Sujit Kumar

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଖୁବଶୀଘ୍ର ଆସିବ ତାରିଖ । ଅନୁଷ୍ଠିତ ହେବ ଉପନିର୍ବାଚନ । ଝୁଲି ରହିଛି ରାଜ୍ୟସଭା ବାଇ ଇଲେକ୍ସନ ଡେଟ୍ । କୌଣସି ମୁହୂର୍ତ୍ତରେ ବାଜିପାରେ ବିଗୁଲ । ତାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚାଲିଛି ଅଙ୍କ କଷା । କାହାକୁ ପଠାଇବେ ଦିଲ୍ଲୀ ଦରକାର ସେନେଇ ହେଉଛି ମାନସ ମନ୍ଥନ । ବିଜେପି ଖାତାକୁ ଏହି ଆସନ ଯିବା ଏକ ପ୍ରକାରର ସୁନିଶ୍ଚିତ । ବିଧାନସଭାର ଗଣତି କୁହେ ଯାହାର ଅଧିକ ବିଧାୟକ ତାର ଅଧିକ ରାଜ୍ୟସଭା ସିଟ୍ । ବିଜେଡିରୁ ରାଜ୍ୟସଭାକୁ ଯାଇଥିବା ସୁଜିତ୍ କୁମାର ୬ ସେପ୍ଟେମ୍ବର୨୦୨୪ରେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ । ରାଜ୍ୟସଭା ଅଧକ୍ଷ ତଥା ଉପରାଷ୍ଟ୍ରପତି ଜଗଦିଶ ଧନଖଡ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଥିଲେ । ତାର କିଛି ମିନିଟ ପରେ ବିଜେଡି ବି ତାଙ୍କୁ ଦଳରୁ ବିଦା କଲା ।

ଦିନ କେଇଟା ପରେ ପଦ୍ମ ଶିବିରକୁ ସୁଜିତ୍ ମାରିଥିଲେ ଲମ୍ଫ । ବିଜେପିର ଦିଲ୍ଲୀ ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ । ଆଉ ଏବେ ଯାଏ ତାଙ୍କ ଆସନରେ କିଏ ରାଜ୍ୟସଭା ଯିବ ଏବଂ କେବେ ଉପନିର୍ବାଚନ ହେବ ତାକୁ ନେଇ ଏବେ ବି ସସ୍ପେନ୍ ଜାରି ରହିଛି । କୁହାଯାଉଛି କି ଖୁବଶୀଘ୍ର ଏହାର ବି ଅନ୍ତ ଘଟିବ । ବିଜେପି ଶିବିରରେ ବି ଏହି ଆସନକୁ ନେଇ ବିଚାର ବିମର୍ଶ ଆରମ୍ଭ ହୋଇଯାଇଛି । କାହାକୁ ପଠାଇଲେ ଭଲ ହେବ ତାକୁ ନେଇ ହାଇକମାଣ୍ଡ ଅଙ୍କ ବି କଷିଲେଣି । ବିଜେପି ଶାସନ କ୍ଷମତାକୁ ଆସିବା ପରେ ଅନେକ ବିଜେଡି ନେତା ପଦ୍ମ ଧରିବା ନେଇ ବ୍ୟାକୁଳ କହିଲେ ଚଳେ । ସୁଜିତଙ୍କ ପୂର୍ବରୁ ବି ମମତା ମହନ୍ତ ନିଜର ରାଜନୈତିକ ଯାତ୍ରା ଆଗକୁ ବଢାଇବା ପାଇଁ ଏଭଳି ନେଇଥିଲେ ନିଷ୍ପତ୍ତି ।

କିନ୍ତୁ ସେ ରାଜ୍ୟସଭାରୁ ଇସ୍ତଫା ଓ ବିଜେଡି ଛାଡି ବିଜେପିରେ ମିଶିବା ପରେ ବିଜେପି ତାଙ୍କୁ ପୁଣି ରାଜ୍ୟସଭା ପଠାଇଛି । ତେବେ ସୁଜିତଙ୍କ କ୍ଷେତ୍ରରେ ମମତା ମହନ୍ତଙ୍କ ପରି ପଦକ୍ଷପ ନେବ ନା ଅନ୍ୟ କିଛି ବାଟରେ ଯିବ ତାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି । ଏହା ବାଦ ଯଦି ବିଜେପି ସୁଜିତଙ୍କ ସ୍ଥାନରେ ଦଳରୁ ଆଉ କାହାକୁ ବାଛେ ତେବେ ସେହି ରେସରେ ଏବେ ଆଗରେ ଅଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ତାଙ୍କ ସାଙ୍ଗକୁ ସମୀର ମହାନ୍ତି, ଗୋଲକ ମହାପାତ୍ର ଓ ଯତୀନ ମହାନ୍ତିଙ୍କ ଭଳି ଦଳର ଅନେକ ଆଗ ଧାଡିର ନେତାଙ୍କ ନାମ ରହିଛି । ଆଉ ଏପଟେ ବିଜେଡି ବି ନଜର ରଖିଛି । ହୁଏତ ଆସନକୁ ହାତେଇବା ଦଳ ପକ୍ଷେ ସକ୍ଷମ ନୁହେଁ କିନ୍ତୁ ବିଜେପିର ପ୍ରତ୍ୟେକଟି ଚାଲ ଉପରେ ତୀକ୍ଷଣ ନଜର ରଖିଛି । ମମତା ମହାନ୍ତଙ୍କ ଉପନିର୍ବାଚନ ସମୟରେ ବିଜେପି ନେଇଥିବା ଷ୍ଟା୍ରଟେଜି ସମସ୍ତଙ୍କୁ ଚକିତ କରିଦେଇଥିବା ବେଳେ ଏହି ବାଇ ଇଲେକ୍ସନ ଉପରେ ରହିଛି ସମସ୍ତଙ୍କ ଆଖି ।

Leave a Reply

Your email address will not be published. Required fields are marked *