏହି ଭାରିଯାନ ପ୍ରଶିକ୍ଷଣ କେନ୍ଦ୍ରରେ ନିଃଶୁଳ୍କ ପ୍ରଶିକ୍ଷଣ ଦିଆଯାଉଛି । ଶିକ୍ଷାର୍ଥୀମାନଙ୍କ ପାଇଁ ରହିବା ଓ ଖାଦ୍ୟପେୟର ବ୍ୟବସ୍ଥା କରାଯାଉଛି । ଉତ୍ତୀର୍ଣ୍ଣ ଶିକ୍ଷାର୍ଥୀମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଦିଆଯାଉଛି । ୩୦ ଦିନର ସଫଳ ପ୍ରଶିକ୍ଷଣ ନେବା ପରେ ୩ ହଜାର ଟଙ୍କାର ଭତ୍ତା ବ୍ୟବସ୍ଥା କରାଯାଇଛି । କେନ୍ଦ୍ରଗୁଡ଼ିକରେ ଅତ୍ୟାଧୁନିକ ପ୍ରଶିକ୍ଷଣ ବ୍ୟବସ୍ଥା ରହିଛି । ଶିକ୍ଷାର୍ଥୀମାନଙ୍କୁ ମାନସିକ ଓ ଶାରୀରିକ ଭାବରେ ସୁସ୍ଥ ରଖିବା ପାଇଁ ପ୍ରତିଦିନ ଯୋଗ ଓ ବ୍ୟାୟାମ କରାଯାଉଛି । ପାଠାଗାର ବ୍ୟବସ୍ଥା ମଧ୍ୟ ରହିଛି । ପୂର୍ବରୁ ଲାଇସେନ୍ସ ପାଇଥିବା ଯାନଚାଳକମାନଙ୍କୁ ଅଧିକ ଦକ୍ଷ କରିବା ପାଇଁ ପ୍ରତିମାସରେ ତିନିଦିନିଆ ରିଫ୍ରେସର କୋର୍ସର ବ୍ୟବସ୍ଥା ହୋଇଛି ।

ଏହି ୪ଟି ତାଲିମ କେନ୍ଦ୍ରରୁ ଅଦ୍ୟାବଧି ୫ ହଜାରରୁ ଅଧିକ ନୂତନ ଚାଳକ ଓ ୨୨ହଜାରରୁ ଅଧିକ ଚାଳକ ରିଫ୍ରେଶର କୋର୍ସ ବିନା ମୂଲ୍ୟ କରିସାରିଲେଣି । କେବଳ ପୁରୁଷ ନୁହେଁ ମହିଳାମାନେ ମଧ୍ୟ ଏହି ତାଲିମ ନେବାରେ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିରୁ ଅନେକ ରାଜ୍ୟ ଓ ଦେଶର ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ପାଇଛନ୍ତି । ଏପରିକି ୩୦ ଜଣ ଦକ୍ଷ ଚାଳକ ଉତ୍ତମ ସୁବିଧା ସୁଯୋଗରେ  ଜାପାନ ଦେଶରେ ଚାକିରି କରିବାକୁ ଚୟନ ହୋଇଛନ୍ତି ।

ପାଲୁରଠାରେ ପ୍ରତିଷ୍ଠାନଟି ୨୦ ଏକର ଜମି ଉପରେ ପ୍ରତିଷ୍ଠିତ ହୋଇଛି । ଆଡ଼୍‌ମିନିଷ୍ଟ୍ରେସନ୍‌ ବ୍ଲକ୍‌ ସହିତ ଏସି କ୍ଲାସ୍‌ରୁମ୍‌ ଓ ଅନ୍ୟାନ୍ୟ ମଡେଲ ରୁମ୍, ଏସି କ୍ୟାଣ୍ଟିନ ରହିଛି । ହଷ୍ଟେଲରେ ୧୪ଟି ଡର୍ମିଟୋରି ଥିବାବେଳେ ସେଥିରେ ଏକକାଳୀନ ୧୪୦ ଜଣ ରହିପାରିବେ । ବର୍ଷକୁ ଏହି ପ୍ରତିଷ୍ଠାନରୁ ୧୨ ଶହ ଭାରିଯାନ ଚାଳକ ତାଲିମ ନେଇପାରିବେ ଓ ୪ ହଜାର ଯାନଚାଳକ ରିଫ୍ରେସର କୋର୍ସରେ ସାମିଲ ହୋଇପାରିବେ । ଦୁଇ କିଲୋମିଟର ଲମ୍ବା ଡ୍ରାଇଭିଂ ଟ୍ରାକ୍‌ ଥିବାବେଳେ ଡ୍ରାଇଭରମାନଙ୍କ ଅଭ୍ୟାସ କରିବା ପାଇଁ ରୋଡ୍‌ ସାଇନ୍‌ମାନ ଅଛି । ଏହି ପ୍ରତିଷ୍ଠାନରୁ ବର୍ତ୍ତମାନ ସୁଦ୍ଧା ୮୨୩ ଜଣ ଭାରିଯାନ ଚାଳକ ତାଲିମ ନେଇ ସାରିଲେଣି । ସେଥିରୁ ପ୍ରାୟ ୧୬୬ ଜଣ ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି । ଆଶୋକ ଲେଲାଣ୍ଡ ପକ୍ଷରୁ ଯନ୍ତ୍ରାଂଶ ଓ ପ୍ରଶିକ୍ଷକ ସୁବିଧା ଯୋଗାଇ ଦିଆଯାଉଥିବାବେଳେ ଅନ୍ୟ ସବୁଗୁଡ଼ିକର ଖର୍ଚ୍ଚ ପରିବହନ ବିଭାଗ ବହନ କରୁଛି ।

ଏହି କାର୍ଯ୍ୟକ୍ରର୍ମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ପରିବହନ କମିସନର ଦୀପ୍ତିରଞ୍ଜନ ପାତ୍ର, ଯୁଗ୍ମ ପରିବହନ କମିସନର ପ୍ରଦୀପ କୁମାର ମହାନ୍ତି, ବିକାଶ ଚୌଧୁରୀ, ପରିବହନ ବିଭାଗର ସ୍ୱତନ୍ତ୍ର ଅଧିକାରୀ ଭ୍ରମର ମହାପାତ୍ର, ଗଞ୍ଜାମ ଆରଟିଓ, ଚାରିଟି ପ୍ରଶିକ୍ଷଣ କେନ୍ଦ୍ରର ପ୍ରିନ୍ସପାଲ, ପ୍ରଶିକ୍ଷଣ ଦେଉଥିବା ଅଶୋକ ଲେଲାଣ୍ଡ କମ୍ପାନୀର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ସ୍ମୃତି ସ୍ୱରୂପ ମନ୍ତ୍ରୀ ଶ୍ରୀ ଜେନା ବୃକ୍ଷରୋପଣ କରିଥିଲେ  । ଅନ୍ତେବାସୀ ଓ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ